ଶାଶୁ-ବୋହୂ ଝଗଡ଼ା, ମାମଲା ପହଞ୍ଚିଲା ଥାନାରେ
ହାଟଡିହି,(ଓ୍ବାଇଏନଏସ): ପରୀକ୍ଷାରେ ଝିଅ କମ୍ ନମ୍ବର ରଖିବାରୁ ଆରମ୍ଭ ହେଲା କଳହ। ଶେଷରେ ଥାନାରେ ପହଞ୍ଚିଲା ପରିବାର କଳହ। ରବିବାର ପୁଲିସର ହସ୍ତକ୍ଷେପ ପରେ ଘଟଣା ସମାଧାନ ହୋଇଛି l ତଦନ୍ତକାରୀ ଅଧିକାରିଣୀ ତ୍ରିପୁରା ପ୍ରିୟଦର୍ଶିନୀ କହିଛନ୍ତି ପାରିବାରିକ କଳହ ମାମଲା ହୋଇଥିବାରୁ ପ୍ରାଥମିକ ଅବସ୍ଥାରେ ମାମଲା ପଞ୍ଜିକରଣ ହୋଇନି l ଅଭିଯୋଗ ଆଧାରରେ ଘଟଣାର ତର୍ଜମା କରାଯାଇଥିଲା l ଶାଶୁ, ବୋହୂ ଉଭୟଙ୍କ ମଧ୍ୟରେ ଉପୁଜିଥିବା ଅଶାନ୍ତି ସମାଧାନ ହୋଇଛି l ଏଥିସହ ଏପରି ଘଟଣାର ପୁନରାବୃତ୍ତି ନକରିବାକୁ ସତର୍କ ମଧ୍ୟ କରାଯାଇଛି l ତେବେ ଅଭିଯୋଗ ଅନୁସାରେ କେନ୍ଦୁଝର ଜିଲ୍ଲା ନନ୍ଦିପଦା ଥାନା ଓରାଳି ଗ୍ରାମର ଜଣେ ଛାତ୍ରୀ ପରୀକ୍ଷାରେ କମ୍ ନମ୍ବର ରଖିଥିଲା। ଏହାକୁ ନେଇ ଗତ ଶନିବାର ମା’ ନିଜ ଝିଅକୁ କମ୍ ନମ୍ବର ରଖିବାର କାରଣ ପଚାରିବା ସହ ଅସନ୍ତୋଷ ପ୍ରକାଶ କରିଥିଲେ l ଏହା ଦେଖି ଜେଜେମା ଲଳିତା ସହି ପାରିଲେ ନାହିଁ। ନାତୁଣୀ ସମର୍ଥନରେ ବାହାରି ବୋହୂଙ୍କୁ ପ୍ରତିବାଦ କରିଥିଲେ। ଫଳରେ ଉଭୟଙ୍କ ମଧ୍ୟରେ ଝଗଡ଼ା ଉଗ୍ର ରୂପ ନେଇଥିଲା। ଶେଷରେ ଶାଶୁ-ବୋହୂ ଉଭୟ କାମୁଡା-କାମୁଡି ହୋଇ ଆହତ ହୋଇଥିଲେ l ଶାଶୁ ଥାନାରେ ଦ୍ୱାରସ୍ଥ ହୋଇଥିଲେ। ପୁଲିସ ଅଭିଯୁକ୍ତ ବୋହୂଙ୍କୁ ଥାନାକୁ ଡକାଇ ଘଟଣା ବିଷୟରେ ପଚାରି ବୁଝିଥିଲା। ଏହି ପଚରାଉଚରା ସମୟରେ ଶାଶୁ, ଶଶୁର ଏବଂ ବୋହୂ ତିନି ଜଣ ଉପସ୍ଥିତ ଥିଲେ। ପୋଲିସ ଉଭୟଙ୍କୁ ବୁଝାସୁଝା କରି ବିବାଦର ସମାଧାନ କରିଥିବା ଜଣା ଯାଇଛି।


