ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମ ଜୟନ୍ତୀ ଉତ୍ସବ
ମୁନିଗୁଡା,(ନନ୍ଦ କିଶୋର ପଟ୍ଟନାୟକ): ମୁନିଗୁଡାର ସତ୍ୟସାଇ ସେବା ସମିତି ପରିବାର ତରଫରୁ ଶ୍ରୀ ସତ୍ୟସାଇ ବାବାଙ୍କ ୧୦୧ତମ ଜନ୍ମ ଜୟନ୍ତୀ ଉତ୍ସବ ପାଳିତ ହୋଇଯାଇଛି l ଏହି ଅବସରରେ ସେବା ସମିତି ତରଫରୁ ପ୍ରାତରୁ ଓଁକାର ସୁପ୍ରଭାତମ ନଗର ସଂକୀର୍ତନ ସହ ପ୍ରଭାତଫେରି କରାଯାଇଥିଲା। ପରେ ଜଗନ୍ନାଥ ମନ୍ଦିର ପରିସରରେ ଥିବା ସତ୍ୟସାଇ ବାବାଙ୍କ ମନ୍ଦିରରେ ପ୍ରଶାନ୍ତି ପତାକା ଉତ୍ତଳନ କରାଯାଇଥିଲା। ପରେ ସେବା ସମିତିର ୟୁ.ସୋବନ ବାବୁ ଓ ମନୋଜ ପାତ୍ରଙ୍କ ମିଳିତ ସଂଯୋଜନାରେ ବହୁ ସଂଖ୍ୟାରେ ମହିଳା,ପୁରୁଷ ଓ ଶିଶୁ ମାନେ ମନ୍ଦିର ପରିସରରୁ ସତ୍ୟସାଇ ବାବାଙ୍କ ଏକ ସୁସଜ୍ଜିତ ରଥ ତିଆରୀ କରି ସେଥିରେ ବାବାଙ୍କ ଫୋଟଚିତ୍ରକୁ ରଖାଯାଇ ସଂକୀର୍ତ୍ତନ ମଣ୍ଡଳୀ ସହ ସହର ପରିକ୍ରମା କରି ରେଳ ଷ୍ଟେସନ ଛକ ପର୍ଯ୍ୟନ୍ତ ଯାଇ ପୁଣି ମନ୍ଦିର ନିକଟରେ ପହଞ୍ଚିଥିଲେ l ମନ୍ଦିର ପରିସରରେ ପୁରହିତ ଜଗବନ୍ଧୁ ପଣ୍ଡାଙ୍କ ପୌରହିତ୍ୟରେ ବୈଦିକ ରୀତିନୀତି ଅନୁସାରେ ସତ୍ୟସାଇ ବାବାଙ୍କ ଷୋଡଶ ଉପଚାର ପୂଜା, ଓଁକାର,ମହାମୃତୁଞ୍ଜୟ ପାଠ, ହୋମଯଜ୍ଞ ସହ ବିଭିନ୍ନ ପୂଜାର୍ଚ୍ଚନା କରାଯାଇ ଦିନ ତମାମ ଭଜନ ଓ ଆଧ୍ୟାତ୍ମିକ ସତସଙ୍ଗ ସଂକୀର୍ତନ ଅନୁଷ୍ଠିତ ହୋଇଥିଲା। କର୍ତା ଭାବେ କେଶବ ଗୁପ୍ତା ଓ ମିନୁ ଖାଡ଼ଙ୍ଗା କାର୍ଯ୍ୟ ତୁଲାଇଥିଲେ। ସମିତି ତରଫରୁ ଭକ୍ତ ମାନଙ୍କ ନିମନ୍ତେ ଅର୍ଣ୍ଣ ପ୍ରସାଦର ଆୟୋଜନ କରାଯିବା ସହ ସାନ୍ଧ୍ୟରେ ସନ୍ଧ୍ୟା ଆଳୋତୀ ଓ ଆଳୋତୀ ଭୋଗ ବଣ୍ଟନ କରାଯାଇଥିଲା ଏଥିସହ ଆଧ୍ୟାତ୍ମିକ ସମ୍ପର୍କିତ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଉକ୍ତ କାର୍ଯ୍ୟକ୍ରମ ଗୁଡିକୁ ସତ୍ୟସାଇ ସେବା ସମିତିର ଭି. ଏଙ୍କେଟି ରାଓ,ଉଦୟ ଦେୱକାର,ଚାଣ୍ଟି, ଉମା ପାତ୍ର,କେ.ନାଗାରାଜୂ,ପ୍ରଦୀପ, ସଂଜିବିନି ନାଇଡ଼ୁ,ଦୁଃଖିଶ୍ୟାମ ସୁବୁଦ୍ଧି, ବାଲାଜୀ, ସିପୁନ ଓ ମହିଳା ସମିତିର ଭି.ସୌଜନ୍ୟା, ସରିତା ପାତ୍ର,ପୁଷ୍ପାବେଣୀ ପଟ୍ଟନାୟକ, ସଞ୍ଜନା ଚୌଧୁରୀ, ମିନତୀ ନନ୍ଦ, କେ.ନିର୍ମଳା ପ୍ରମୁଖଙ୍କ ସମେତ ଅନ୍ୟ ସଦସ୍ୟ ସଦସ୍ୟା ମାନେ ଉପସ୍ଥିତ ରହି ପରିଚାଳନା ଓ ସହଯୋଗ କରିଥିଲେ l


