କୁଆଡ ସ୍କୁଲ ଅନିୟମିତତା ଅଭିଯୋଗର ତଦନ୍ତ କଲେ ଏବିଇଓ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ କୁଆଡ ସରକାରୀ ପ୍ରାଥମିକ ବିଦ୍ୟାଳୟରେ ଅନେକ ଅନିୟମିତତା ହୋଇଥିବା ନେଇ  ବ୍ଲକ ଶିକ୍ଷା ଅଧିକାରୀଙ୍କ ନିକଟରେ ଅଭିଯୋଗ ହୋଇଥିଲା ।  ବିଦ୍ୟାଳୟକୁ ଆସିଥିବା ୭୨ହଜାର ଟଙ୍କାର ବିଭିନ୍ନ ଅନୁଦାନକୁ ପ୍ରଧାନ ଶିକ୍ଷକ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟଙ୍କ ଅଗୋଚରରେ ଉଠାଇ ନେଇଥିବା, ପୁରୁଣା କାମକୁ ବର୍ତ୍ତମାନର ବୋଲି ଦର୍ଶାଇବା, ଅଭିଭାବକଙ୍କ ଅଗୋଚରରେ  ସ୍କୁଲରେ ପାଚିକା ନିଯୁକ୍ତି, ବିଦ୍ୟାଳୟରେ ଦୁଇ ଦୁଇଟି କମିଟି ଗଠନ ଆଦି ଆଦି ଅଭିଯୋଗ କରିଥିଲେ। ସହକାରୀ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ ଆଜି ଏହି ସ୍କୁଲକୁ ଯାଇ ତଦନ୍ତ କରିଥିବା ଜଣାପଡିଛି। ଅଭିଯୋଗକାରୀ ଦିଗମ୍ବର ଜେନା ଙ୍କ ଅଭିଯୋଗ ଯେ ଅଧିକାରୀ ତଦନ୍ତ ପାଇଁ ଯାଇଥିବା ସମୟରେ ତାଙ୍କୁ ଡାକି ନଥିଲେ। ସେ ଦୁଇଟା ପରେ ତଦନ୍ତ କରିବାକୁ କହିଥିଲା ବେଳେ ଆଜି ଦିନ ୧୨ଟାରେ ତଦନ୍ତ ପାଇଁ ଯିବାବେଳକୁ ଅଭିଯୋଗକାରୀ ମାନେ ବିଲ ବାଡ଼ିକୁ ପଳାଇ ଥିବାରୁ ତଦନ୍ତକୁ ନେଇ ସନ୍ଦେହ କରୁଛନ୍ତି ବୋଲି କହିଛନ୍ତି। ଦିଗମ୍ବର ଜେନା, ଜୟଦେବ ଜେନା, ମିନତୀ ଜେନା, ସଞ୍ଜୟ ଜେନା, ବିପିନି ଜେନା, ଶ୍ରୀକାନ୍ତ ଜେନା, ଶରତ ଜେନା, ଗଗନ ବିହାରୀ ଜେନା, ଘନଶ୍ୟାମ ଶଙ୍ଖୁଆ, ଆତୁଳ ଦାସ, ସହଦେବ ଦାସ ପ୍ରମୁଖଙ୍କ ଅଭିଯୋଗ ଅନୁଯାଇ ଚଳିତ ବର୍ଷ ଟଙ୍କାଟିଏ ବି ଖର୍ଚ୍ଚ ହୋଇ ନଥିବା ବେଳେ ୭୨ହଜାର ଟଙ୍କା ଉଠାଇ ନିଆ ଯାଇଛି। ସ୍କୁଲ କମିଟି ସଦସ୍ୟ ମାନେ ନିଜ ଉଦ୍ୟମରେ ଗଛ ଲଗାଇଥିବା ବେଳେ ୫ହଜାର ଟଙ୍କା ଖର୍ଚ୍ଚ ଦର୍ଶା ଯାଇଛି। କମିଟି ଅଗୋଚରରେ ଜଣେ ନୂତନ ପଚିକକୁ ନିଯୁକ୍ତି ଦିଆ ଯାଇଛି। ସ୍କୁଲ ତାରବାଡ ଓ ପାଚେରୀ ପୁର୍ବରୁ ନିର୍ମାଣ ହୋଇଥିବା ବେଳେ ତାହାକୁ ଏବେ କରଯାଇଥିବା ଦର୍ଶା ଯାଇଛି ବୋଲି ଅଭିଯୋଗ କରିଛନ୍ତି। ଏହାର ଉପଯୁକ୍ତ ତଦନ୍ତ କରା ନଗଲେ ସେମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି। ଏ ସମ୍ପର୍କରେ ଏବିଇଓ ପ୍ରମୋଦ କୁମାର ନାୟକ ଙ୍କୁ ପଚାରିବାରେ ସେ କହିଛନ୍ତି ଯେ ତଦନ୍ତ ଠିକ୍ ଭାବେ କରାଯାଉଛି। ଅନ୍ୟ ପକ୍ଷରେ ପ୍ରଧାନ ଶିକ୍ଷକଙ୍କୁ ବଦନାମ କରିବାକୁ କିଛି ଲୋକଙ୍କ ହିନ ପ୍ରୟାସ ବୋଲି ପ୍ରଧାନ ଶିକ୍ଷକ କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ