ବନ୍ୟା ଦୁର୍ଦ୍ଦଶା ମଧ୍ୟରେ ପୁଣି ବାତ୍ୟା ଆଶଙ୍କା, ଚିନ୍ତାରେ ଗଞ୍ଜାମବାସୀ

ଛତ୍ରପୁର, (ଓ୍ବାଇଏନଏସ): ବାତ୍ୟା ‘ଅର୍ଣ୍ଣବ’ର ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଏବେ ବି ସ୍ୱାଭାବିକ ହୋଇନାହିଁ। ବିଭିନ୍ନ ଅଞ୍ଚଳରେ ବନ୍ୟାଜଳ ଜମି ରହିଥିବାରୁ ଅନେକ ଗ୍ରାମର ଲୋକେ ଜଳବନ୍ଦୀ ଅବସ୍ଥାରେ ରହି ନାନା ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏଭଳି ଦୁର୍ଦ୍ଦଶାରୁ ଲୋକେ ମୁକୁଳି ନଥିବା ବେଳେ ଆସନ୍ତା ନଭେମ୍ବର ୨ ଓ ୩ ତାରିଖରେ ପୁଣି ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷାର ଆଶଙ୍କା ଗଞ୍ଜାମବାସୀଙ୍କ ଚିନ୍ତା ବଢ଼ାଇ ଦେଇଛି।ସମ୍ଭାବ୍ୟ ବାତ୍ୟା ଓ ପ୍ରବଳ ବର୍ଷା ଯୋଗୁଁ ପୁଣି ବନ୍ୟା ଏବଂ ଜଳବନ୍ଦୀ ପରିସ୍ଥିତି ଉପୁଜିବାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରାଯାଇଛି। ବିଶେଷକରି ସମୁଦ୍ର ଅଶାନ୍ତ ରହିବାର ଆଶଙ୍କା ଥିବାରୁ ନଭେମ୍ବର ୨ରୁ ୪ ତାରିଖ ପର୍ଯ୍ୟନ୍ତ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି। ଏଥିସହ ମାଇକ୍‌ ଯୋଗେ ଉପକୂଳବର୍ତ୍ତୀ ଅଞ୍ଚଳରେ ସଚେତନତା ସୃଷ୍ଟି କରାଯାଉଛି। ନିଜ ଜୀବନର ସୁରକ୍ଷାକୁ ପ୍ରାଥମିକତା ଦେବା ସହ ଡଙ୍ଗା, ଜାଲ ଓ ଅନ୍ୟାନ୍ୟ ମାଛଧରା ସାମଗ୍ରୀକୁ ସୁରକ୍ଷିତ ସ୍ଥାନରେ ରଖିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ ଦିଆଯାଇଛି। ଅନ୍ୟପକ୍ଷରେ ଜିଲ୍ଲାପାଳ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହ ବୈଠକ କରି ସମ୍ଭାବ୍ୟ ବାତ୍ୟାର ମୁକାବିଲା ନିମନ୍ତେ ଆଗୁଆ ପ୍ରସ୍ତୁତି ଓ ଆବଶ୍ୟକୀୟ ବ୍ୟବସ୍ଥା ସୁନିଶ୍ଚିତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରୁରୀକାଳୀନ ସେବା, ଉଦ୍ଧାର ଓ ରିଲିଫ୍‌ କାର୍ଯ୍ୟକୁ ସଜାଗ ରଖିବା ସହ ବିପଦପୂର୍ଣ୍ଣ ଅଞ୍ଚଳରେ ରହୁଥିବା ଲୋକଙ୍କୁ ସମୟୋଚିତ ସୂଚନା ଓ ଆବଶ୍ୟକ ସହାୟତା ଯୋଗାଇଦେବା ଉପରେ ପ୍ରଶାସନ ଗୁରୁତ୍ୱ ଦେଇଛି। ପୂର୍ବରୁ ବନ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ଲୋକେ ଏବେ ବି ରିଲିଫ୍‌ ଓ ପୁନରୁଦ୍ଧାର ସହାୟତା ଉପରେ ନିର୍ଭର କରୁଥିବାରୁ ପୁଣି ବର୍ଷା ଓ ବାତ୍ୟାର ଆଶଙ୍କା ସେମାନଙ୍କ ଚିନ୍ତାକୁ ଦ୍ୱିଗୁଣିତ କରିଛି। ତେଣୁ ସମ୍ଭାବ୍ୟ ବିପଦକୁ ଦୃଷ୍ଟିରେ ରଖି ଜନସାଧାରଣଙ୍କୁ ସତର୍କ ରହିବା ସହ ପ୍ରଶାସନର ନିର୍ଦ୍ଦେଶାବଳୀ ପାଳନ କରିବାକୁ ପରାମର୍ଶ ଦିଆଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ