ବେଆଇନ କରତକଳ ଉପରେ ଚଢ଼ାଉ ନାମିଦାମୀ କାଠ ସହ ଯନ୍ତ୍ରାଂଶ ଜବତ
ଧାମନଗର (ଓ୍ବାଇଏନଏସ): ଆକ୍ସନ ମୋଡ଼ରେ ରେଞ୍ଜର ଅଫିସର। ଧାମନଗର ବନାଞ୍ଚଳ କାର୍ଯ୍ୟାଳୟରେ ନୂତନ ଅଧିକାରୀ କ୍ଷୀରୋଦ ଚନ୍ଦ୍ର ସିଂ ଯୋଗ ଦେବା ପରେ କାଠ ମାଫିଆଙ୍କ ମଧ୍ୟରେ ଭୟର ବାତାବରଣ ସୃଷ୍ଟି କରିଛି।ଶନିବାର ସକାଳୁ ସକାଳୁ ଧାମନଗର ବନାଞ୍ଚଳ ଅଧୀନ ଧୁଷୁରୀ ଅଞ୍ଚଳରେ ବିନା ଲାଇସେନ୍ସରେ ବେଆଇନ ଭାବେ ଚାଲୁଥିବା କରତକଳ ଉପରେ ବନବିଭାଗ ଓ ପୋଲିସ ମିଳିତ ଚଢ଼ାଉ କରି ନାମିଦାମୀ କାଠ ସହ ଯନ୍ତ୍ରାଂଶ ଜବତ କରିଛନ୍ତି। ଚଢ଼ଉ ସମୟରେ ପ୍ରାୟ ୪୦ ସିଏଫ୍ଟି ନାମିଦାମୀ କାଠ ସହ କରତକଳର ବିଭିନ୍ନ ଯନ୍ତ୍ରାଂଶ ଜବତ କରାଯାଇଛି। ଜବତ କାଠ ଓ ଯନ୍ତ୍ରାଂଶର ଆନୁମାନିକ ମୂଲ୍ୟ ଲକ୍ଷାଧିକ ଟଙ୍କା ହେବ ବୋଲି ଜଣାପଡ଼ିଛି। ତେବେ ଭଦ୍ରକ ଡିଏଫ୍ଓ ଅରୁଣ କୁମାର ବିଶ୍ୱାଳଙ୍କ ନିର୍ଦ୍ଦେଶକ୍ରମେ ଧାମନଗର ରେଞ୍ଜ ଅଫିସର କ୍ଷୀରୋଦ ଚନ୍ଦ୍ର ସିଂଙ୍କ ନେତୃତ୍ବରେ ବନବିଭାଗର ଏକ ସ୍ବତନ୍ତ୍ର ଟିମ୍ ଏହି ଚଢ଼ଉ କରିଥିଲା। ଦୀର୍ଘଦିନ ଧରି ବିନା ଅନୁମତିରେ କରତକଳ ଚାଲୁଥିବା ନଇ ଖବର ପାଇବା ପରେ ବନବିଭାଗ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ଜଣାପଡ଼ିଛି। ଚଢ଼ଉ ବେଳେ କରତକଳରେ ଥିବା କାଠ ଓ କାଠ କାଟିବାରେ ବ୍ୟବହୃତ ବିଭିନ୍ନ ଯନ୍ତ୍ରାଂଶକୁ ଗ୍ୟାସ କଟରରେ କାଟି ଜବତ କରାଯାଇଥିଲା। ଏହି ଚଢ଼ଉରେ ରେଞ୍ଜ ଅଫିସର କ୍ଷୀରୋଦ ଚନ୍ଦ୍ର ସିଂ,ଫରେଷ୍ଟର ବସନ୍ତ ମାଝୀ,ଭଣ୍ଡାରିପୋଖରୀର ସୂର୍ଯ୍ୟକାନ୍ତ ପଣ୍ଡା,ମଧୁସ୍ମିତା ମହାନ୍ତି ଓ ଦେବାଶିଷ ପଣ୍ଡାଙ୍କ ସମେତ ଫରେଷ୍ଟ ଗାର୍ଡ ପୀତବାସ ଶଙ୍ଖୁଆ,ପ୍ରଦୀପ ନାୟକ,ସୁବାସିନୀ ସ୍ବାଇଁ, ଲିପିକା ଦାସ,ଧୀରେନ ଜେନା,ମଧୁସ୍ମିତା ଦାସ ଓ ରେବତୀ ତ୍ରିପାଠୀ ସାମିଲ ଥିଲେ। ଏଥିସହ ଧୁଷୁରୀ ଥାନା ପୁଲିସ ମଧ୍ଯ ଚଢ଼ଉରେ ସହଯୋଗ କରିଥିଲେ। ସାଧାରଣରେ ପ୍ରଶ୍ନ ଯେ” ବନବିଭାଗ ଆଖିରେ ଧୂଳିଦେଇ ରେଞ୍ଜ ଅଫିସ ଠାରୁ ମାତ୍ର ୫୦୦ ମିଟର ଦୂରରେ ବିନା ଲାଇସେନ୍ସରେ ବେଆଇନ କାଠ ଗୋଲା ଚାଲିଥିବା ବେଳେ ଧାମନଗର ବ୍ଲକ ଓ ସହରାଞ୍ଚଳରେ ଆହୁରି କେତେକ ଚୋରା କରତକଳ ଚାଲିଛି। ଏଥିସହିତ ବିଭିନ୍ନ ଗାଁଠାରୁ ଆରମ୍ଭ କରି ସହର ବଜାର ପର୍ଯ୍ୟନ୍ତ ଚୋରା କାଠ ଗୋଲା କରି କାଠର କଳା ବଜାରୀ ଚାଲିଛି। ଏ ସବୁ ସ୍ଥାନରେ କେବେ ଭଦ୍ରକ ଡିଏଫ୍ଓ ଏବଂ ରେଞ୍ଜ ଅଫିସରଙ୍କ ଦୃଷ୍ଟି ପଢିବ ତାହାକୁ ନେଇ ଜନସାଧାରଣଙ୍କ ମଧ୍ୟରେ ପ୍ରଶ୍ନବାଚୀ ସୃଷ୍ଟି କରିବା ସହିତ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି।


