ସିଡିଏରେ ୱାଟକୋ ପାଣି ମିଟର ଚୋରି ରାକେଟ୍‌ର ପର୍ଦ୍ଦାଫାଶ : ଜଣେ ଗିରଫ, ଦୁଇ ନାବାଳକ ଅଟକ

କଟକ, (ଓ୍ବାଇଏନଏସ): କଟକ ସିଡିଏ ଅଞ୍ଚଳରେ ବଢ଼ିଚାଲିଥିବା ୱାଟକୋ ପାଣି ମିଟର ଚୋରି ଘଟଣା ଉପରୁ ପର୍ଦ୍ଦା ହଟାଇଛି ମର୍କତନଗର ଥାନା ପୋଲିସ। ଏହି ଚୋରି ଘଟଣାରେ ସମ୍ପୃକ୍ତ ଜଣେ ୨୨ ବର୍ଷୀୟ ଯୁବକଙ୍କୁ ପୋଲିସ ଗିରଫ କରିଥିବାବେଳେ ଦୁଇଜଣ ନାବାଳକଙ୍କୁ ମଧ୍ୟ ଧରିଛି। ସେମାନଙ୍କ ନିକଟରୁ ଚୋରି ହୋଇଥିବା ୧୬ଟି ୱାଟକୋ ପାଣି ମିଟର ଉଦ୍ଧାର କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ସିଡିଏର ବିଭିନ୍ନ ସ୍ଥାନରୁ ଲଗାତାର ପାଣି ମିଟର ଚୋରି ହେଉଥିବା ନେଇ ଅଭିଯୋଗ ଆସୁଥିଲା। ଏହାକୁ ନେଇ ତଦନ୍ତ ଚଳାଇଥିବା ମର୍କତନଗର ପୋଲିସ ବିଶ୍ୱସ୍ତ ସୂତ୍ରରୁ ସୂଚନା ପାଇ ମୁଢ଼ି ମିଲ୍ ଗଳି ନିକଟରେ ଚଢ଼ାଉ କରିଥିଲା। ସେଠାରୁ କାଠଯୋଡ଼ି ବିହାର ବାଲିଘାଟ ଅଞ୍ଚଳର ଜି. ନବୀନ (୨୨)ଙ୍କୁ ଧରିବାରେ ସଫଳ ହୋଇଥିଲା। ପଚରାଉଚରା ସମୟରେ ଅଭିଯୁକ୍ତ ନବୀନ ସିଡିଏର ବିଭିନ୍ନ ଅଞ୍ଚଳରୁ ଦୁଇଜଣ ନାବାଳକଙ୍କ ସହଯୋଗରେ ପାଣି ମିଟର ଚୋରି କରୁଥିବା ସମ୍ପର୍କରେ ସୂଚନା ଦେଇଥିଲା। ପରବର୍ତ୍ତୀ ତଦନ୍ତ ଓ ଚଢ଼ାଉ ବେଳେ ତାଙ୍କ ଘର ନିକଟରୁ ଚୋରି ହୋଇଥିବା ୧୬ଟି ୱାଟକୋ ପାଣି ମିଟର ଜବତ କରାଯାଇଥିଲା। ଏହି ଘଟଣାରେ ମର୍କତନଗର ଥାନାରେ କେସ୍ ନଂ ୩୭୭/୨୦୨୬ ରୁଜୁ ହୋଇଛି। ଭାରତୀୟ ନ୍ୟାୟ ସଂହିତାର ଧାରା ୩୦୫(ଏ)/୩(୫) ଅନୁଯାୟୀ ମାମଲା ରୁଜୁ କରି ପୋଲିସ ଆଇନଗତ ପଦକ୍ଷେପ ନେଇଛି। ଗିରଫ ଅଭିଯୁକ୍ତକୁ କୋର୍ଟ ଚାଲାଣ କରାଯାଇଥିବାବେଳେ ଦୁଇଜଣ ନାବାଳକଙ୍କ ବିରୋଧରେ ମଧ୍ୟ ଆଇନ ଅନୁଯାୟୀ ପଦକ୍ଷେପ ନିଆଯାଇଛି। ଏହି ଚୋରି ଘଟଣା ପଛରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ଏଥିସହ ଅଭିଯୁକ୍ତମାନେ ଅନ୍ୟ କୌଣସି ଚୋରି ଘଟଣାରେ ଜଡ଼ିତ କି ନାହିଁ, ସେନେଇ ପୋଲିସ ତଦନ୍ତ ଜାରି ରଖିଛି। ଅଧିକ ଚୋରି ସାମଗ୍ରୀ ଉଦ୍ଧାର କରିବା ଦିଗରେ ମଧ୍ୟ ତଦନ୍ତ ଚାଲିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ