ବାତ୍ୟା ‘ଅର୍ଣ୍ଣବ’ ପରେ ଗଞ୍ଜାମରେ ପ୍ରଶାସନ ସଜାଗ

ଛତ୍ରପୁର, (ଓ୍ବାଇଏନଏସ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବକୁ ଦୃଷ୍ଟିରେ ରଖି ଗଞ୍ଜାମ ଜିଲ୍ଲା ପ୍ରଶାସନ ସଜାଗ ରହିଛି। ଲୋକଙ୍କ ଜୀବନ ସୁରକ୍ଷା, ଜଳବନ୍ଦୀ ସ୍ଥିତିର ମୁକାବିଲା, ବିପଦପ୍ରବଣ ଅଞ୍ଚଳରୁ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ସ୍ଥାନାନ୍ତର ଏବଂ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣକୁ ସୁନିଶ୍ଚିତ କରିବା ନେଇ ସମସ୍ତ ବିଭାଗକୁ ସକ୍ରିୟ କରାଯାଇଛି। ଏଯାଏଁ ଜିଲ୍ଲାରେ କୌଣସି ମାନବ କିମ୍ବା ପ୍ରାଣୀ ଜୀବନହାନି ହୋଇନଥିବା ପ୍ରଶାସନ ପକ୍ଷରୁ କୁହାଯାଇଛି। ବିପଦପ୍ରବଣ ଅଞ୍ଚଳରୁ ମୋଟ ୬,୧୭୦ ଜଣଙ୍କୁ ୧୭୭ଟି ନିରାପଦ ଆଶ୍ରୟସ୍ଥଳକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରେ ୨,୪୧୫ ଜଣ ପୁରୁଷ, ୨,୪୨୮ ଜଣ ମହିଳା ଓ ୧,୩୨୭ ଜଣ ଶିଶୁ ରହିଛନ୍ତି। ସମସ୍ତ ଆଶ୍ରୟସ୍ଥଳରେ ମାଗଣା ରୋଷେଇଘର ବ୍ୟବସ୍ଥା କରାଯାଇଛି। ଜିଲ୍ଲାର ପ୍ରମୁଖ କାର୍ଯ୍ୟାଳୟଗୁଡ଼ିକରେ ଦିନରାତି ଜରୁରୀକାଳୀନ ନିୟନ୍ତ୍ରଣ କକ୍ଷ ଚାଲୁ ରହିଛି। ଛତ୍ରପୁରସ୍ଥିତ ଜିଲ୍ଲା ଜରୁରୀକାଳୀନ କାର୍ଯ୍ୟ କେନ୍ଦ୍ର ମଧ୍ୟ ସକ୍ରିୟ ରହିଛି।ସମୁଦ୍ରକୁ ମାଛ ଧରିବା ପାଇଁ ଯିବା ଉପରେ ପରବର୍ତ୍ତୀ ସୂଚନା ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ କଟକଣା ଜାରି ରହିଛି। ସମସ୍ତ ମତ୍ସ୍ୟଜୀବୀ ସୁରକ୍ଷିତ ଭାବେ ଫେରିଆସିଛନ୍ତି। ଉପକୂଳ ଅଞ୍ଚଳରେ ତହସିଲଦାର, ମତ୍ସ୍ୟ ବିଭାଗ ଅଧିକାରୀ ଓ ସାମୁଦ୍ରିକ ପୁଲିସ ପକ୍ଷରୁ ନିୟମିତ ପହରା ଦିଆଯାଉଛି। ଜିଲ୍ଲାରେ ମୋଟ ୧,୬୩୬ଟି ଡଙ୍ଗା ଚିହ୍ନଟ ହୋଇଛି। ଗୋପାଳପୁର ବନ୍ଦରରେ ପାରାଦୀପର ୪ଟି ଓ ଆନ୍ଧ୍ରପ୍ରଦେଶର ୩୩ଟି ସମେତ ମୋଟ ୩୭ଟି ମାଛଧରା ଟ୍ରଲର ଆଶ୍ରୟ ନେଇଛି। ଜିଲ୍ଲାର ପ୍ରମୁଖ ନଦୀବନ୍ଧ ଓ ଜଳଭଣ୍ଡାରଗୁଡ଼ିକର ଜଳସ୍ତର ଉପରେ ନଜର ରଖାଯାଇଛି। ସମସ୍ତ ଜଳଭଣ୍ଡାର ବିପଦ ସୀମା ତଳେ ରହିଛି। ତେବେ ବାଘଲଟି ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୫୦୦ ଘନମିଟର ଜଳ ପ୍ରବେଶ କରୁଥିବା ବେଳେ ୨୦୦ ଘନମିଟର ଜଳ ନିଷ୍କାସନ କରାଯାଉଛି। ଜଳସ୍ତର ବିପଦ ସୀମା ଆଡ଼କୁ ବଢ଼ିପାରୁଥିବାରୁ ପ୍ରଶାସନ ପକ୍ଷରୁ ଘନିଷ୍ଠ ନଜର ରଖାଯାଇଛି। ବିପର୍ଯ୍ୟୟ ମୁକାବିଲା ପାଇଁ ଜିଲ୍ଲାରେ ୩ଟି ଓଡ୍ରାଫ୍ ଦଳ, ୨ଟି ଏନ୍‌ଡିଆର୍‌ଏଫ୍‌ ଦଳ ଓ ୨୪ଟି ଅଗ୍ନିଶମ ୟୁନିଟ୍ ନିୟୋଜିତ ହୋଇଛନ୍ତି। ଏଥିସହ ୪ଟି ମୋଟରଚାଳିତ ଉଦ୍ଧାର ଡଙ୍ଗା ବିଭିନ୍ନ ସ୍ଥାନରେ ରଖାଯାଇଛି। ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ମଧ୍ୟ ପ୍ରଶାସନ ପକ୍ଷରୁ ବିଶେଷ ବ୍ୟବସ୍ଥା ହୋଇଛି। ୨୮ ଅକ୍ଟୋବର ସନ୍ଧ୍ୟା ୪ଟା ସୁଦ୍ଧା ମୋଟ ୪୮୨ ଜଣ ଗର୍ଭବତୀ ମହିଳାଙ୍କୁ ବିଭିନ୍ନ ସ୍ୱାସ୍ଥ୍ୟକେନ୍ଦ୍ରକୁ ସ୍ଥାନାନ୍ତର କରାଯାଇଛି। ସେମାନଙ୍କ ମଧ୍ୟରୁ ୨୨ ଜଣଙ୍କୁ ମା’ ଗୃହକୁ ନିଆଯାଇଛି। ସ୍ଥାନାନ୍ତରିତ ମହିଳାଙ୍କ ମଧ୍ୟରୁ ୨୨୮ ଜଣଙ୍କ ସୁରକ୍ଷିତ ପ୍ରସବ ହୋଇଛି। ଏଥିସହ ୨୮ଟି ଜିଲ୍ଲା ଚିକିତ୍ସା ପ୍ରତିକ୍ରିୟା ଦଳ ଓ ୨୩ଟି ପ୍ରାଣୀ ଚିକିତ୍ସା ଦ୍ରୁତ ପ୍ରତିକ୍ରିୟା ଦଳ ସକ୍ରିୟ ରହିଛନ୍ତି।ବ୍ରହ୍ମପୁର ସହରର ଗୋପାଳପୁର ଛକରେ ବର୍ଷାଜଳ ନିଷ୍କାସନ ଓ ସଫେଇ କାର୍ଯ୍ୟ ଶେଷ ହୋଇଛି। ଖୋଡ଼ାସିଙ୍ଗି ବ୍ରିଜ୍, ଭକ୍ତ ସାଲବେଗ ନଗର, ରୋଲାଣ୍ଡ କଲେଜ, କଳିଙ୍ଗ ନଗର ଓ ନରସିଂହ ମନ୍ଦିର ନିକଟ ଭବାନୀପୁର ଅଞ୍ଚଳରେ ଜଳ ନିଷ୍କାସନ ଓ ବାଧା ହଟାଇବା କାର୍ଯ୍ୟ ଜାରି ରହିଛି। ବାତ୍ୟା ମୁକାବିଲା ପ୍ରସ୍ତୁତି ନେଇ ଉଚ୍ଚସ୍ତରୀୟ ସମୀକ୍ଷା ଜାରି ରହିଛି। ଆଶ୍ରୟସ୍ଥଳଗୁଡ଼ିକରେ ଖାଦ୍ୟ, ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା ଠିକ୍‌ ରହିଛି କି ନାହିଁ, ତାହା ନିଶ୍ଚିତ କରିବାକୁ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଏପଟେ ପୋଲସରା ବିଡିଓ ଓ ତହସିଲଦାର ନିଜ ଦଳ ସହ ଗୋଛାବାଡ଼ି ପଞ୍ଚାୟତ ଅନ୍ତର୍ଗତ ପଲବା ଓ ଚାଞ୍ଚେରା ଭଳି ଦୁର୍ଗମ ଗ୍ରାମରେ ପହଞ୍ଚିବା ପାଇଁ ପ୍ରାୟ ୩ କିଲୋମିଟର ପାଦରେ ଚାଲିଥିଲେ। ଯାନବାହନ ଯାତାୟାତ ସୁବିଧା ନଥିବା ଏହି ଅଞ୍ଚଳରେ ଦଳ ପକ୍ଷରୁ ଅତ୍ୟାବଶ୍ୟକ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯିବା ସହ ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳକୁ ନେବାରେ ସହଯୋଗ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ