ଜନସାଧାରଣଙ୍କ ପାଇଁ ସୂଚନା ଜାରି କଲା ନନ୍ଦିପଦା ଥାନା ପୋଲିସ
ହାଟଡିହି,(ଓ୍ବାଇଏନଏସ):କେନ୍ଦୁଝର ଜିଲ୍ଲା ନନ୍ଦିପଦା ପୋଲିସ ଜନସାଧାରଣଙ୍କ ପାଇଁ ଏକ ସତର୍କ ଏବଂ ସଚେତନ ସୂଚନା ଜାରି କରିଛି l ସୂଚନା ଅନୁସାରେ ସମସ୍ତଙ୍କୁ ଅବଗତ କରାଯାଇଛି ଯେ, ଝାରଖଣ୍ଡର ଏକ ସନ୍ଦିଗ୍ଧ ଡକାୟତ ଗ୍ୟାଙ୍ଗ କେନ୍ଦୁଝର ଜିଲାରେ ସକ୍ରିୟ ଅଛି l ତେଣୁ ସମସ୍ତ ଅଞ୍ଚଳବାସୀଙ୍କୁ ଅନୁରୋଧ କରାଯାଇଛି ଯେ ନିଜ ଅଞ୍ଚଳରେ କୌଣସି ସନ୍ଦିଗ୍ଧ ବ୍ୟକ୍ତି, ଅଜଣା ଗାଡ଼ି କିମ୍ବା ସନ୍ଦେହଜନକ କାର୍ଯ୍ୟକଳାପ ଦେଖିଲେ ତୁରନ୍ତ ନନ୍ଦିପଦା ଥାନା କିମ୍ବା ୧୧୨ ନମ୍ବରରେ ଫୋନ୍ କରି ପୋଲିସକୁ ସୂଚନା ଦିଆ ଯାଇଛି । ସମସ୍ତଙ୍କ ସହଯୋଗରେ ଏକ ବଡ଼ ଅପରାଧକୁ ରୋକି ହେବ l ଭୟଭୀତ କିମ୍ବା ଆତଙ୍କିତ ନହୋଇ ସତର୍କ ଏବଂ ସୁରକ୍ଷିତ ରୁହନ୍ତୁ l ପୋଲିସକୁ ସହଯୋଗ କରନ୍ତୁ l ପୋଲିସ କଣ୍ଟ୍ରୋଲ ରୁମ ୧୧୨ ଏବଂ ଫୋନ ନଂ ୯୪୩୮୯୧୬୮୩୭ ଏବଂ ୯୪୩୭୩୦୯୧୫୮ ରେ ଯୋଗାଯୋଗ କରିବାକୁ ଥାନା ପକ୍ଷରୁ କୁହାଯାଇଛି। ସୂଚନା ଯୋଗ୍ୟ, ହାଟଡିହି ଅଞ୍ଚଳରେ ବାରମ୍ବାର ଘର ଭାଙ୍ଗି ସୁନା ଅଳଙ୍କାର ଲୁଟ, ଦୋକାନରୁ ଲୁଟ, ଘର ଭାଙ୍ଗି ଚୋରି ଭଳି ଅନେକ ଘଟଣା ଘଟିଥିବା ବେଳେ ପୋଲିସ ଲୁଟେରାଙ୍କୁ ଠାବ କରି ପାରି ନାହିଁ। ଲୋକଙ୍କ ସହଯୋଗ ମିଳିଲେ ଅପରାଧିକ କାର୍ଯ୍ୟକଳାପରେ ରୋକ ଲାଗିପାରିବ ବୋଲି ଆଇଆଇସି କହିଛନ୍ତି। ପୋଲିସ ପକ୍ଷରୁ ମଧ୍ୟ ପ୍ରତିଦିନ ବିଭିନ୍ନ ସ୍ଥାନରେ ଚେକିଂ କରାଯାଉଛି।


