ବନ୍ୟା ବିପନ୍ନଙ୍କୁ ରିଲିଫ୍‌ ଓ ପାଲ ବଣ୍ଟନରେ ଅନିୟମିତତା ଅଭିଯୋଗ

ଧାମନଗର (ଓ୍ବାଇଏନଏସ): ଧାମନଗର ବନ୍ୟା ବିପନ୍ନଙ୍କ ପାଇଁ ଆସିଥିବା ସରକାରୀ ରିଲିଫ୍‌ର ହିସାବ ମାଗିବା କ’ଣ ଏବେ ଅପରାଧ? ପଞ୍ଚାୟତଭିତ୍ତିକ ରିଲିଫ୍‌ ବଣ୍ଟନର ସ୍ପଷ୍ଟ ତଥ୍ୟ ଓ ବ୍ୟୟ ବିବରଣୀ ଦାବି କରିବାରୁ ତାତିଲେ ଧାମନଗର ତହସିଲଦାର ଏବଂ ବିଡିଓ ପଞ୍ଚାୟତ ଜନପ୍ରତିନିଧିଙ୍କ ମୁହାଁମୁହିଁ ଘଟଣା ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ବନ୍ୟା ଭଳି ବିପର୍ଯ୍ୟୟ ସମୟରେ ପ୍ରଶାସନକୁ ଘେରି ଧରିଥିବା ଏହି ପ୍ରଶ୍ନ କେବଳ ରିଲିଫ୍‌ର ହିସାବ ନୁହେଁ, ପ୍ରଶାସନିକ ସ୍ୱଚ୍ଛତା ଓ ଜନପ୍ରତିନିଧିଙ୍କ ପ୍ରତି ପ୍ରଶାସନର ଜବାବଦେହିତାକୁ ନେଇ ମଧ୍ୟ ବଡ଼ ପ୍ରଶ୍ନ ଉଠିଛି। ଏନେଇ ଶୁକ୍ରବାର ପୂର୍ବାହ୍ନ ୧୧ଟା ସମୟରେ ବହୁ ପଞ୍ଚାୟତର ନିର୍ବାଚିତ ଜନପ୍ରତିନିଧି ଧାମନଗର ବିଡିଓ ବନ ବିହାରୀ ଦିନ୍ଦା ଓ ତହସିଲଦାର ଜ୍ଞାନରଞ୍ଜନ ସାହୁଙ୍କୁ ସ୍ମାରକପତ୍ର ଦେଇ ବନ୍ୟା ଆରମ୍ଭଠାରୁ ବ୍ଲକକୁ ଆସିଥିବା ସମସ୍ତ ରିଲିଫ୍‌ ସାମଗ୍ରୀର ହିସାବ ମାଗିଥିଲେ। ଏହି ଅନିୟମିତତାକୁ ନେଇ ନିର୍ବାଚିତ ୨୦ ସରପଞ୍ଚ ଏବଂ ୧୮ସମିତି ସଭ୍ୟ,୪ ଜଣ ଜିଲ୍ଲା ପରିଷଦ ସଭ୍ୟ ସଭ୍ୟା ଏକାଠି ହୋଇ ତୀବ୍ର ଅସନ୍ତୋଷ ପ୍ରକାଶ କରି ବନ୍ୟା ବିପନ୍ନଙ୍କ ହକ୍‌ର ରିଲିଫ୍‌ ସାମଗ୍ରୀ ଏବଂ ପାଲ କେଉଁଠି ଗଲା ବୋଲି ପ୍ରଶ୍ନ କରିଥିଲେ।କେତେ ଚୁଡ଼ା,ଗୁଡ଼,ଚାଉଳ,ଶୁଖିଲା ଖାଦ୍ୟ,ଗୋ-ଖାଦ୍ୟ,ପାଲ ଓ ଅନ୍ୟାନ୍ୟ ସାମଗ୍ରୀ ଆସିଛି। କେଉଁ ପଞ୍ଚାୟତକୁ କେତେ ପଠାଯାଇଛି ଏବଂ କେତେ ମହଜୁଦ ରହିଛି—ଏହାର ଲିଖିତ ହିସାବ ଦାବି ଉଠାଇଥିଲେ। ଜନପ୍ରତିନିଧିଙ୍କ ଅଭିଯୋଗ, ବାରମ୍ବାର ତଥ୍ୟ ମଗାଯାଇଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ସ୍ପଷ୍ଟ ପଞ୍ଚାୟତଭିତ୍ତିକ ହିସାବ ଦିଆଯାଉନାହିଁ। ଏହି ପ୍ରସଙ୍ଗରେ ତହସିଲଦାରଙ୍କ ସହ ଜନପ୍ରତିନିଧିଙ୍କ ମଧ୍ୟରେ ତୀବ୍ର ବାକ୍‌ବିତଣ୍ଡା ହୋଇଥିବା ଅଭିଯୋଗ ହୋଇଛି। ଘଟଣାକୁ ନେଇ ଉପସ୍ଥିତ ସରପଞ୍ଚ, ସମିତି ସଭ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟମାନେ ଅସନ୍ତୋଷ ପ୍ରକାଶ କରିଥିଲେ। ରିଲିଫ୍‌ ସାମଗ୍ରୀର ଷ୍ଟକ୍‌ କେତେ? ବଣ୍ଟନ କେତେ? ଅବଶିଷ୍ଟ କେତେ? କେଉଁ ପଞ୍ଚାୟତକୁ କେତେ ମିଳିଲା?—ଏହି ସରଳ ପ୍ରଶ୍ନଗୁଡ଼ିକର ସ୍ପଷ୍ଟ ଉତ୍ତର ସାର୍ବଜନୀନ ହେବା ଦରକାର ବୋଲି ଜନପ୍ରତିନିଧିମାନେ ଦାବି କରିଛନ୍ତି। ରିଲିଫ୍‌ ଭଳି ଜନସ୍ୱାର୍ଥ ସହ ଜଡ଼ିତ ସରକାରୀ ସହାୟତାରେ ହିସାବ ଲୁଚାଛପା କାହିଁକି—ତାହାକୁ ନେଇ ମଧ୍ୟ ପ୍ରଶ୍ନ ଉଠିଛି। କେଉଁଠି କେତେ ଦିନ ଫ୍ରି-କିଚେନ୍‌ ଚାଲିଲା? କେତେ ଲୋକ ଖାଦ୍ୟ ପାଇଲେ? କେତେ ଅର୍ଥ ଖର୍ଚ୍ଚ ହେଲା? କାହା ମାଧ୍ୟମରେ ଖର୍ଚ୍ଚ ହେଲା?—ଏସବୁର ହିସାବ ସାର୍ବଜନୀନ କରିବାକୁ ଦାବି ହୋଇଛି। ଏହା ସହ ପଲିଥିନ୍‌ ବଣ୍ଟନରେ ମଧ୍ୟ ପକ୍ଷପାତିତା ଓ ଅନିୟମିତତା ଥିବା ଅଭିଯୋଗ ଆସିଛି। ବିପର୍ଯ୍ୟୟ ସମୟରେ ଲୋକଙ୍କ ପ୍ରଶ୍ନର ଉତ୍ତର ଦେବା ପ୍ରଶାସନର ଦାୟିତ୍ୱ। ଏପରି ସମୟରେ ଜନପ୍ରତିନିଧିମାନେ ହିସାବ ଓ ତଥ୍ୟ ମାଗିବାବେଳେ ପ୍ରଶାସନିକ ଅଧିକାରୀଙ୍କ ଆଚରଣ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ ବୋଲି ଉପସ୍ଥିତ ଜନପ୍ରତିନିଧିମାନେ କହିଛନ୍ତି। ପ୍ରଶାସନ ଓ ନିର୍ବାଚିତ ପ୍ରତିନିଧିଙ୍କ ମଧ୍ୟରେ ସମନ୍ୱୟ ବଦଳରେ ଯଦି ବିବାଦ ଓ ଅସହଯୋଗର ପରିସ୍ଥିତି ସୃଷ୍ଟି ହୁଏ, ତାହାର ସିଧାସଳଖ ପ୍ରଭାବ ବନ୍ୟା ବିପନ୍ନଙ୍କ ଉପରେ ପଡ଼ିବ ବୋଲି ସେମାନେ ମତ ଦେଇଛନ୍ତି। ଧାମନଗର ବ୍ଲକର ରିଲିଫ୍‌ ଷ୍ଟକ୍‌ ରେଜିଷ୍ଟର, ପଞ୍ଚାୟତଭିତ୍ତିକ ବଣ୍ଟନ ରେଜିଷ୍ଟର,ପଲିଥିନ୍‌ ବଣ୍ଟନ ତାଲିକା, ଫ୍ରି-କିଚେନ୍‌ର ଉପସ୍ଥାନ ଓ ବ୍ୟୟ ବିବରଣୀ ଜିଲ୍ଲା ପ୍ରଶାସନ ଯାଞ୍ଚ କରୁ। ଯଦି ସବୁ କିଛି ସ୍ୱଚ୍ଛ ଅଛି,ତେବେ ହିସାବ ସାର୍ବଜନୀନ କରିବାରେ ପ୍ରଶାସନର ଅସୁବିଧା କ’ଣ ବୋଲି ପ୍ରଶ୍ନ କରିଛନ୍ତି ନିର୍ବାଚିତ ଜନପ୍ରତିନିଧିମାନେ। ସ୍ମାରକପତ୍ର ପ୍ରଦାନ ସମୟରେ ଭଦ୍ରକ ଜିଲ୍ଲା ପରିଷଦ ଉପାଧ୍ୟକ୍ଷା ଟୁନିବାଳା ବିଶ୍ୱାଳ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଅଶୋକ ନାୟକ,ପଞ୍ଚାୟତ ସମିତି ଉପାଧ୍ୟକ୍ଷ ଜଗବନ୍ଧୁ ପ୍ରଧାନ,ଧୁଷୁରୀ ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ ମଲ୍ଲିକ,ଅସୁରାଳି ଜିଲ୍ଲା ପରିଷଦ ସଭ୍ୟ ସାରଦା ପ୍ରସନ୍ନ ସାହୁ,ଦୋବଲ ଜିଲ୍ଲା ପରିଷଦ ସଭ୍ୟ ଉର୍ମିଳା ବିଶ୍ୱାଳଙ୍କ ସମେତ ବହୁ ସରପଞ୍ଚ,ସମିତି ସଭ୍ୟ ଓ (ପି.ଆର.ଆଇ) ପ୍ରତିନିଧି ପ୍ରମୁଖ ଜନପ୍ରତିନିଧିଙ୍କ ଏହି ଗୁରୁତର ଅଭିଯୋଗ ଉପରେ ତହସିଲଦାର ଏବଂ ବିଡିଓଙ୍କ ପକ୍ଷରୁ କୌଣସି ସ୍ପଷ୍ଟ ପ୍ରତିକ୍ରିୟା ମିଳିନାହିଁ। ଫଳରେ ରିଲିଫ୍‌ ହିସାବକୁ ନେଇ ଧାମନଗର ପ୍ରଶାସନ କ’ଣ ଲୁଚାଇବାକୁ ଚାହୁଁଛି—ନା ଏହା କେବଳ ପ୍ରଶାସନିକ ଅସ୍ପଷ୍ଟତା? ଏହି ପ୍ରଶ୍ନ ଏବେ ଧାମନଗରରେ ଚର୍ଚ୍ଚାରେ। ଜନପ୍ରତିନିଧିମାନେ ଚେତାବନୀ ଦେଇଛନ୍ତି ଯେ ରିଲିଫ୍‌ ବଣ୍ଟନରେ ସ୍ୱଚ୍ଛତା ନଆସିଲେ ଆଗାମୀ ଦିନରେ (ପି.ଆର.ଆଇ)ସଦସ୍ୟ,ସରପଞ୍ଚ ଓ ସାଧାରଣ ଲୋକଙ୍କୁ ନେଇ ଗଣତାନ୍ତ୍ରିକ ପଦ୍ଧତିରେ ଆନ୍ଦୋଳନ କରାଯିବ।ଏହି କାର୍ଯ୍ୟକ୍ରମରେ ସରପଞ୍ଚମାନଙ୍କ ମଧ୍ୟରେ ଅଜୟ କୁମାର ମଲ୍ଲିକ,ସୀତାକାନ୍ତ ମିଶ୍ର,ଝରଣା ମାଝୀ,ଅକ୍ଷୟ ଜେନା,ମମତା ଆଚାର୍ଯ୍ୟ,ସରିତା ମହାନ୍ତି,ସରସ୍ୱତୀ ସାହୁ,ମିନା ମାଝୀ, ଲୋପମୁଦ୍ରା ନାୟକ,ଜିସନାରା ବିବି,ରଞ୍ଜିତ କୁମାର ଜେନା ଓ ନରେନ୍ଦ୍ର ନାରାୟଣ ନାୟକ,ଖପରପଦା ସମିତି ସଭ୍ୟ ଭାରତ ବିଜୟ ଦଳେଇ,କାସିମପୁର ସମିତି ସଭ୍ୟ ଜ୍ୟୋତିରାଜ ନାୟକ,ଚୁଡାକୁଟି ସମିତି ସଭ୍ୟ ଜ୍ଞାନରଞ୍ଜନ ମହାକୁଡ଼, ଭଗବାନପୁର ଯୁବ ସମିତି ସଭ୍ୟ ସୁଦୀପ୍ତ ଖଟୁଆ,ରାଧାବଲ୍ଲଭ ପୁର ସମିତି ସଭ୍ୟ ସୂର୍ଯ୍ୟକାନ୍ତ ନାୟକ,କଲ୍ୟାଣୀ ସମିତି ସଭ୍ୟା ଚନ୍ଦ୍ରାଣୀ ଯେନା,ଫତେପୁର ସମିତି ସଭ୍ୟ କୁନି ଜେନା,ଦଇପୁର ସମିତି ସଭ୍ୟା ବୀଣାପାଣି ପଣ୍ଡା ପ୍ରମୁଖ ଉପସ୍ଥିତ ରହି ବିଡିଓ ଏବ ତହସିଲଦାର ବିଜେପି ନେତା ଓ କର୍ମୀଙ୍କ ସଲାସୁତରାରେ ଅନିୟମିତତା କାର୍ଯ୍ୟକୁ ଦଳ ତରଫରୁ ତୀବ୍ର ବିରୋଧ କରାଯାଇଛି।ପରେ ଭଦ୍ରକ ଜିଲ୍ଲାପାଳ ସୋମେଶ କୁମାର ଉପାଧ୍ୟାୟଙ୍କୁ ମଧ୍ୟ ଲିଖିତ ଅଭିଯୋଗ ପ୍ରଦାନ କରିବା ସହିତ ଗଣମାଧ୍ୟମ ପ୍ରତିନିଧିଙ୍କ ଦ୍ୱାରା ରାଜ୍ୟ ରିଲିଫ କମିଶନରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ