ବ୍ଲକ କଲୋନୀ ପ୍ରାଥମିକ ବିଦ୍ୟାଳୟରେ ଜଣେ ଶିକ୍ଷୟିତ୍ରୀରେ ଚାଲିଛି ପାଠପଢା!
ଆସିକା (ୱାଇଏନ୍ଏସ୍) :ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ସଦର କ୍ଳଷ୍ଟର ଅନ୍ତର୍ଗତ ଅତି ପୁରାତନ ବ୍ଳକ କଲୋନୀ ପ୍ରାଥମିକ ବିଦ୍ୟାଳୟ (ଗାନ୍ଧୀନଗର) ରେ ଜଣେ ଶିକ୍ଷୟିତ୍ରୀରେ ପ୍ରଥମରୁ ପଞ୍ଚମ ଶ୍ରେଣୀର ପ୍ରାୟ ୧୫ଜଣ ବିଦ୍ୟାର୍ଥୀଙ୍କୁ ପାଠପଢା ଚାଲିଥିବା ଦେଖିବାକୁ ମିଳିଛି। ରାଜ୍ୟ ସରକାର ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ଲାଗି ରାଜକୋଷରୁ ପାଣି ଭଳି ବିଭିନ୍ନ ଯୋଜନାରେ କୋଟି କୋଟି ଟଙ୍କା ଖର୍ଚ୍ଚ କରି ଚାଲିଥିଲା ବେଳେ ବ୍ଳକ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ସଂଖ୍ୟକ ଶିକ୍ଷକ ନଥିବା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢା କ୍ଷେତ୍ରରେ ନାନା ସମସ୍ୟା ସୃଷ୍ଟି ହେଉଥିବା ଅଭିଯୋଗ ହେଉଛି। ଯାହାରି ଫଳରେ ବହୁ ଅଭିଭାବକ ସେମାନଙ୍କ ସନ୍ତାନସନ୍ତତିଙ୍କ ପାଠପଢାକୁ ନେଇ ଚିନ୍ତିତ ହୋଇପଡିଥିବା ଲକ୍ଷ୍ୟ କରାଯାଇଛି। ଆସିକା ଗୋଷ୍ଟୀ ଶିକ୍ଷାଧିକାରୀ କାର୍ଯ୍ୟଳୟ ଅଧିନସ୍ଥ ବ୍ଳକ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ପାଠ ପଢାଇବା ପାଇଁ ଶିକ୍ଷାବିଭାଗ ପକ୍ଷରୁ ଦୁଇଜଣ ଶିକ୍ଷୟିତ୍ରୀଙ୍କୁ ନିୟୋଜିତ ପୂର୍ବରୁ କରାଯାଇଥିଲା ବେଳେ ଜଣେ ଶିକ୍ଷୟିତ୍ରୀ ଗତ କିଛି ଦିନ ତଳେ ନିଜ କର୍ମମୟ ଜୀବନରୁ ଅବସର ଗ୍ରହଣ କରିସାରିଥିଲା ବେଳେ ଅନ୍ୟଜଣେ ଶିକ୍ଷୟିତ୍ରୀ ପ୍ରଥମରୁ ପଞ୍ଚମ ଶ୍ରେଣୀର ପ୍ରାୟ ୧୫ଜଣ ବିଦ୍ୟାର୍ଥୀଙ୍କୁ ପାଠପଢାଉଥିବା ଦେଖିବାକୁ ମିଳୁଛି। ବ୍ଳକ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଶୈକ୍ଷିକ ବାତାବରଣ ଜାରି ରଖିବା ପାଇଁ ଆଉଜଣେ ଶିକ୍ଷକଙ୍କୁ ନିୟୋଜିତ କରିବା ସକାଶେ ବିଭିନ୍ନ ମହଲରେ ଦାବୀ ହୋଇ ଆସୁଥିଲେ ମଧ୍ୟ ଶିକ୍ଷା ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନଥିବା ଯୋଗୁଁ ସାଧାରଣରେ ଅସନ୍ତୋଷ ଓ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଉଛି। ବିଦ୍ୟାଳୟ ଗୁଡିକରେ ନିର୍ଦ୍ଦିଷ୍ଟ ସମୟସୀମା ମଧ୍ୟରେ ସମସ୍ତ ପାଠ୍ୟକ୍ରମ ଶେଷ କରିବା ଉପରେ ବିଦ୍ୟାଳୟର ଶିକ୍ଷକ ମାନେ ଧ୍ୟାନ ଦେବାକୁ ଶିକ୍ଷାବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଥିଲେ ମଧ୍ୟ ବ୍ଳକ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଆବଶ୍ୟକ ଶିକ୍ଷକ ନଥିବା ଯୋଗୁଁ କିପରି ପାଠପଢା ଚାଲିଥିବା ତାହା ସହଜରେ ଅନୁମେୟ। ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧୀନସ୍ଥ ବ୍ଳକ କଲୋନୀରେ ୧୯୮୭ ମସିହାରେ ସ୍ଥାପିତ ହୋଇଥିବା ଅତି ପୁରାତନ ପ୍ରାଥମିକ ବିଦ୍ୟାଳୟରେ ପାଠ ପଢୁଥିବା ଛାତ୍ରଛାତ୍ରୀମାନଙ୍କ ବାସ୍ତବ ସମସ୍ୟା ଓ ଉଜ୍ଜଳ ଭବିଷ୍ୟତକୁ ଦୃଷ୍ଟିରେ ରଖି ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ବିଭିନ୍ନ ମହଲରେ ଦୃଢ ଦାବୀ ହେଉଛି । ଏ ସଂକ୍ରାନ୍ତରେ ଆସିକା ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ବିଭୁନନ୍ଦନ ପଣ୍ଡାଙ୍କ ଦୃଷ୍ଟି ଆକର୍ଷଣ କରିବାରୁ ସେ କହିଲେ ଯେ ଅତିଶୀଘ୍ର ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯାଇ ଆଉ ଜଣେ ଶିକ୍ଷକଙ୍କୁ ନିଯୁକ୍ତି ପାଇଁ ପଦକ୍ଷେପ ନିଆଯାଉଛି । ବ୍ଳକ କଲୋନୀ ସରକାରୀ ପ୍ରାଥମିକ ବିଦ୍ୟାଳୟ (ଗାନ୍ଧୀ ନଗର)ରେ ପାଠପଢୁଥିବା ବିଦ୍ୟାର୍ଥୀ ମାନଙ୍କ ବୃହତ୍ତର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ଆଉଜଣେ ଶିକ୍ଷକଙ୍କୁ ନିଯୁକ୍ତି କରିବା ଦିଗରେ ପଦକ୍ଷେପ ନେବାକୁ ଶିକ୍ଷାବିତ୍ ପ୍ରସନ୍ନ କୁମାର ତ୍ରିପାଠୀ ଅନୁରୋଧ କରିଛନ୍ତି ।


