୭ ଦଫା ଦାବି ନେଇ ଅଙ୍ଗନବାଡ଼ି ୱାର୍କର୍ସ ୟୁନିୟନ ପକ୍ଷରୁ ବିକ୍ଷୋ

ହାଟଡିହି, (ଓ୍ବାଇଏନଏସ): ସାତ ଦଫା ନ୍ୟାର୍ଯ୍ୟ ଦାବି ପୂରଣ ନେଇ ଅଲ୍ ଓଡ଼ିଶା ଅଙ୍ଗନବାଡ଼ି ୱାର୍କର୍ସ ୟୁନିୟନ ପକ୍ଷରୁ ଆଜି ହାଟଡିହି ବ୍ଲକ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଏହି ୟୁନିୟନର ଡାକରାରେ ଶତାଧିକ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଏକଜୁଟ ହୋଇ ସରକାରଙ୍କ ନିକଟରେ ସେମାନଙ୍କ ଦାବି ଉପସ୍ଥାପନ କରିଛନ୍ତି। ବ୍ଲକ ସଭାପତି କନକଲତା ଜେନା, ସମ୍ପାଦିକା କନକଲତା ସାମଲ,  ଭାରତୀୟ ମଜଦୁର ସଂଘର ବରିଷ୍ଠ ଉପଦେଷ୍ଟା କାମପାଳ ନାୟକ, ସତ୍ୟଭାମା ଖଟୁଆ, ମଞ୍ଜୁଲତା ବିଶ୍ୱାଳ, ପ୍ରମିଳା ଖଣ୍ଡେଇ, ଅବନୀ ବରାଳ, ଗାୟତ୍ରୀ ବେହେରା, ଅନୁପମା ପ୍ରଧାନ, ମିନତୀ ରାଉତ ଓ ସରୋଜିନୀ ପାଢ଼ୀଙ୍କ ନେତୃତ୍ୱରେ ଶହ ଶହ କର୍ମୀ ଏହି ଆନ୍ଦୋଳନରେ ସାମିଲ ହୋଇଥିଲେ। ମଧ୍ୟାହ୍ନରେ ଅଣା ଛକଠାରୁ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସେମାନେ ହାଟଡିହି ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ସରକାରଙ୍କ ବିରୋଧରେ ନାରାବାଜି କରିବା ସହ ଦାବିଗୁଡ଼ିକ ତୁରନ୍ତ ପୂରଣ କରିବାକୁ ଦାବି ଜଣାଇଥିଲେ। ୟୁନିୟନ ପକ୍ଷରୁ ଉଠାଯାଇଥିବା ପ୍ରମୁଖ ଦାବି ମଧ୍ୟରେ ସମନ୍ୱିତ ଶିଶୁ ବିକାଶ ପ୍ରକଳ୍ପରେ କାର୍ଯ୍ୟରତ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ, ମାନ୍ୟତା ନ ମିଳିବା ପର୍ଯ୍ୟନ୍ତ କର୍ମୀଙ୍କୁ ମାସିକ ୩୦ ହଜାର ଓ ସହାୟିକାଙ୍କୁ ୧୫ ହଜାର ଟଙ୍କା ପାରିଶ୍ରମିକ ପ୍ରଦାନ ଆଦି ରହିଛି। ସେହିପରି ଉଚ୍ଚତମ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ସମସ୍ତ ଅଙ୍ଗନବାଡ଼ି କର୍ମୀ ଓ ସହାୟିକାଙ୍କୁ ଗ୍ରାଚ୍ୟୁଇଟି ପ୍ରଦାନ, ଅବସରକାଳୀନ ସାମାଜିକ ସୁରକ୍ଷା ଅନୁଗ୍ରହ ରାଶି କର୍ମୀଙ୍କ ପାଇଁ ୧୦ ଲକ୍ଷ ଓ ସହାୟିକାଙ୍କ ପାଇଁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି, ୨୦୨୪ ନିର୍ବାଚନ ଇସ୍ତାହାରରେ ଘୋଷିତ ପାରିଶ୍ରମିକ ବୃଦ୍ଧିକୁ ତୁରନ୍ତ ଲାଗୁ କରିବା ଏବଂ ଅଙ୍ଗନବାଡ଼ି କର୍ମୀଙ୍କ ସୁପରଭାଇଜର ପଦକୁ ପଦୋନ୍ନତି ପ୍ରକ୍ରିୟା ନିୟମିତ କରିବା ଆଦି ଦାବି ରହିଛି। ଏଥିସହ ସହାୟିକାମାନଙ୍କ ପଦୋନ୍ନତିରେ ବାଧକ ସାଜୁଥିବା ବୟସ ସୀମାକୁ ଉଚ୍ଛେଦ କରିବାକୁ ମଧ୍ୟ ୟୁନିୟନ ଦାବି କରିଛି। ଏହି ସାତ ଦଫା ଦାବି ପ୍ରତି ସରକାର ତୁରନ୍ତ ଗୁରୁତ୍ୱ ଦେଇ ପଦକ୍ଷେପ ନ ନେଲେ ଆଗାମୀ ଦିନରେ ଛୁଟିରେ ରହି ଆନ୍ଦୋଳନକୁ ଆହୁରି ତୀବ୍ରତର କରାଯିବା ସହ ବିଧାନସଭା ଘେରାଉ କରାଯିବ ବୋଲି ଆନ୍ଦୋଳନକାରୀମାନେ ଚେତାବନୀ ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ