ନାବାଳିକାକୁ ବଳାତ୍କାର ମାମଲା: ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଏକ ନାବାଳିକା ବଳାତ୍କାର ମାମଲାର ବିଚାର କରି କେନ୍ଦ୍ରାପଡ଼ା ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ପୋକ୍ସୋ କୋର୍ଟ ବିଚାରପତି ଅଭିଯୁକ୍ତକୁ ୨୦ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି।ଏଥିସହ ଅଭିଯୁକ୍ତକୁ ୫୦ ହଜାର ଟଙ୍କା ଜୋରିମାନାରେ ଦଣ୍ଡିତ କରିଛନ୍ତି। ଜୋରିମାନା ଅନାଦେୟ ଅଭିଯୁକ୍ତ ଏକ ବର୍ଷ ଅଧିକ ସଶ୍ରମ କାରାଦଣ୍ଡ ଭୋଗିବ ବୋଲି କୋର୍ଟ ତାଙ୍କ ରାୟରେ ଉଲ୍ଲେଖ କରିଛନ୍ତି। ସେହିପରି ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ଜରିଆରେ ସଂପୃକ୍ତ ପିଡିତା ନାବାଳିକାକୁ ୬ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ କରିବା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ବିବରଣୀରୁ ପ୍ରକାଶ ୨୦୨୧ ମସିହା ସେପ୍ଟେମ୍ବରମାସ ୨୦ ତାରିଖ ରାତିରେ ତନ୍ତିଆପାଳ ସାମୁଦ୍ରିକ ଥାନା ଅଞ୍ଚଳର ଚିକୁ ଓରଫ ସୁମନ୍ତ ରାଉତ ଜଣେ ୧୬ ବର୍ଷ ବୟସର ନାବାଳିକାଙ୍କୁ ଅପହରଣ କରି ହାଇଦ୍ରାବାଦ ନେଇ ଯାଇଥିଲା। ସେଠାରେ ତାକୁ ରଖି ନାବାଳିକାଙ୍କ ଇଚ୍ଛା ବିରୋଧରେ ତାଙ୍କୁ ବାରମ୍ବାର ବଳାତ୍କାର କରିଥିଲା। ବଳାତ୍କାର କରିବା ପରେ ତାଙ୍କୁ ମାଡ଼ ମାରିଥିଲା। ଏ ନେଇ ସେପ୍ଟେମ୍ବରମାସ ୨୧ ତାରିଖରେ ନାବାଳିକାଙ୍କ ପରିବାର ପକ୍ଷରୁ ତନ୍ତିଆପାଳ ଥାନାରେ ଅଭିଯୋଗ କରାଯାଇଥିଲା। ସେହି ଅଭିଯୋଗକୁ ଆଧାରକରି ପୋଲିସ ଏକ ଦୁଷ୍କର୍ମ ମାମଲା ରୁଜୁ କରିଥିଲା। ପୋଲିସ ହାଇଦ୍ରାବାଦ ଯାଇ ଅଭିଯୁକ୍ତ ଚିକୁକୁ ୨ ମାସ ପରେ ଗିରଫ କରିଥିଲା। ଏଥିସହ ନାବାଳିକାଙ୍କୁ ଉଦ୍ଧାର କରି କେନ୍ଦ୍ରାପଡ଼ା ଆଣିବା ପରେ ଉଭୟଙ୍କ ଡାକ୍ତରୀ ମାଇନା କରାଯାଇଥିଲା। ନାବାଳିକାଙ୍କୁ ସ୍ୱଧାର ଗୃହରେ ରଖାଯାଇଥିବା ବେଳେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଥିଲା। ସମସ୍ତ ସାକ୍ଷ୍ୟ ପ୍ରମାଣକୁ ଆଧାର କରି ଅତିରିକ୍ତ ଜିଲ୍ଲା ଦୌରାଜଜ ତଥା ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ବିଚାରପତି ପ୍ରଜ୍ଞା ପରମିତା ରାଉଳ ଅଭିଯୁକ୍ତ ଚିକୁ ଓରଫ ସୁମନ୍ତ ରାଉତକୁ ଉପରୋକ୍ତ ଦଣ୍ଡାଦେଶରେ ଦଣ୍ଡିତ କରିଛନ୍ତି। ସରକାରଙ୍କ ପକ୍ଷରୁ ସ୍ୱତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ନେହେରୁ କୁମାର ସାହୁ ମାମଲା ପରିଚାଳନା କରୁଥିଲେ।


