ଆସିକାରେ ଅଁଳା ନବମୀ ଓ ରାଧାପାଦ ଦର୍ଶନ

ଆସିକା  (ୱାଇଏନ୍‍ଏସ୍‍) : ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳରେ ଥିବା ଜଗନ୍ନାଥ ମନ୍ଦିର ଏବଂ ରାଧାକୃଷ୍ଣ ମନ୍ଦିର ଗୁଡିକରେ ବୁଧବାର ପବିତ୍ର ଅଁଳା ନବମୀ ଉତ୍ସବ ଏବଂ ରାଧାପାଦ ଦର୍ଶନ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ପାରମ୍ପରିକ ବିଧିବିଧାନ ଅନୁଯାୟୀ ପାଳିତ ହୋଇଯାଇଛି । କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିରେ ଚିନିଶିଳ୍ପ ନୂଆଗାଁ ସ୍ଥିତ ଜଗନ୍ନାଥ ମନ୍ଦିର, ସୁନାମ୍ବ ସାହି ଜଗନ୍ନାଥ ମନ୍ଦିର, ବଜାର ସାହି ଜଗନ୍ନାଥ ମନ୍ଦିର, କାଳଷଣ୍ଢପୁର ଜଗନ୍ନାଥ ମନ୍ଦିର, ଖମ୍ବେଶ୍ୱରୀପାଟଣା ସ୍ଥିତ ରାଧାକୃଷ୍ଣ ମନ୍ଦିର, ବାଣିବିହାର ସ୍ଥିତ ରାଧାକୃଷ୍ଣ ମନ୍ଦିର ସମେତ ଆଖାପାଖ ଜଗନ୍ନାଥ ଏବଂ ରାଧାକୃଷ୍ଣ ମନ୍ଦିରରେ ପୂଜା ପାଉଥିବା ମା’ ବିମଳା ଓ ମା’ ଲକ୍ଷ୍ମୀ ଏବଂ ପ୍ରଭୂ ରାଧାକୃଷ୍ଣଙ୍କୁ ଅଁଳା କୋଳିରେ ସଜ୍ଜିତ କରାଯାଇଥିଲା । ସେହିଭଳି ଆସିକା ପୌର ପରିଷଦ ଅଧିନସ୍ଥ ବାଣୀବିହାରସ୍ଥ ରାଧାକୃଷ୍ଣ ମନ୍ଦିର ଏବଂ ଖମ୍ବେଶ୍ୱରୀପାଟଣା ସ୍ଥିତ ରାଧାକୃଷ୍ଣ ମନ୍ଦିର ପରିସରରେ ମଧ୍ୟ ଅଁଳା ନବମୀ ତିଥିକୁ ବିଧିବିଧାନ ଅନୁଯାୟୀ ପାଳନ କରିବା ଲାଗି ଆଧ୍ୟାତ୍ମିକ ପ୍ରେମୀ ଶ୍ରଦ୍ଧାଳୁ ମହିଳାଙ୍କ ଭିଡ ଜମିଥିଲା । କାର୍ତ୍ତିକ ମାସ ଶୁକ୍ଳପକ୍ଷ ନବମୀ ତିଥିକୁ ଅଁଳା ନବମୀ ରୂପେ ପାଳନ କରାଯାଇଥାଏ । ଏହି ତିଥିରେ ଅଁଳା ବୃକ୍ଷକୁ ପୂଜା କଲେ ସମସ୍ତ ପାପ ବିମୋଚନ ହେବା ସହ କୋଟିଜନ୍ମର ପୁଣ୍ୟ ମିଳିଥାଏ ବୋଲି ବିଶ୍ୱାସ ରହିଛି । ଅଁଳା ନବମୀକୁ ନେଇ ପ୍ରଚଳିତ ଥିବା ପୌରାଣିକ କଥାବସ୍ତୁ ଆଧାରରେ କାର୍ତ୍ତିକ ଶୁକ୍ଳପକ୍ଷ ନବମୀ ତିଥିରୁ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଭଗବାନ ବିଷ୍ଣୁ ଅଁଳା ଗଛରେ ଅବସ୍ଥାନ କରିଥାନ୍ତି । ଅଁଳା ନବମୀ ତିଥିରେ ଅଁଳାଗଛକୁ ପୂଜାର୍ଚ୍ଚନା କରି ୧୦୮ ଥର ଅଁଳାଗଛର ଚର୍ତୁପାଶ୍ୱର୍ରେ ପରିକ୍ରମା କଲେ ମନସ୍କାମନା ପୂର୍ଣ୍ଣ ହୋଇଥାଏ ବୋଲି ଲୋକପ୍ରଥା ପ୍ରଚଳିତ ରହିଛି । ତେଣୁ ଅଁଳା ନବମୀ ତିଥିରେ ମନ୍ଦିର ଗୁଡିକରେ ଥିବା ଅଁଳାବୃକ୍ଷ ନିକଟରେ ପୂଜାର୍ଚ୍ଚନା କରିବା ଲାଗି ଶ୍ରଦ୍ଧାଳୁ ମହିଳାଙ୍କ ସମାଗମ ହୋଇଥିବା ଲକ୍ଷ୍ୟ କରାଯାଇଥିଲା । କାର୍ତ୍ତିକ ମାସ ଶୁକ୍ଳପକ୍ଷ ଅଁଳା ନବମୀ ତିଥିରେ ଶ୍ରୀ ରାଧାଙ୍କ ପାଦଦର୍ଶନ କଲେ ଅଶେଷ ପୁଣ୍ୟ ମିଳେ ବୋଲି ଲୋକକଥା ପ୍ରଚଳିତ ରହିଛି । ଶ୍ରଦ୍ଧାଳୁ ମହିଳା ମାନେ ଏହି ତିଥିରେ ଶ୍ରୀକୃଷ୍ଣଙ୍କୁ ନଟବର ଓ ରାଧାରାଣୀଙ୍କୁ ଓଡିଆଣୀ ବେଶରେ ଦର୍ଶନ କରିବାର ସୌଭାଗ୍ୟ ଲାଭ କରିଥିଲେ । ଆସିକା ସହର ତଥା ଏହାର ଆଖପାଖ ଅଞ୍ଚଳର ଜଗନ୍ନାଥ ମନ୍ଦିର ଏବଂ ରାଧାକୃଷ୍ଣ ମନ୍ଦିର ଗୁଡିକରେ ଅଁଁଳା ନବମୀ ଉତ୍ସବ ପାଳନ କରିବା ଲାଗି ଶ୍ରଦ୍ଧାଳୁ ମହିଳାଙ୍କ ଭିଡ ଜମିଥିବା ଦେଖିବାକୁ ମିଳିଥିଲା। ଆସିକା ନିକଟସ୍ଥ ଚିନିଶିଳ୍ପ ନୁଆଗାଁରେ କେଉଁ ଆବାହମାନ କାଳରୁ ପୂଜା ପାଇଆସୁଥିବା ଜଗନ୍ନାଥ ମନ୍ଦିରରେ ପବିତ୍ର ଅଁଳା ନବମୀ ଉତ୍ସବ ମହାଆଡମ୍ବର ସହକାରେ ପାଳିତ ହୋଇଥିବା ଦେଖିବାକୁ ମିଳିଥିଲା । ପୂଣ୍ୟ ଓ ଧର୍ମ ଅର୍ଜନର ମାସ କାର୍ତ୍ତିକରେ ଅନେକ ପରମ୍ପରା ଏବଂ ପୂଜାବିଧି ରହିଆସିଛି । ସେଥିମଧ୍ୟରୁ ଅଁଳା ନବମୀ ଅନ୍ୟତମ । ଆଜିର ଦିନରେ ଅଁଳା ଗଛ ହଳଦୀ, ସୁନ୍ଦୁର ଆଦି ଲଗାଇବା ପରେ କ୍ଷୀର ଅର୍ପଣ କରି ପୂଜା କରିବା ସହ ଠାକୁରଙ୍କ ନିକଟରେ ଅଁଳା ଅର୍ପଣ କରି ଶ୍ରଦ୍ଧାଳୁ ଭକ୍ତମାନେ ପରିବାରର ସୁଖସମୃଦ୍ଧି ଓ ମଙ୍ଗଳ କାମନା କରିଥିଲେ । ପବିତ୍ର ଅଁଳା ନବମୀରେ ରାଧାପାଦ ଦର୍ଶନ ଏକ ଅନନ୍ୟ ପରମ୍ପରା ରୂପେ ପ୍ରଚଳିତ ରହିଆସିଛିି । ଜଗତ୍‍ଜନନୀ ମା ରାଧାରାଣୀଙ୍କ ପାଦଦର୍ଶନ ପାଇଁ ମନ୍ଦିର ଗୁଡିକରେ ଶ୍ରଦ୍ଧାଳୁ ମହିଳାଙ୍କ ପ୍ରବଳ ଭିଡ ଜମିଥିଲା । ଶ୍ରଦ୍ଧାଳୁ ମହିଳାମାନେ ଅଁଳା ନବମୀ ଏବଂ କାର୍ତ୍ତିକ ବ୍ରତ ମହାତ୍ମ୍ୟ ପାଠ କରିଥିଲେ । ବର୍ଷକର ଦିନଟିଏ ରାଧା ମାଙ୍କ ଦୁର୍ଲଭ ଓଡିଆଣୀ ବେଶକୁ ଦର୍ଶନ କରି ଶ୍ରଦ୍ଧାଳୁ ଭକ୍ତମାନେ ବିମୋହିତ ହୋଇପଡିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ