ପିଆଜ ପାଇଁ ଦରବୃଦ୍ଧି ହାର ୬ ବର୍ଷରେ ସର୍ବାଧିକ
ଭୁବନେଶ୍ୱର: ଘରୋଇ ଅର୍ଥ ବ୍ୟବସ୍ଥାରେ ଏବେ ମାନ୍ଦାବସ୍ଥା ଦେଖାଦେଇଥିବା ବେଳେ ଦରଦାମ୍ ବୃଦ୍ଧି ଚିନ୍ତାଜନକ ସ୍ଥିତିକୁ ଚାଲିଯାଇଛି । ଗତବର୍ଷ ଡିସେମ୍ବରରେ ଖୁଚୁରା ମୁଦ୍ରାସ୍ଫୀତି ୭.୩୫ ପ୍ରତିଶତକୁ ବୃଦ୍ଧି ପାଇଛି । ଗଲା ୬ ବର୍ଷ ମଧ୍ୟରେ ଏହା ସର୍ବାଧିକ ସ୍ତର । ୨୦୧୪ ଜୁଲାଇରେ ଏହା ୭.୩୯ ପ୍ରତିଶତ ରହିଥିଲା । ମୁଦ୍ରାସ୍ଫୀତିର ଏହି ସ୍ତର ରିଜର୍ଭ ବ୍ୟାଙ୍କର ଧାର୍ଯ୍ୟଲକ୍ଷ୍ୟରୁ ବିଚ୍ୟୁତ ହୋଇଛି ।
ଗତ ବର୍ଷ ଶେଷ ୩ ମାସରେ ପିଆଜ ଭଳି କେତେକ ଖାଦ୍ୟ ସାମଗ୍ରୀ ଦର ଆକାଶଛୁଆଁ ହେବାରୁ ଖୁଚୁରା ମୁଦ୍ରାସ୍ଫୀତି ବା ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (ସିପିଆଇ) ୭.୩୫ ପ୍ରତିଶତକୁ ବୃଦ୍ଧି ପାଇଛି । ଗତବର୍ଷ ନଭେମ୍ବରରେ ଏହା ୫.୫୪ ଥିଲା ବେଳେ ଅକ୍ଟୋବରରେ ୪.୬୩ ପ୍ରତିଶତ ରହିଥିଲା । ଅକ୍ଟୋବର ପରଠାରୁ ଏହି ପିଆଜ ଦର ବଢ଼ିଚାଲିଥିଲା । ପିଆଜ ମହଙ୍ଗା ହେବା ଯୋଗୁଁ ସାମଗ୍ରିକ ଖାଦ୍ୟ ମୁଦ୍ରାସ୍ଫୀତି ଡିସେମ୍ବରରେ ୧୪.୧୨ପ୍ରତିଶତକୁ ବୃଦ୍ଧି ପାଇଥିଲା ।
ସୋମବାର ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ (ଏନଏସଓ) ପକ୍ଷରୁ ପ୍ରକାଶିତ ତଥ୍ୟ ମୁତାବକ ୨୦୧୮ ଡିସେମ୍ବରରେ ଖାଦ୍ୟ ମୁଦ୍ରାସ୍ଫୀତି(-) ୨.୬୫ ପ୍ରତିଶତ ଥିଲା । ଗତବର୍ଷ ନଭେମ୍ବରରେ ଏହା ୧୦.୦୧ପ୍ରତିଶତ ରହିଥିଲା । ସବୁଠୁ ଆଶ୍ଚର୍ଯ୍ୟର ବିଷୟ ହେଉଛି ଗତବର୍ଷ ଡିସେମ୍ବରରେ ପନିପରିବା ୩୬ ପ୍ରତିଶତ ଥିଲା । ଖୁଚୁରା ମୁଦ୍ରାସ୍ଫୀତି ୨ ପ୍ରତିଶତରୁ ୬ ପ୍ରତିଶତ ମଧ୍ୟରେ ସୀମିତ ରହୁ ବୋଲି ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ୨୦୧୬ ଜୁଲାଇରୁ ଲକ୍ଷ୍ୟ ରଖିଥିଲା । ଏହାକୁ ଆରବିଆଇର ‘କମ୍ଫର୍ଟ ଜୋନ୍’ ବୋଲି ଅଭିହିତ କରାଯାଇଛି । ୨୦୧୬ ପରଠାରୁ ପ୍ରଥମ ଥର ପାଇଁ ଖୁଚୁରା ମୁଦ୍ରାସ୍ଫୀତି କମ୍ଫର୍ଟ ଜୋନରୁ ବାହାରି ଆସିଥିବାରୁ ଉଭୟ ସରକାର ଏବଂ ଆରବିଆଇ ଚିନ୍ତା ବଢ଼ିଯାଇଛି ।
ଅନ୍ୟ ପକ୍ଷରେ ମୁଦ୍ରାସ୍ଫୀତିର ଏଭଳି ସ୍ତର ଘରୋଇ ଅର୍ଥ ବ୍ୟବସ୍ଥାକୁ ଏକ ଝଟକା ସଦୃଶ ହୋଇଛି । ଗତବର୍ଷ ସେପ୍ଟେମ୍ବର ୩୦ରେ ଶେଷ ହୋଇଥିବା ୨୦୧୯-୨୦ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସରେ ଜିଡିପି ଅଭିବୃଦ୍ଧି ୪.୫ପ୍ରତିଶତକୁ ଖସିଥିଲା । ଏହା ୬ ବର୍ଷ ମଧ୍ୟରେ ସର୍ବନିମ୍ନ ସ୍ତର ଥିଲା । ଏମିତି କି ସମ୍ପୂର୍ଣ୍ଣ ୨୦୧୯-୨୦ ବର୍ଷରେ ଜିଡିପି (ମୋଟ ଘରୋଇ ଉତ୍ପାଦ) ଅଭିବୃଦ୍ଧି ୫ ପ୍ରତିଶତକୁ ଖସିବ ବୋଲି ଖୋଦ ସରକାର ଆକଳନ କରିଛନ୍ତି । ୧୧ ବର୍ଷ ମଧ୍ୟରେ ଜିଡିପିର ଏହା ସର୍ବନିମ୍ନ ସ୍ତର ହେବ ।