ଆନ୍ଧ୍ରମୁହାଁ ଧାନ ବୋଝେଇ ଟ୍ରକ
କୋଦଳା,(ଯୁଗାବ୍ଦ ନ୍ୟୁଜ୍): ଗଞ୍ଜାମ ଜିଲ୍ଲା ବେଗୁନିଆପଡ଼ା ବ୍ଳକର ବହୁ ପଞ୍ଚାୟତରେ ଧାନ ମଣ୍ଡି ଖୋଲିବା ନେଇ ବିଳମ୍ବ ପରିଲକ୍ଷିତ ହେଉଥିବା ବେଳେ ଚାଷୀ ଋଣ ବୋଝ ରୁ ପାରିହେବା ପାଇଁ ଆନ୍ଧ୍ର ବେପାରୀ ମାନଙ୍କୁ ମାତ୍ର ୧୦୫୦ ଟଙ୍କା ରେ ଉତ୍ପାଦିତ ଧାନ କୁ ବିକିଦେଇଥିବା ଦେଖିବାକୁ ମିଳିଛି । ଯୋଗାଣ ବିଭାଗ ଗତ କିଛି ଦିନ ତଳେ ମିଲର ଓ ପାକସ ସମ୍ପାଦକ ମାନଙ୍କର ଏକ ବୈଠକ ଡକାଇ ଧାନ ବିକ୍ରି ସମ୍ବନ୍ଧରେ ସଚେତନତା ସୃଷ୍ଟି କରିବା ସହ ମଣ୍ଡି ଖୋଲି ଚାଷୀ ମାନଙ୍କର ଧାନ କିଣିବା ପାଇଁ ପରାମର୍ଶ ଦେଇଥିଲା । ତେବେ ଏଯାବତ ବହୁ ପଞ୍ଚାୟତରେ ଧାନ ମଣ୍ଡି ଖୋଲୁ ନଥିବା ଯୋଗୁଁ ଚାଷୀ ମାନେ ଅଭାବୀ ବିକ୍ରି ର ଶିକାର ହେଉଥିବା ଦେଖିବାକୁ ମିଳିଛି । ଧାନ କିଣିବା ପାଇଁ ଠିକ ସମୟ ରେ ଚାଷୀ ମାନଙ୍କ ପାଇଁ ଟୋକେନ ଜେନେରେଟ ହୋଇପାରୁନଥିବା ଯୋଗୁଁ ଧାନ କୀଣା ନେଇ ଅଚଳାବସ୍ଥା ଜାରି ରହିଛି । ବେଗୁନିଆପଡ଼ା ବ୍ଲକ କାର୍ୟ୍ୟାଳୟ ର ମାତ୍ର ୨କିଲୋ ମିଟର ଦୂର ମରିଗଲେଣ୍ଡି ଓ ତିରିଡା ଗ୍ରାମ ରେ କେତେଜଣ ଅଭାବୀ ଚାଷୀ ମାତ୍ର ୧୦୫୦ ଟଙ୍କା ରେ ଆନ୍ଧ୍ର ବେପାରୀଙ୍କ ହାତ ରେ ଟେକି ଦେଉଥିବା ଦେଖିବାକୁ ମିଳିଛି । ତେବେ ସମଗ୍ର ବେଗୁନିଆପଡ଼ା ବ୍ଲକ ରେ ୮୦ ଭାଗ ରୁ ଉର୍ଧ ଧାନ କଟାଯାଇ ଅମଳ ହୋଇଥିବା ବେଳେ ୨୦ ଭାଗ ଧାନ ଖଳା ରେ ଚାଷୀ ମାନେ ଗାଦୀ ମାରି ରଖିଥିବା ଜଣାପଡିଛି । ବାରମ୍ବାର ରାଜ୍ୟ ସରକାର ଙ୍କ ଦୃଷ୍ଟି ଆକର୍ଷଣ କଲେ ମଧ୍ୟ ଗୋଦାମ ଓ କାର୍ୟ୍ୟାଳୟ ନିର୍ମାଣ ପ୍ରତି ଧ୍ୟାନ ଦିଆଯାଉନାହିଁ । କେବଳ ଖରିଫ ଋତୁ ଆସିଲେ ଗୋଦାମ ଓ କାର୍ୟ୍ୟାଳୟ କଥା ମାନେ ପଡେ । ଯାହାଫଳରେ ମଣ୍ଡି କୁ ଧାନ ନେଉଥିବା ଚାଷୀ ମାନେ ଖୋଲା ଆକାଶ ତଳେ ଖରା ବର୍ଷା ଶୀତ ରେ ଜଗିରହିବାକୁ ପଡିଥାଏ । ଏଣେ ଗତ ଖରିଫ ଋତୁ ର ଧାନ ସଂଗ୍ରହ ଅର୍ଥ ପ୍ରାୟ ୫୦ ଲକ୍ଷ ଟଙ୍କା ମିଲର ମାନଙ୍କର ସରକାର ଙ୍କ ଉପରେ ବକେୟା ଥିବା ଯୋଗୁଁ ସେମାନେ ଧାନ ଉଠାଇବା ପାଇଁ ଆଗ୍ରହ ପ୍ରକାଶ କରୁନାହାନ୍ତି । ଏଣେ ଚାଷୀ ମାନେ ଖଳା ରୁ ଧାନ ଉଠାଇବା ପାଇଁ ମିଲର ମାନଙ୍କ ଉପରେ ଚାପ ଦେଉଥିବାରୁ ଆବଶ୍ୟକ ଗମନାଗମନ ଓ ଗାଡି ଅପହଞ୍ଚ ଧାନ ଜମି ରୁ ଧାନ ଉଠାଇବା ପାଇଁ ମିଲର ମାନେ ଅନିଚ୍ଛା ପ୍ରକାଶ କରିଛନ୍ତି । ଚାଷୀ ବ୍ୟାଙ୍କ ମାନଙ୍କ ଠାରୁ ଖରିଫ ଋଣ ଆଣି ଶୁଝିବା ପାଇଁ ତତ୍ପର ହେଉଥିବା ବେଳେ ଆନ୍ଧ୍ର ଦଲାଲ ମାନଙ୍କର ହାତରେ ଅଭାବୀ ବିକ୍ରି ର ଶିକାର ହୋଇ ଛଟପଟ ହେଉଥିବା ବେଳେ ରାଜ୍ୟ ସରକାର ଙ୍କ ଦ୍ଵାରା ତଟକା ଭାବେ ଘୋଷଣା ହୋଇଥିବା ଚାଷୀ ସମୃଦ୍ଧି ଯୋଜନା କାହା ପାଇଁ ବୋଲି କୃଷକ ନେତା ମାନେ ସମାଲୋଚନା କରୁଛନ୍ତି । ଏଣେ ସରକାର ଙ୍କ ମଣ୍ଡି ବ୍ୟବସ୍ତା ବିପର୍ୟ୍ୟସ୍ଥ ହୋଇପଡିଥିବା ବେଳେ ଆନ୍ଧ୍ର ଦଲାଲ ଙ୍କ ନିକଟ ରେ ଚାଷୀ ଙ୍କୁ ଧାନ ବିକିବା ପାଇଁ ପରୋକ୍ଷ ଭାବେ ଉତ୍ସାହିତ କରାଯାଉଥିବା ଅଭିଯୋଗ ହେଉଛି । ଏଣେ ମଣ୍ଡି ଖାଁ ଖାଁ ଦିଶୁଥିବା ବେଳେ ଚାଷୀ ତାର ଫସଲ କୁ ଖଳା ମୁଂହ ରୁ କମ ଦର ରେ ବିକ୍ରି କରିଦେଉଥିବା ଦେଖିବାକୁ ମିଳୁଛି ।


