ପିଏମ୍ଶ୍ରୀ ଦେବଭୂମୀ ହାଇସ୍କୁଲ ପକ୍ଷରୁ ବିଜ୍ଞାନ ପ୍ରଦର୍ଶନୀ
ଆସିକା (ୱାଇଏନ୍ଏସ୍) : ଆସିକା ବ୍ଳକ ଅନ୍ତର୍ଗତ ଦେବଭୂମୀ ଗ୍ରାମରେ ଥିବା ପିଏମ୍ଶ୍ରୀ ଗ୍ରାମ ପଞ୍ଚାୟତ ନୋଡାଲ୍ ହାଇସ୍କୁଲ ପରିସରରେ ଏକ ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀ ଅନୁଷ୍ଠିତ ହୋଇଯାଇଛି । ପିଏମ୍ଶ୍ରୀ ଗ୍ରାମ ପଞ୍ଚାୟତ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ଦେବଭୂମୀର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ପଣ୍ଡାଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବିଦ୍ୟାଳୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀର ଉଦ୍ଘାଟନୀ କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ପରିଚାଳନା କମିଟି ସଭାନେତ୍ରୀ ସାଗରୀ କୁମାରୀ ସ୍ୱାଇଁ, ସଭ୍ୟ ପବିତ୍ର ସାହୁ, ଆସିକା ପିଏମ୍ଶ୍ରୀ ହରିହର ହାଇସ୍କୁଲ ବରିଷ୍ଠ ବିଜ୍ଞାନ ଶିକ୍ଷକ ପ୍ରଶାନ୍ତ କୁମାର ନାୟକ ଏବଂ କେନ୍ଦୁପଦର ସ୍ଥିତ ପ୍ରଗତୀ ବିଦ୍ୟାପୀଠର ବିଜ୍ଞାନ ଶିକ୍ଷୟିତ୍ରୀ ହରପ୍ରିୟା ସେଠୀ ପ୍ରମୁଖ ଯୋଗଦେଇ ଏହି ବିଜ୍ଞାନ ମେଳାରେ ଭାଗ ନେଇଥିବା ଶିକ୍ଷାନୁଷ୍ଠାନର ଷଷ୍ଠରୁ ଦଶମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସାଙ୍ଗକୁ ବିଦ୍ୟାର୍ଥୀମାନଙ୍କ ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଦିଗରେ ଏହି ବିଜ୍ଞାନ ମେଳା କାର୍ଯ୍ୟକ୍ରମ ବିଶେଷ ଭାବେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରି ବିଦ୍ୟାର୍ଥୀଙ୍କ ଦକ୍ଷତା ଓ ଜିଜ୍ଞାସାକୁ ବୃଦ୍ଧି କରିବା ଦିଗରେ ଏହି ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳା ଯେପରି ଅଧିକ ଲୋକାଭିମୁଖୀ ହୋଇପାରିବ ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ଆହ୍ୱାନ କରିଥିଲେ । ପିଏମ୍ଶ୍ରୀ ଗ୍ରାମ ପଞ୍ଚାୟତ ନୋଡାଲ୍ ହାଇସ୍କୁଲ ଦେବଭୂମୀର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ପଣ୍ଡା ଯୋଗଦେଇ ଶିଶୁମାନଙ୍କ ମଧ୍ୟରେ ଲୁଚି ରହିଥିବା ଅନ୍ତଃର୍ନିହିତ ବୈଜ୍ଞାନିକ ପ୍ରତିଭାକୁ ବିକଶିତ କରିବା ସହ ବିଜ୍ଞାନ ପ୍ରତି ଅଧିକରୁ ଅଧିକ ରୁଚି ରଖିବା ଲାଗି ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଛି ବୋଲି ସୂଚନା ପ୍ରଦାନ କରିଥିବା ଦେଖିବାକୁ ମିଳିଥିଲା । ଏହି ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳାରେ ବିଚାରକ ରୂପେ ପିଏମ୍ଶ୍ରୀ ହରିହର ହାଇସ୍କୁଲର ବରିଷ୍ଠ ବିଜ୍ଞାନ ଶିକ୍ଷକ ପ୍ରଶାନ୍ତ କୁମାର ନାୟକ ଏବଂ ପ୍ରଗତୀ ବିଦ୍ୟାପୀଠ କେନ୍ଦୁପଦରର ବିଜ୍ଞାନ ଶିକ୍ଷୟିତ୍ରୀ ହରପ୍ରିୟା ସେଠୀ ଯୋଗଦେଇ ଶିଶୁ ବୈଜ୍ଞାନିକମାନଙ୍କ ଦ୍ୱାରା ପ୍ରଦର୍ଶିତ øହୋଇଥିବା ବିଜ୍ଞାନ ପ୍ରକଳ୍ପ ଗୁଡିକୁ ବୁଲି ଦେଖିବା ସାଙ୍ଗକୁ ଉଚ୍ଚକୋଟୀର ହୋଇଥିବା ପ୍ରକଳ୍ପ ଗୁଡିକୁ ମୂଲ୍ୟାଙ୍କନ କରିଥିଲେ । ପିଏମ୍ଶ୍ରୀ ଗ୍ରାମ ପଞ୍ଚାୟତ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ଦେବଭୂମୀ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳାକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ସୁଶାନ୍ତ କୁମାର ପଣ୍ଡା, ସହକାରୀ ଶିକ୍ଷକ ଲବ ସେଠୀ, ଗାୟିତ୍ରୀ ବିଶ୍ୱାଳ, ଶିବାନୀ ସେଠୀ, କବିତା ସାମନ୍ତରା, ଶୋଭାରାଣୀ ରାଓ, ରବିନ୍ଦ୍ର ନାୟକ, ସୂର୍ଯ୍ୟ ନାରାୟଣ ବେହେରା, ସଂଘମିତ୍ରା ପାଢୀ, ବବିତା ଚୌଧୁରୀ, ସଂଯୁକ୍ତା ବେହେରା, ଉଷାରାଣୀ ବିଷୋୟୀ, ପ୍ରଶାନ୍ତ ନାୟକ, ଉଦୟ ମାଝୀ, ଗୋପୀନାଥ ପାଢୀ, କାବେରୀ ନାହାକ, କର୍ମଚାରୀ ନାରାୟଣ ବେହେରା ଓ ଗୌରୀ ନାହାକଙ୍କ ସମେତ ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା। ପିଏମ୍ଶ୍ରୀ ଗ୍ରାମ ପଞ୍ଚାୟତ ନୋଡାଲ୍ ଉଚ୍ଚ ବିଦ୍ୟାଳୟ ଦେବଭୂମୀ ପରିସରରେ ଅନୁଷ୍ଠିତ ଏହି ବିଦ୍ୟାଳୟସ୍ତରୀୟ ବିଜ୍ଞାନ ମେଳାରେ ଶିକ୍ଷାନୁଷ୍ଠାନରେ ଷଷ୍ଠରୁ ଦଶମ ଶ୍ରେଣୀର ଅଧ୍ୟୟରତନ ଥିବା ଛାତ୍ରଛାତ୍ରୀମାନେ ଗଣିତ, ପରିବେଶ ଓ ବିଜ୍ଞାନ ବିଷୟବସ୍ତୁ, ପ୍ରାକୃତିକ କୃଷି ପଦ୍ଧତି, ଆଲୋକୀକରଣ, ବର୍ଷାଜଳ ସଂରକ୍ଷଣ, କୃତ୍ରିମ ବୁଦ୍ଧିମତା, ସ୍ୱାସ୍ଥ୍ୟ ଓ ସ୍ୱଚ୍ଛତା, ବିପର୍ଯ୍ୟୟ ପରିଚାଳନା ଉପରେ ଆଧାରିତ ୩୩ଟି ପ୍ରକଳ୍ପ ପ୍ରଦର୍ଶିତ କରିଥିବା ଦେଖିବାକୁ ମିଳିଥିଲା । ପିଏମ୍ଶ୍ରୀ ଦେବଭୂମୀ ଉଚ୍ଚ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ବିଦ୍ୟାଳୟସ୍ତରୀୟବିଜ୍ଞାନ ମେଳାରେ ପ୍ରଥମ ହୋଇଥିବା ତ୍ରିଲୋଚନ ପରିଡା, ଦ୍ୱିତୀୟ ହୋଇଥିବା ପବିତ୍ର ସାହୁ ଏବଂ ତୃତୀୟ ହୋଇଥିବା ରେବତୀ ପାତ୍ର ଶିଶୁ ବୈଜ୍ଞାନିକଙ୍କୁ ସମ୍ମାନିତ କରାଯାଇଥିଲା। ଏହି ବିଜ୍ଞାନ ମେଳାରେ ପ୍ରଦର୍ଶିତ ହୋଇଥିବା ପ୍ରକଳ୍ପ ଗୁଡିକୁ ଦେଖିବା ଲାଗି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସୁକତା ଲାଗି ରହିଥିବା ଦେଖିବାକୁ ମିଳିଥିଲା ବେଳେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।


