ସବୁଠି କୁଢ଼କୁଢ଼ ମଇଳା ଓ ନାଳରେ ପାଣି ଜମାଟ: ଆର୍ଯ୍ୟପଲ୍ଲୀ ଅଂଚଳରେ ଡେଙ୍ଗୁ ରୋଗ ବ୍ୟାପିବା ଆଶାଙ୍କା

ଛତ୍ରପୁର,(ଓ୍ବାଇଏନଏସ):  ଗଞ୍ଜାମ ଜିଲ୍ଲାରେ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି । ଉକ୍ତ ତାଲିକାରେ ଆର୍ଯ୍ୟପଲ୍ଲୀ ଅଂଚଳର ପ୍ରାୟ ରୋଗୀ ରହିଥାନ୍ତି । ରୋଗୀ ଚିହ୍ନଟ ହେବାର କିଛିଦିନ ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ତତ୍ପରତା ଦେଖାଇ ପାଣିର ନମୁନା ସଂଗ୍ରହ କରି ଗାଁ ଗାଁରେ ସଚେତନତାର ବାର୍ତା ଦେଇ ତାପରେ ନୀରବ ରହିଯାଇଥାନ୍ତି । ଡେଙ୍ଗୁ ରୋଗ ଚିହ୍ନଟ ହେବା ଏବଂ କେଉଁ କାରଣରୁ ଆର୍ଯ୍ୟପଲ୍ଲୀ ଅଂଚଳରେ ପ୍ରତିବର୍ଷ ଡେଙ୍ଗୁ ରୋଗୀ ଚିହ୍ନଟ ହେଉଛନ୍ତି ତାହାର ମୂଳ କାରଣକୁ ସ୍ୱାସ୍ଥ୍ୟ ବିଭାଗ କିମ୍ବା ପ୍ରଶାସନ ତନାଘନ କରୁନାହାନ୍ତି । ନିକଟରେ ବ୍ଲକ ସ୍ୱାସ୍ଥ୍ୟ ବିଭାଗ କିମ୍ବା ପ୍ରଶାସନ ନିକଟରେ ସୂଚନା ନଥିବ କିନ୍ତୁ ଆର୍ଯ୍ୟପଲ୍ଲୀ ଅଂଚଳର ବହୁ ଡେଙ୍ଗୁ ରୋଗୀ ଘରୋଇ ଡାକ୍ତରଖାନାରେ ଚିକିତ୍ସା ହୋଇଥିଲେ । ପ୍ରାୟ ଗତ ୬ ମାସ ହେବ ପଂଚାୟତରେ ବହୁ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇ ଚିକିତ୍ସା ହୋଇଥିଲେ ପ୍ରାୟ ୮ ରୁ ୯ ବର୍ଷ ହେଲା ଏହି ଧାରା ଆର୍ଯ୍ୟପଲ୍ଲୀ ପଂଚାୟତରେ ଲାଗି ରହିଛି । ହେଲେ ମଧ୍ୟ ସ୍ୱାସ୍ଥ୍ୟ ବିଭାଗ କିମ୍ବା ପ୍ରଶାସନ ପକ୍ଷରୁ କୌଣସି ଠୋସ୍ ପଦକ୍ଷେପ ନିଆଯାଉ ନାହିଁ । ଆର୍ଯ୍ୟପଲ୍ଲୀ ପୂର୍ବରୁ ପଂଚାୟତରେ ରହିଥିବା ବେଳେ ଏବେ ଛତ୍ରପୁର ପୌରପରିଷଦରେ ଅନ୍ତର୍ଭୁକ୍ତ ହୋଇଛି । ପୂର୍ବରୁ ଯାହା ସ୍ଥିତି ଥିଲା ପୌରପରିଷଦରେ ସାମିଲ ହେବା ପରେ ମଧ୍ୟ ସ୍ଥିତି କିଛି ବଦଳି ନାହିଁ । ଆର୍ଯ୍ୟପଲ୍ଲୀ ଅଂଚଳର ବଡଆର୍ଯ୍ୟପଲ୍ଲୀ, ସାନ ଆର୍ଯ୍ୟପଲ୍ଲୀ, କଣ୍ଡରା ଆର୍ଯ୍ୟପଲ୍ଲୀ, ଓଡିଆରପି କଲୋନୀ ବିଭିନ୍ନ ସ୍ଥାନରେ ପରିବେଶ ଉନ୍ନତମାନର ନୁହଁ । ଯେଉଁଠି ଦେଖିଲେ ମଇଳା ଅବର୍ଜନା କୁଢ଼କୁଢ଼ ହୋଇ ଜମି ରହିଥାଏ । ନାଳନଦ୍ରମାର ପାଣି ଜମି ରହୁଛି । ସାମାନ୍ୟ ବର୍ଷା ହେତୁ ନାଳରେ ଦିନ ଦିନ ।ଧରି ପାଣି ଜମି ରହୁଛି । ଫଳରେ ଡେଙ୍ଗୁ ରୋଗ ବ୍ୟାପିବାର ମୁଖ୍ୟ କାରଣ ରହୁଛି । ବିଭିନ୍ନ ଗାଁରେ ସଠିକ୍ ଭାବେ ସଫେଇ ସଫାସୁତରା ନ ହେବାରୁ ସବୁଠୁ ମଇଳା ଜମା ହୋଇ ରହିଛି । ଏଦ୍ୱାରା ମଶା ବଂଶ ବୃଦ୍ଧି ପାଇବାରୁ ଅନୁକୂଳ ପରିବେଶ ସୃଷ୍ଟି ହୋଇଛି । ଏପରି ପରିସ୍ଥିତିରେ ଡେଙ୍ଗୁ ସମେତ ଅନ୍ୟାନ୍ୟ ମଶାବାହିତ ରୋଗ ବ୍ୟାପିବା ଆଶଙ୍କା ବଢ଼ିଥିବାରୁ ସ୍ଥାନୀୟ ବାସିନ୍ଦା ଉଦ୍‌ବେଗ ପ୍ରକାଶ କରିଛନ୍ତି । ନାଳ ଗୁଡିକ ନିୟମିତ ସଫା କରାଯାଉନଥିବା ଫଳରେ ଅବର୍ଜନା ଜମି ପାଣି ନିଷ୍କାସନ ବାଧାପ୍ରାପ୍ତ ହେଉଛି । ଏଥିସହ ବ୍ଲିଚିଂ ପାଉଡର ଚିଂଛା କାର୍ଯ୍ୟ ନିୟମିତ ନ ହେବାରୁ ମଶାଙ୍କ ସଂଖ୍ୟା ବଢ଼ୁଛି । ସନ୍ଧ୍ୟା ହେଲେ ମଶାଙ୍କ ଉପଦ୍ରବ ଅସହ୍ୟ ହୋଇପଡୁଥିବାରୁ ଶିଶୁ, ବୃଦ୍ଧ ଓ ସାଧାରଣ ଲୋକେ ଅଧିକ ଅସୁବିଧାରେ ପଡୁଛନ୍ତି । । ନିକଟରେ ଏହି ଅଂଚଳର ବହୁ ଲୋକ ଡେଙ୍ଗୁ ରୋଗରେ ଆକ୍ରାନ୍ତ ହୋଇଥିବା ସୂଚନା ବିଳମ୍ବରେ ପାଇବା ପରେ ପ୍ରଶାସନିକ ଟିମ୍ ପହଂଚି ଏଠାକାର ପାଣିର ନମୁନା ସଂଗ୍ରହ କରିଥିବା ବେଳେ ଏହାର କିଛି ସ୍ଥାୟୀ ସମାଧାନ ନ କରିବାରୁ  ପୁଣି ଏହାର ପୁନରାବୃତି ଘଟିବାର ଆଶାଙ୍କା ରହିଛି । ତୁରନ୍ତ ନାଳ ସଫେଇ, ଜମିଥିବା ପାଣି ନିଷ୍କାସନ, ନିୟମିତ ଫଙ୍ଗି ଓ ସଚେତନତା କାର୍ଯ୍ୟକ୍ରମ କରିବାକୁ  ସାନ ଆର୍ଯ୍ୟପଲ୍ଲୀ ଗ୍ରାମ୍ୟ ସାଧାରଣ ସମ୍ପାଦକ ବି. ଭୀମସେନ ଙ୍କ ସମେତ ବହୁ ଅଂଚଳ ବାସିନ୍ଦା ଦାବି କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ