ଗୁଣପୁରରେ ତୃତୀୟ ଆଭାସୀ ଆଲୋଚନା ଚକ୍ର

ଗୁଣପୁର, :(ୱାଇଏନଏସ) ଦେଶର ସ୍ୱାଧୀନତା ପାଇଁ ଅସୀମ ତ୍ୟାଗ ଓ ବଳିଦାନ ଦେଇଥିବା ଶହୀଦ ଲକ୍ଷ୍ମଣ ନାୟକଙ୍କ ଜୀବନାଦର୍ଶ  ଆଜି ବି ଯୁବପିଢ଼ି ପାଇଁ ପ୍ରେରଣାର ଅମୂଲ୍ୟ ଉତ୍ସ। ଭାରତର ସ୍ୱାଧୀନତା ସଂଗ୍ରାମରେ ଆଦିବାସୀ ଓ ଜନଜାତି ସମାଜର ନେତୃତ୍ୱ, ତ୍ୟାଗ ଓ ବଳିଦାନର ଅବଦାନକୁ ଇତିହାସରେ ଯଥୋଚିତ ସ୍ଥାନ ଦେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି। ଶହୀଦ ଲକ୍ଷ୍ମଣ ନାୟକଙ୍କ ୧୨୮ତମ ଜୟନ୍ତୀ ଅବସରରେ ସ୍ଥାନୀୟ ଗାୟତ୍ରୀ ବୈଷୟିକ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷ ଅକ୍ଷୟ କୁମାର ଦାଶଙ୍କ ଆବାହକତ୍ବରେ ଗୁଣପୁର ବଂଶଧାରା ସାହିତ୍ୟ ସମାଜ ପକ୍ଷରୁ ଆୟୋଜିତ ତୃତୀୟ ଆଭାସୀ ଆଲୋଚନା ଚକ୍ରରେ ମୁଖ୍ୟ ଆଲୋଚକ ଭାବେ ଯୋଗଦେଇ ଅବସରପ୍ରାପ୍ତ ଅତିରିକ୍ତ ଶାସନ ସଚିବ ତଥା ସାହିତ୍ୟିକ ତପନ କୁମାର ଶତପଥୀ ଏହି ମତବ୍ୟକ୍ତ କରିଥିଲେ। ସେ କହିଥିଲେ, ଶହୀଦ ଲକ୍ଷ୍ମଣ ନାୟକଙ୍କ ସଂଘର୍ଷମୟ ଜୀବନ, ଦେଶପ୍ରେମ ଓ ଆତ୍ମବଳିଦାନ ଭାରତୀୟ ସ୍ୱାଧୀନତା ଆନ୍ଦୋଳନର ଏକ ଗୌରବମୟ ଅଧ୍ୟାୟ। ଆଦିବାସୀ ସମାଜର ସଂଗ୍ରାମ ଓ ଅବଦାନକୁ ଅଣଦେଖା କରି ଦେଶର ସ୍ୱାଧୀନତା ଇତିହାସକୁ ସମ୍ପୂର୍ଣ୍ଣ ଭାବେ ବୁଝିବା ସମ୍ଭବ ନୁହେଁ। ଏଥିସହ ନିୟମଗିରି ଆନ୍ଦୋଳନକୁ ନେଇ ନିଜ ରଚିତ ପୁସ୍ତକ ସମ୍ପର୍କରେ ମଧ୍ୟ ସେ ଆଲୋକପାତ କରିଥିଲେ।
ଅନ୍ୟତମ ଆଲୋଚକ ବୈପାରିଗୁଡ଼ା ଶହୀଦ ଲକ୍ଷ୍ମଣ ନାୟକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଡ. ସଦାନନ୍ଦ ଅଢାରୀ ଶହୀଦଙ୍କ ଜନ୍ମସ୍ଥାନକୁ ନେଇ ରହିଥିବା ଭ୍ରାନ୍ତ ଧାରଣା ଦୂର କରିବାକୁ ମତ ରଖିଥିଲେ। ଶହୀଦ ଲକ୍ଷ୍ମଣ ନାୟକଙ୍କ ଜନ୍ମସ୍ଥାନ ମାଲକାନଗିରି ନୁହେଁ, ବରଂ ଅବିଭକ୍ତ କୋରାପୁଟ ଜିଲ୍ଲାର ବର୍ତ୍ତମାନର ବୈପାରିଗୁଡ଼ା ବ୍ଲକ ଅନ୍ତର୍ଗତ ତେନ୍ତୁଳିଗୁମ୍ମା ଗ୍ରାମ ବୋଲି ସେ ସ୍ପଷ୍ଟ କରିଥିଲେ। ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ସତ୍ତ୍ୱେ ମହାନ ସଂଗ୍ରାମୀଙ୍କ ଜନ୍ମମାଟି ଆଜି ବି ଅଗମ୍ୟ ଓ ଅବହେଳିତ ହୋଇ ରହିଥିବାରୁ ସେ କ୍ଷୋଭ ପ୍ରକାଶ କରିଥିଲେ। ସ୍ୱତନ୍ତ୍ର ନିମନ୍ତ୍ରିତ ଅତିଥି ବୀରଭୂମି କୁଜେନ୍ଦ୍ରୀର ଯୁବ ସରପଞ୍ଚ ରମେଶ ଶବର ଯୁବପିଢ଼ିଙ୍କ ମଧ୍ୟରେ ଦେଶପ୍ରେମ ଓ ଜାତୀୟତାବୋଧ ଜାଗ୍ରତ କରିବା ଉପରେ ଗୁରୁତ୍ୱ ଦେଇଥିଲେ। ବିପଥଗାମୀ ହେଉଥିବା ଯୁବସମାଜକୁ ଶହୀଦ ଲକ୍ଷ୍ମଣ ନାୟକଙ୍କ ଆଦର୍ଶରେ ଅନୁପ୍ରାଣିତ କରି ଦେଶ ପାଇଁ ଦାୟିତ୍ୱବାନ ନାଗରିକ ଭାବେ ଗଢ଼ିତୋଳିବା ଆବଶ୍ୟକ ବୋଲି ସେ କହିଥିଲେ। ଅଞ୍ଚଳର ସ୍ୱାଧୀନତା ସଂଗ୍ରାମୀଙ୍କ ସ୍ମୃତି ରକ୍ଷା ପାଇଁ ପ୍ରତି ଗ୍ରାମରେ ସ୍ମୃତିପୀଠ ନିର୍ମାଣ ନିମନ୍ତେ ମଧ୍ୟ ସେ ଦାବି କରିଥିଲେ। କାର୍ଯ୍ୟକ୍ରମର ସମୀକ୍ଷକ ଭାବେ ଅବସରପ୍ରାପ୍ତ ପଞ୍ଚାୟତ ବିଭାଗ ଅଧିକାରୀ ପ୍ରଭାତ କୁମାର ଶତପଥୀ ଯୋଗଦେଇ ଆଲୋଚନାର ସାରମର୍ମ ଉପସ୍ଥାପନ କରିଥିଲେ। ପ୍ରାରମ୍ଭରେ ଅନୁଷ୍ଠାନର ସହସମ୍ପାଦକ ଉମାଶଙ୍କର ଦାସ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସଭାପତି ସୀମାଞ୍ଚଳ କର ସ୍ୱାଗତ ଭାଷଣ ଦେଇଥିଲେ। ଉପଦେଷ୍ଟା ତଥା ରାମନାଗୁଡ଼ା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ଆଲୋଚନା ଚକ୍ରର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ। ଡମ୍ବସରା ଆମ୍ବେଦକର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ଶେଷସାୟୀ ସେନାପତି କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଶିକ୍ଷକ ଅଶ୍ୱିନୀ ତ୍ରିପାଠୀ ଧନ୍ୟବାଦ ଅର୍ପଣ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ