ବନ୍ଧୁକ ମୁନରେ ଲୁଟ୍‌ ଘଟଣାର ପର୍ଦ୍ଦାଫାସ: ୭ ଅଭିଯୁକ୍ତ ଗିରଫ

କୋରାପୁଟ,  (ହେମନ୍ତ ପାଣିଗ୍ରାହୀ) : କେରାପୁଟ ଜିଲ୍ଲା କାକିରିଗୁମ୍ମା ଅଞ୍ଚଳରେ ଏକ ଘରୋଇ ବିଦ୍ୟୁତ୍‌ କମ୍ପାନୀର କ୍ୟାମ୍ପ ଉପରେ ସଂଘଟିତ ସଶସ୍ତ୍ର ଲୁଟ୍‌ ଘଟଣାର ପର୍ଦ୍ଦାଫାସ କରିବାରେ କାକିରିଗୁମ୍ମା ପୋଲିସକୁ ମିଳିଛି ବଡ଼ ସଫଳତା। ଦୀର୍ଘ ତଦନ୍ତ ଓ ତଥ୍ୟଭିତ୍ତିକ ଅନୁସନ୍ଧାନ ପରେ ଏହି ଲୁଟ୍‌ ଘଟଣାରେ ସମ୍ପୃକ୍ତ ୭ ଜଣଙ୍କୁ ପୋଲିସ ଗିରଫ କରିଛି। ଅଭିଯୁକ୍ତଙ୍କ ନିକଟରୁ ଦୁଇଟି ଦେଶୀ ବନ୍ଧୁକ, ବିପୁଳ ପରିମାଣର ଚୋରି ତମ୍ବା ତାର ସମେତ ଲୁଟ୍‌ରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଜବତ ହୋଇଛି। ଏହି ଘଟଣାରେ ଏକ କାର୍‌, ବାଇକ୍‌ ଓ ସ୍କୁଟି ମଧ୍ୟ ପୋଲିସ ଜବତ କରିଛି। ପୋଲିସ ସୂତ୍ରରୁ ପ୍ରକାଶ ଯେ, କାକିରିଗୁମ୍ମା ନିକଟସ୍ଥ ଜଗତ ଜନନୀ ଢାବା ସଂଲଗ୍ନ ତ୍ରିମୂର୍ତ୍ତି ହିଟଲର କମ୍ପାନୀର କ୍ୟାମ୍ପରେ ଗତ ୧୮ ତାରିଖ ରାତିରେ ଏହି ଦୁଃସାହସିକ ଲୁଟ୍‌ ଘଟିଥିଲା। ରାତି ପ୍ରାୟ ୧ଟା ୩୦ ମିନିଟ୍‌ ସମୟରେ ପ୍ରାୟ ୩୦ ଜଣ ଦୁର୍ବୃତ୍ତ ହଠାତ୍‌ କ୍ୟାମ୍ପ ପରିସରରେ ପ୍ରବେଶ କରିଥିଲେ। ସେମାନେ ବନ୍ଧୁକ ଦେଖାଇ ସେଠାରେ କାର୍ଯ୍ୟରତ ଶ୍ରମିକମାନଙ୍କୁ ଭୟଭୀତ କରିବା ସହ ଆତଙ୍କର ବାତାବରଣ ସୃଷ୍ଟି କରିଥିଲେ। ପରେ କ୍ୟାମ୍ପରେ ଗଚ୍ଛିତ ଥିବା ବିପୁଳ ପରିମାଣର ତମ୍ବା ତାର ଓ କେବୁଲ ଲୁଟି ନେଇ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲେ। ଏନେଇ କମ୍ପାନୀର ସୁପରଭାଇଜର ଡି. ଶ୍ରୀନିବାସ ରାଓ ନଭେମ୍ବର ୧୯ ତାରିଖରେ କାକିରିଗୁମ୍ମା ଥାନାରେ ଲିଖିତ ଏତଲା ଦାଖଲ କରିଥିଲେ। ଏତଲାକୁ ଭିତ୍ତି କରି ପୋଲିସ କେସ୍‌ ନମ୍ବର ୧୦୩/୨୦୨୬ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିଲା। ଲୁଟ୍‌ ସମୟର ସିସିଟିଭି ଫୁଟେଜ୍‌ ଓ ଅନ୍ୟାନ୍ୟ ସୁରାକକୁ ଆଧାର କରି ପୋଲିସ ତଦନ୍ତକୁ ଆଗକୁ ବଢ଼ାଇଥିଲା। ଶେଷରେ ଏହି ଲୁଟ୍‌ ଘଟଣାରେ ସମ୍ପୃକ୍ତ ଦଶମନ୍ତପୁର ଅଞ୍ଚଳର ମୃତ୍ୟୁଞ୍ଜୟ ଖୋସଲା, ଧନେଶ୍ୱର ସାନ୍ତା, ଗୋବି ସାନ୍ତା, ମନୋଜ ବାଘ, ନନ୍ଦ ଖରା, କୁମା ଦିଶାରୀ ଓ ଲକ୍ଷ୍ମୀନାରାୟଣ ବିଶୋଇଙ୍କୁ ଗିରଫ କରିବାରେ ସଫଳ ହୋଇଥିଲା। ଗିରଫଙ୍କ ମଧ୍ୟରୁ ଜଣେ ଲୁଟ୍‌ ହୋଇଥିବା ତମ୍ବା ତାର କିଣିବା ଅଭିଯୋଗରେ ଧରାପଡ଼ିଥିବା ଜଣାପଡ଼ିଛି। ଅଭିଯୁକ୍ତମାନଙ୍କ ନିକଟରୁ ଗୋଟିଏ ରେନୋଲ୍ଟ ଟ୍ରାଇବର କାର୍‌, ଗୋଟିଏ ହିରୋ ଏଚ୍‌ଏଫ୍‌ ଡିଲକ୍ସ ବାଇକ୍‌ ଓ ଗୋଟିଏ ସ୍କୁଟି ଜବତ କରାଯାଇଛି। ସେହିପରି ୩୨୩ କିଲୋଗ୍ରାମ ତମ୍ବା ତାର, ପ୍ରାୟ ୧୮୦ କିଲୋଗ୍ରାମ କଟା ତମ୍ବା ତାର, ଦୁଇଟି ଦେଶୀ ବନ୍ଧୁକ, ୭ଟି ମୋବାଇଲ ଫୋନ୍‌, ଦୁଇଟି କଟିଂ ବ୍ଲେଡ୍‌, ଦୁଇଟି ଲୁହା ରଡ୍‌, ଗୋଟିଏ ପାଇପ୍‌ ଓ ଦୁଇଟି କାଠ ଠେଙ୍ଗା ଜବତ ହୋଇଥିବା ଏସ୍‌ଡିପିଓ ମନୋଜ ବେହେରା ସୂଚନା ଦେଇଛନ୍ତି। କାକିରିଗୁମ୍ମା ଥାନା ଆଇଆଇସି ସୁଲୋଚନା ପ୍ରଧାନଙ୍କ ତତ୍ତ୍ୱାବଧାନରେ ଏହି ମାମଲାର ତଦନ୍ତ କରାଯାଇଥିଲା। ଗିରଫ ସମସ୍ତ ୭ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଥିବା ବେଳେ ଘଟଣାରେ ସମ୍ପୃକ୍ତ ଅନ୍ୟମାନଙ୍କୁ ମଧ୍ୟ ଖୁବ୍‌ଶୀଘ୍ର ଗିରଫ କରାଯିବ ବୋଲି ଏସ୍‌ଡିପିଓ ପ୍ରକାଶ କରିଛନ୍ତି। ପୋଲିସର ଏହି ସଫଳତା ପଛରେ ସିସିଟିଭି ଫୁଟେଜ୍‌ରୁ ମିଳିଥିବା ଗୁରୁତ୍ୱପୂର୍ଣ୍ଣ ସୁରାକ ଓ ନିରନ୍ତର ତଦନ୍ତ ପ୍ରମୁଖ ଭୂମିକା ଗ୍ରହଣ କରିଛି। ତେବେ ଏହି ଘଟଣାରେ ଆଉ କେଉଁମାନଙ୍କର ସମ୍ପୃକ୍ତି ରହିଛି, ସେନେଇ ପୋଲିସର ତଦନ୍ତ ଜାରି ରହିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ