ବାଲିଯାତ୍ରାରେ ପୁଣି ଅଘଟଣ: ଦୋଳିରୁ ଖସି ଜଣେ ମୃତ, ଅନ୍ୟ ଜଣେ ଗୁରୁତର

କଟକ,(ଓ୍ବାଇଏନଏସ): ଐତିହାସିକ ବାଲିଯାତ୍ରାରେ ପୁଣି ଘଟିଛି ଅଭାବନୀୟ ଘଟଣା। ଦୋଳିରୁ ଖସିପଡ଼ି ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି। କଟକ ଇନ୍ କଟକ ନିକଟରେ ଗତକାଲି ପ୍ରବଳ ଭିଡ଼ ମଧ୍ୟରେ ଏହି ଦୁର୍ଘଟଣା ଘଟିଥିଲା। ଦୋଳିରୁ ଦୁଇ ଜଣ ତଳକୁ ଖସିପଡ଼ିବା ପରେ ଉଭୟଙ୍କୁ ଉଦ୍ଧାର କରି ତୁରନ୍ତ କଟକ ବଡ ମେଡିକାଲ (ଏସସିବି) କୁ ନିଆଯାଇଥିଲା। ହେଲେ ଚିକିତ୍ସାଧୀନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି। ଅନ୍ୟ ଜଣଙ୍କ ଅବସ୍ଥା ଗୁରୁତର ଥିବା ପୋଲିସ ସୂତ୍ରରୁ ଜଣାପଡ଼ିଛି। ଏଯାଏଁ ମୃତକଙ୍କ ପରିଚୟ ଜଣାପଡ଼ିନାହିଁ। ଏହି ଘଟଣା ପରେ ବାଲିଯାତ୍ରାରେ ଭିଡ଼ ନିୟନ୍ତ୍ରଣ ଓ ଦୋଳିର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନ ଉଠିଛି। ବାଲିଯାତ୍ରାରେ ଲଗାତାର ଘଟୁଥିବା ଅଘଟଣ ମେଳାର ସୁରକ୍ଷା ବ୍ୟବସ୍ଥାକୁ ନେଇ ଚିନ୍ତା ବଢ଼ାଇଛି। ପୂର୍ବରୁ ଡ୍ୟୁଟିରେ ଥିବା ଜଣେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ, ମହାନଦୀରେ ବୁଡ଼ି ଜଣଙ୍କ ଜୀବନ ଯିବା ଏବଂ ଉଦ୍‌ଘାଟନୀ ସନ୍ଧ୍ୟାରେ ଜଣେ ବ୍ୟକ୍ତି ଗୁରୁତର ହେବା ଭଳି ଘଟଣା ଘଟିସାରିଛି। ଏହାପରେ ପୁଣି ଦୋଳି ଦୁର୍ଘଟଣାରେ ଜଣଙ୍କ ଜୀବନ ଯିବା ଆୟୋଜନ ଓ ସୁରକ୍ଷା ପରିଚାଳନାକୁ ନେଇ ଗମ୍ଭୀର ପ୍ରଶ୍ନ ସୃଷ୍ଟି କରିଛି। ଅନ୍ୟପକ୍ଷରେ, ଜନସାଧାରଣଙ୍କ ସୁରକ୍ଷାକୁ ଗୁରୁତ୍ୱ ଦେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ବାଲିଯାତ୍ରା ପଡ଼ିଆରେ ସମସ୍ତ ଦୋଳି ଓ ବିଭିନ୍ନ ରାଇଡ୍‌ର ଚଳାଚଳକୁ ସାମୟିକ ଭାବେ ସ୍ଥଗିତ ରଖାଯାଇଥିଲା। ସମସ୍ତ ଦୋଳିର ସୁରକ୍ଷା ଯାଞ୍ଚ ଓ ଆବଶ୍ୟକ ପ୍ରମାଣପତ୍ର ପ୍ରଦାନ ପରେ ପୁଣି ଚଳାଚଳ ସ୍ୱାଭାବିକ ହୋଇଥିଲା। ଏନେଇ ଅପରାହ୍ନରେ ଦୋଳି ଆସୋସିଏସନ୍‌ର ସଦସ୍ୟମାନଙ୍କ ସହ ଅତିରିକ୍ତ ଜିଲ୍ଲାପାଳ କମଲଜିତ ଦାସ ଆଲୋଚନା କରିଥିଲେ। ଏହି ବୈଠକରେ ପ୍ରତ୍ୟେକ ଦୋଳି ଓ ରାଇଡ୍‌ରେ ମାନକ ଚଳାଚଳ ପଦ୍ଧତି (SOP) କଡ଼ାକଡ଼ି ପାଳନ କରିବା ସହ ସୁରକ୍ଷା ନିୟମ ଅନୁସରଣ କରିବାକୁ ସୁନିଶ୍ଚିତ କରାଯାଇଥିଲା। ପ୍ରଶାସନ ପକ୍ଷରୁ ଦୋଳିରେ ବସି ରିଲ୍ସ କରିବା, ସେଲ୍ଫି ନେବା, ଗୋଟିଏ କ୍ୟାବିନ୍‌ରେ ଧାର୍ଯ୍ୟ କ୍ଷମତାଠାରୁ ଅଧିକ ଲୋକ ବସିବା ଏବଂ ଗୋଟିଏ କ୍ୟାବିନ୍‌ରୁ ଅନ୍ୟ କ୍ୟାବିନ୍‌କୁ ଡେଇଁବା ଭଳି ବିପଜ୍ଜନକ କାର୍ଯ୍ୟରୁ ନିବୃତ୍ତ ରହିବାକୁ ଲୋକଙ୍କୁ ଅନୁରୋଧ କରାଯାଇଛି। ଏଥିସହ ନିଶା ସେବନ କରି ଦୋଳିରେ ଚଢ଼ିବାକୁ ମଧ୍ୟ ବାରଣ କରାଯାଇଛି। ଦୋଳି ପରିଚାଳନା ସମୟରେ ନିର୍ଦ୍ଧାରିତ ନିୟମ ଓ ସୁରକ୍ଷା ମାନଦଣ୍ଡ ପାଳନ କରିବାକୁ ଆୟୋଜକମାନଙ୍କୁ ପରାମର୍ଶ ଦିଆଯାଇଛି। ତେବେ ଲଗାତାର ଦୁର୍ଘଟଣା ପରେ କେବଳ ଯାଞ୍ଚ ଓ ପ୍ରମାଣପତ୍ର ନୁହେଁ, ବରଂ ନିୟମର କଡ଼ା ତଦାରଖ ଓ ଭିଡ଼ ନିୟନ୍ତ୍ରଣ ଉପରେ ମଧ୍ୟ ଗୁରୁତ୍ୱ ଦେବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଛି। ବାଲିଯାତ୍ରାର ଆନନ୍ଦ ନେବା ସହ ନିଜ ଜୀବନ ଓ ସୁରକ୍ଷା ପ୍ରତି ସଚେତନ ରହିବାକୁ ପ୍ରଶାସନ ଜନସାଧାରଣଙ୍କୁ ଅପିଲ୍ କରିଛି। ସୁରକ୍ଷିତ ଓ ଶୃଙ୍ଖଳିତ ଭାବେ ମେଳା ଉପଭୋଗ କରିବା ପାଇଁ ସମସ୍ତଙ୍କ ସହଯୋଗ କାମନା କରାଯାଇଛି। ତେବେ ଏହି ଦୁର୍ଘଟଣାର ପ୍ରକୃତ କାରଣ କ’ଣ ଏବଂ ଦୋଳି ପରିଚାଳନାରେ କୌଣସି ଅବହେଳା ହୋଇଥିଲା କି ନାହିଁ, ତାହା ତଦନ୍ତ ପରେ ସ୍ପଷ୍ଟ ହେବ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ