ବାତ୍ୟା ଓ ବନ୍ୟା ବିପନ୍ନଙ୍କୁ ତୁରନ୍ତ ସହାୟତା ଦାବି କଲା ସିପିଆଇ
ଛତ୍ରପୁର, (ଓ୍ବାଇଏନଏସ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ଯୋଗୁଁ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ସୃଷ୍ଟି ହୋଇଥିବା ଦୁର୍ଦ୍ଦଶା ଓ ବ୍ୟାପକ କ୍ଷୟକ୍ଷତିକୁ ଦୃଷ୍ଟିରେ ରଖି ବିପନ୍ନଙ୍କୁ ତୁରନ୍ତ ରିଲିଫ୍ ଓ ଆର୍ଥିକ ସହାୟତା ଯୋଗାଇଦେବାକୁ ଭାରତୀୟ କମ୍ୟୁନିଷ୍ଟ ପାର୍ଟି (ସିପିଆଇ)ର ଗଞ୍ଜାମ ଜିଲ୍ଲା କମିଟି ଦାବି କରିଛି। ଏନେଇ ରବିବାର ଜିଲ୍ଲା ସମ୍ପାଦକ ଶ୍ରୀହର୍ଷ ରଥ ଓ ସହ – ସମ୍ପାଦକ ନୀଳକଣ୍ଠ ଦାଶ ଙ୍କ ନେତୃତ୍ୱରେ ଏକ ଜିଲ୍ଲାସ୍ତରୀୟ ପ୍ରତିନିଧି ଦଳ ଜିଲ୍ଲାପାଳ ଏବଂ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ଦେବଦତ୍ତ ପଣ୍ଡାଙ୍କ ସହ ଆଲୋଚନା କରି ବିଭିନ୍ନ ଦାବି ଉପସ୍ଥାପନ କରିଛନ୍ତି। ସିପିଆଇ ପ୍ରତିନିଧି ଦଳ ଗତ ଦୁଇଦିନ ଧରି ଜିଲ୍ଲାର ବିଭିନ୍ନ ବାତ୍ୟା ଓ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ସ୍ଥିତି ଅନୁଧ୍ୟାନ କରିଥିଲେ। ଏହି ସମୟରେ ବିପନ୍ନ ଲୋକଙ୍କ ସମସ୍ୟା, ଚାଷଜମିର କ୍ଷୟକ୍ଷତି ଓ ଅନ୍ୟାନ୍ୟ କ୍ଷତି ସମ୍ପର୍କିତ ତଥ୍ୟ ସଂଗ୍ରହ କରାଯାଇଥିଲା। ପରେ ସ୍ଥିତି ସମ୍ପର୍କରେ ଜିଲ୍ଲା ପ୍ରଶାସନ ଙ୍କୁ ଅବଗତ କରାଯାଇଥିଲା ବନ୍ୟାଘେରରେ ରହିଥିବା ଲୋକଙ୍କୁ ତୁରନ୍ତ ଉଦ୍ଧାର କରିବା ସହ ଯୋଗାଯୋଗ ଓ ଯାତାୟାତ ବ୍ୟବସ୍ଥା ସ୍ୱାଭାବିକ କରିବାକୁ ସିପିଆଇ ଦାବି କରିଛି। ପରିସ୍ଥିତି ସମ୍ପୂର୍ଣ୍ଣ ସୁଧାରିବା ପର୍ଯ୍ୟନ୍ତ ବିପନ୍ନ ପରିବାରଙ୍କୁ ଅତ୍ୟାବଶ୍ୟକ ସାମଗ୍ରୀ, ରନ୍ଧା ଖାଦ୍ୟ, ବିଶୁଦ୍ଧ ପାନୀୟ ଜଳ ଓ ସ୍ୱାସ୍ଥ୍ୟସେବା ଯୋଗାଇବା ସହ ତୁରନ୍ତ ଆର୍ଥିକ ସହାୟତା ପ୍ରଦାନ କରିବାକୁ ଦଳ ଦାବି କରିଛି। ସେହିପରି ବାତ୍ୟା ଓ ବନ୍ୟା ଯୋଗୁଁ ବ୍ୟାପକ ଫସଲ ନଷ୍ଟ ହୋଇଥିବାରୁ ଚାଷୀଙ୍କ ଉପସ୍ଥିତିରେ କ୍ଷୟକ୍ଷତିର ସଠିକ୍ ଆକଳନ କରି ତୁରନ୍ତ ଫସଲ ବୀମା ଓ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ କରିବାକୁ ଦାବି ହୋଇଛି। କ୍ଷତିଗ୍ରସ୍ତ ବ୍ୟବସାୟୀଙ୍କୁ ମଧ୍ୟ ସରକାରୀ ସହାୟତା ଦେବା, ପ୍ରଭାବିତ ଅଞ୍ଚଳରେ ରାସ୍ତାଘାଟ ମରାମତି କରିବା ଏବଂ ବିଦ୍ୟୁତ୍ ସଂଯୋଗକୁ ଯୁଦ୍ଧକାଳୀନ ଭିତ୍ତିରେ ସ୍ୱାଭାବିକ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି।
ଏଥିସହ ଗଞ୍ଜାମ ଜିଲ୍ଲାରେ ବାରମ୍ବାର ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ମୂଳ କାରଣ ଅନୁଧ୍ୟାନ କରି ଭବିଷ୍ୟତରେ ଏଭଳି ବିପର୍ଯ୍ୟୟର ମୁକାବିଲା ଓ ବନ୍ୟା ନିୟନ୍ତ୍ରଣ ପାଇଁ ଏକ ସ୍ଥାୟୀ ଓ ନିର୍ଦ୍ଦିଷ୍ଟ ଯୋଜନା ପ୍ରସ୍ତୁତ କରିବାକୁ ସିପିଆଇ ଦାବି କରିଛି। ବିପତ୍ତି ସମୟରେ ପ୍ରଶାସନକୁ ସହଯୋଗ କରିବା ପାଇଁ ସିପିଆଇର କର୍ମୀମାନେ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ କରିବାକୁ ପ୍ରସ୍ତୁତ ଥିବା ପ୍ରତିନିଧି ଦଳ ଜଣାଇଛି। ତେବେ ଦାବିଗୁଡ଼ିକ ପୂରଣରେ ସରକାର କିମ୍ବା ପ୍ରଶାସନ ଅବହେଳା କଲେ ଆଗାମୀ ଦିନରେ ସମଗ୍ର ଗଞ୍ଜାମ ଜିଲ୍ଲାରେ ବ୍ୟାପକ ଆନ୍ଦୋଳନ କରାଯିବ ବୋଲି ସିପିଆଇ ପକ୍ଷରୁ ଚେତାବନୀ ଦିଆଯାଇଛି। ଏହି ଆଲୋଚନା ଏବଂ ଗତ ସମୟରେ ଜିଲ୍ଲା ସହ-ସମ୍ପାଦକ ନୀଳକଣ୍ଠ ଦାଶ, ରାଜ୍ୟ ସମ୍ପାଦକମଣ୍ଡଳୀ ସଦସ୍ୟ ପ୍ରକାଶ ପାତ୍ର, ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ସିଏଚ୍. ଜନାର୍ଦ୍ଦନ ରେଡ୍ଡୀ, ଛତ୍ରପୁର ଜୋନାଲ ସମ୍ପାଦକ ଡି. ଆଦିନାରାୟଣ ରେଡ୍ଡୀ, ଏସ୍. କ୍ରିଷ୍ଣା ରେଡ୍ଡୀ, ପୀତବାସ ମହାପାତ୍ର, ହରପ୍ରସାଦ ଆଚାରୀ, ବିଦେଶୀ ନାହାକ, କୈଳାଶ ପାତ୍ର ଓ ଅନ୍ତର୍ଯ୍ୟାମୀ ସ୍ୱାଇଁ ପ୍ରମୁଖ ଉପସ୍ଥିତ ଥିଲେ।


