ଏସ୍ସିବିରେ ଦୁଇଦିନିଆ ମେଡିଭିଜନ୍ ରାଜ୍ୟସ୍ତରୀୟ ସମ୍ମିଳନୀ
କଟକ, (ଓ୍ବାଇଏନଏସ): ଡାକ୍ତରୀ ଶିକ୍ଷା ସହିତ ବ୍ୟବହାରିକ ଜ୍ଞାନ, ଦକ୍ଷତା ବିକାଶ ଓ ନେତୃତ୍ୱ ଗଠନକୁ ଗୁରୁତ୍ୱ ଦେଇ କଟକ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲ ପରିସରରେ ଆୟୋଜିତ ହେବ ଦୁଇଦିନିଆ ‘ମେଡିଭିଜନ୍ ଓଡ଼ିଶା ରାଜ୍ୟସ୍ତରୀୟ ସମ୍ମିଳନୀ-୨୦୨୬’। ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି)ର ମେଡିକାଲ ଓ ଡେଣ୍ଟାଲ୍ ଶାଖା ମେଡିଭିଜନ୍ ପକ୍ଷରୁ ନଭେମ୍ବର ୨୮ ଓ ୨୯ ତାରିଖରେ ଏହି ସମ୍ମିଳନୀ ଅନୁଷ୍ଠିତ ହେବ। ଏଥିରେ ରାଜ୍ୟର ବିଭିନ୍ନ ମେଡିକାଲ ଓ ଡେଣ୍ଟାଲ୍ କଲେଜର MBBS, BDS ଏବଂ PG ଛାତ୍ରଛାତ୍ରୀ ଯୋଗଦେବେ। ନଭେମ୍ବର ୨୮ ତାରିଖରେ ସମ୍ମିଳନୀର ଉଦ୍ଘାଟନୀ କାର୍ଯ୍ୟକ୍ରମ ରହିଛି। ଏଥିରେ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର ଏବଂ ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି ମନ୍ତ୍ରୀ ଡା. ମୁକେଶ ମହାଲିଙ୍ଗ ମୁଖ୍ୟ ଅତିଥି ଭାବେ ଯୋଗଦେବା ସହ ସମ୍ମିଳନୀର ଶୁଭାରମ୍ଭ କରିବେ। ଡାକ୍ତରୀ ଛାତ୍ରଛାତ୍ରୀଙ୍କୁ ପାଠ୍ୟକ୍ରମ ବାହାରେ ବ୍ୟବହାରିକ ଚିକିତ୍ସା ଜ୍ଞାନ ପ୍ରଦାନ ଏହି କାର୍ଯ୍ୟକ୍ରମର ଅନ୍ୟତମ ଉଦ୍ଦେଶ୍ୟ। ଏଥିପାଇଁ ବିଭିନ୍ନ ବିଷୟକୁ ନେଇ Hands-on Skill Development Workshop ଆୟୋଜନ କରାଯିବ। ଏହା ମାଧ୍ୟମରେ ଛାତ୍ରଛାତ୍ରୀମାନେ ଚିକିତ୍ସା କ୍ଷେତ୍ରର ଆବଶ୍ୟକୀୟ କୌଶଳ ସମ୍ପର୍କରେ ପ୍ରତ୍ୟକ୍ଷ ଅଭିଜ୍ଞତା ହାସଲ କରିବାର ସୁଯୋଗ ପାଇବେ। ସମ୍ମିଳନୀରେ ଆୟୋଜିତ ହେବାକୁ ଥିବା ‘Role Model Session’ ମଧ୍ୟ ବିଶେଷ ଆକର୍ଷଣ ରହିବ। ଏଥିରେ ଶିକ୍ଷାବିତ୍ ତଥା ମେଡିକାଲ୍ ଏଣ୍ଟ୍ରାନ୍ସ ପରୀକ୍ଷା ପ୍ରସ୍ତୁତି କ୍ଷେତ୍ରରେ ଅଭିଜ୍ଞ ମୁକେଶ ଭାଟିଆ ଏବଂ ବିଶିଷ୍ଟ ଡାକ୍ତର ଡା. ଶଙ୍କର ରାମଚନ୍ଦାନୀଙ୍କ ସମେତ ବିଭିନ୍ନ ଦୁର୍ଗମ ଅଞ୍ଚଳରେ ସେବା ଯୋଗାଇ ଆସୁଥିବା ଡାକ୍ତରମାନେ ନିଜ ଅଭିଜ୍ଞତା ବାଣ୍ଟିବେ। ଡାକ୍ତରୀ ପେଶାର ଚ୍ୟାଲେଞ୍ଜ, ରୋଗୀ ସେବା, ସାମାଜିକ ଦାୟିତ୍ୱବୋଧ ଏବଂ ଶିକ୍ଷାକ୍ଷେତ୍ରରେ ସଫଳତା ପାଇଁ ଆବଶ୍ୟକ ଅଧ୍ୟୟନ ପ୍ରଣାଳୀ, ସମୟ ପରିଚାଳନା ଓ ଯୋଜନାବଦ୍ଧ ପ୍ରସ୍ତୁତି ଉପରେ ଆଲୋଚନା ହେବ। ଏହାଦ୍ୱାରା ଛାତ୍ରଛାତ୍ରୀମାନେ ଜଣେ ଦକ୍ଷ ଡାକ୍ତର ହେବା ସହ ଜଣେ ସମ୍ବେଦନଶୀଳ ଓ ଦାୟିତ୍ୱବାନ ନାଗରିକ ଭାବେ ନିଜକୁ ଗଢ଼ିବାକୁ ପ୍ରେରଣା ପାଇବେ। ସେହିପରି ‘Beyond the White Coat’ ଶୀର୍ଷକରେ ଏକ ସ୍ୱତନ୍ତ୍ର ପ୍ୟାନେଲ୍ ଆଲୋଚନା ଆୟୋଜନ କରାଯିବ। ଡାକ୍ତରୀ ଶିକ୍ଷା ଓ ଚିକିତ୍ସା ସେବା ବ୍ୟତୀତ ଜଣେ ଡାକ୍ତରଙ୍କ ସାମାଜିକ ଭୂମିକା, ନେତୃତ୍ୱ ଦକ୍ଷତା, ବ୍ୟକ୍ତିତ୍ୱ ବିକାଶ ଏବଂ ସମାଜ ପ୍ରତି ଅବଦାନ ଏହି ଆଲୋଚନାର ପ୍ରମୁଖ ବିଷୟ ରହିବ। ଅନ୍ୟପକ୍ଷରେ, ରାଜ୍ୟର ବିଭିନ୍ନ ମେଡିକାଲ କଲେଜର ଛାତ୍ର ସଂସଦ ସଭାପତି ଓ ସାଧାରଣ ସମ୍ପାଦକମାନେ ମଧ୍ୟ ଏହି ସମ୍ମିଳନୀରେ ସାମିଲ ହେବେ। ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସମସ୍ୟା, ବିଭିନ୍ନ ଦାବି ଏବଂ ଶୈକ୍ଷିକ ପରିବେଶରେ ରହିଥିବା ଆବଶ୍ୟକତା ଉପରେ ମତ ବିନିମୟ କରାଯିବ। ଏଥିପାଇଁ ଏକ ଡ୍ରାଫ୍ଟିଂ ଟିମ୍ ଗଠନ କରାଯାଇ ସମସ୍ୟା ଓ ଦାବିଗୁଡ଼ିକୁ ନେଇ ଏକ ଖସଡ଼ା ପ୍ରସ୍ତୁତ କରାଯିବ। ପରେ ଏହା ଉପରେ ସମସ୍ତ ପ୍ରତିନିଧିଙ୍କ ମଧ୍ୟରେ ବିସ୍ତୃତ ଆଲୋଚନା ହେବ। ରାଜ୍ୟର ଡାକ୍ତରୀ ଛାତ୍ର ସମାଜକୁ ଏକ ମଞ୍ଚରେ ଏକତ୍ରିତ କରିବା ସହ ଜ୍ଞାନ ଆଦାନପ୍ରଦାନ, ଦକ୍ଷତା ବିକାଶ, ନେତୃତ୍ୱ ଗଠନ ଓ ସାମାଜିକ ସଚେତନତା ବୃଦ୍ଧିରେ ଏହି ସମ୍ମିଳନୀ ସହାୟକ ହେବ ବୋଲି ଆୟୋଜକଙ୍କ ପକ୍ଷରୁ ଆଶା ପ୍ରକାଶ କରାଯାଇଛି।


