ପୌରପାଳିକା ବ୍ରାହ୍ମଣ ସମିତିର ବାର୍ଷିକ ଉତ୍ସବ
ବାଲେଶ୍ୱର,(ସରୋଜ ପଣ୍ଡା): ବାଲେଶ୍ୱର ପୌରାଞ୍ଚଳ ବ୍ରାହ୍ମଣ ସମିତି ପକ୍ଷରୁ ମିର୍ଜାପୋଖରୀ ଲେନ୍ସ୍ଥିତ ‘ଗୌରାଶ୍ରୟ ଭବନ’ରେ ବାର୍ଷିକ ଉତ୍ସବ ମହାସମାରୋହରେ ସମାପ୍ତ ହୋଇଛି। ସମିତିର ସଭାପତି ଡ. ଗୌରସାଧନ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ପଣ୍ଡିତ କମଳାକାନ୍ତ ତ୍ରିପାଠୀ ମଙ୍ଗଳାଷ୍ଟକ ପାଠକରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ପଣ୍ଡିତ ଶକ୍ତିପଦ ପଣ୍ଡା ଓ ପଣ୍ଡିତ ପ୍ରଦୀପ ପତି ବେଦପାଠ କରିଥିଲେ। ଉଦ୍ଘାଟକ ବାଲେଶ୍ୱର ସଦର ବିଧାୟକ ମାନସ କୁମାର ଦତ୍ତ ବ୍ରାହ୍ମଣମାନେ ପୂର୍ବକାଳରୁ ଅଦ୍ୟାବଧି ସମାଜକୁ ସଠିକ୍ ମାର୍ଗ ଦର୍ଶନରେ ସହାୟକ ହେଉଥିବାର କହିଥିଲେ। ‘ସର୍ବେ ଭବନ୍ତୁ ସୁଖିନଃ’ ହିଁ ବ୍ରାହ୍ମଣମାନଙ୍କ ଆଦର୍ଶ ହେବା ଉଚିତ ବୋଲି ଶ୍ରୀ ଦତ୍ତ ମତ ପ୍ରକାଶ କରିଥିଲେ। ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱବିଦ୍ୟାଳୟର ଅବସରପ୍ରାପ୍ତ କୁଳପତି ଡ. ହରିହର ହୋତା ମୁଖ୍ୟ ଅତିଥିଭାବେ ରାଜ୍ୟବ୍ରାହ୍ମଣ ମହାସଂଘର ସଭାପତି ଡ. ସଦାନନ୍ଦ ଦୀକ୍ଷିତ ପ୍ରମୁଖ ପ୍ରଦୀପ ପ୍ରଜ୍ଜ୍ୱଳନ କରିଥିଲେ। ରାଜ୍ୟ ମହାସଂଘର ବରିଷ୍ଠ କର୍ମକର୍ତ୍ତା କୃଷ୍ଣଚନ୍ଦ୍ର ପତ୍ରୀ, ରମେଶ ଚନ୍ଦ୍ର ମହାପାତ୍ର, ଶାନ୍ତନୁ କୁମାର ମିଶ୍ର, ଗୋପୀନାଥ କର, ଅକ୍ଷୟ କୁମାର ମିଶ୍ର ଓ ଲୋକନାଥ ଧର ଉପସ୍ଥିତ ସଦସ୍ୟମାନଙ୍କୁ ଶୁଭେଚ୍ଛା ଜଣାଇ ପୌରାଞ୍ଚଳର ବ୍ରାହ୍ମଣମାନଙ୍କର ଐକ୍ୟକୁ ଧନ୍ୟବାଦ ଦେଇଥିଲେ। ରାଷ୍ଟ୍ରପତି ପୁରସ୍କାରପ୍ରାପ୍ତ ଶିକ୍ଷକ ପ୍ରଦୀପ କୁମାର ମିଶ୍ର ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ ଓ ଅତିଥିମାନେ ଶ୍ରୀଶ୍ରୀ ଜଗନ୍ନାଥଙ୍କ ଫଟୋଚିତ୍ରରେ ପୁଷ୍ପାର୍ଘ୍ୟ ଅର୍ପଣ କରିଥିଲେ। ଅତିଥିମାନଙ୍କୁ ପୌରପାଳିକା ସମିତି ପକ୍ଷରୁ ଚନ୍ଦ୍ରାଂଶୁ ବାନାର୍ଜୀ, ବୀରେନ୍ଦ୍ର କୁମାର କର ଓ ଗୌର ପ୍ରତୀକ ମିଶ୍ର ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ। ଏହି ଅବସରରେ ନିତାଇ ଗୌର ମନ୍ଦିରରେ ନାମ ସଂକୀର୍ତ୍ତନ କରାଯାଇଥିଲା। ପୌରପାଳିକା ବ୍ରାହ୍ମଣ ସମିତିର ସଂପାଦକ ଶାନ୍ତି ସ୍ୱରୂପ ମିଶ୍ର ସାଂଗଠନିକ ଓ ଆୟବ୍ୟୟର ବିବରଣୀ ପାଠ କରିଥିଲେ। ନୂତନ କର୍ମକର୍ତ୍ତାଙ୍କ ନାମ ପାଠ କରାଯିବା ପରେ ସର୍ବସମ୍ମତିକ୍ରମେ ଗୃହୀତ ହୋଇଥିଲା। ଏହି ଅବସରରେ ନୀଳଗିରି ସମିତିର ସଭାପତି ସୂର୍ଯ୍ୟନାରାୟଣ ଷଡ଼ଙ୍ଗୀଙ୍କ ମାଧ୍ୟମରେ ପୃଷ୍ଠପୋଷକ ସଭ୍ୟ ସୁରେଶ କୁମାର ଦାସ ପୌରପାଳିକା ବ୍ରାହ୍ମଣ ସମିତିର ନିଜସ୍ୱ ଜମି ଓ ଗୃହ ସହ ବେଦ ବିଦ୍ୟାଳୟ ପାଇଁ ଆର୍ଥିକ ଅନୁଦାନ ପ୍ରଦାନ ପାଇଁ ଘୋଷଣା କରିବାରୁ ତାଙ୍କୁ ବରିଷ୍ଠ ଉପଦେଷ୍ଟା ଗୌରାଙ୍ଗ ପାଣିଗ୍ରାହୀ ଓ ବୀରକିଶୋର ପାଣିଗ୍ରାହୀ ସମ୍ବର୍ଦ୍ଧିତ କରିଥିଲେ। ଆଲୋଚନାରେ ଅଂଶଗ୍ରହଣ କରି ଅକ୍ଷୟ କୁମାର ତ୍ରିପାଠୀ, ଜଗନ୍ମୟ ମିଶ୍ର, ଜଗବନ୍ଧୁ ଦାଶ, କୃତିବାସ ପଣ୍ଡା, ସର୍ବେଶ୍ୱର ପତି, ସରୋଜ ନାରାୟଣ ଷଡ଼ଙ୍ଗୀ, ହରିଶ୍ଚନ୍ଦ୍ର ପଣ୍ଡା, ତପନ କୁମାର କର, ଗୌରଜ୍ୟୋତି ମିଶ୍ର, ସଞ୍ଜିତ କୁମାର ଦାଶ, ଦିପ୍ତିସ୍ୱରୂପ ମିଶ୍ର, ଭାସ୍କର ମିଶ୍ର, ଅଶୋକ କୁମାର ତ୍ରିପାଠୀ, ନୀଳାମ୍ବର ମହାପାତ୍ର, ଶ୍ୟାମସୁନ୍ଦର ଶୁକ୍ଳ, ଗଣେଶ୍ୱର ପଣ୍ଡା ଓ ଗିରିଶ କୁମାର ପାଣିଗ୍ରାହୀ ପ୍ରମୁଖ ବ୍ରାହ୍ମଣ ସମିତିର ବ୍ଲକ୍ ସ୍ତରରୁ ଜିଲ୍ଲାସ୍ତର ପର୍ଯ୍ୟନ୍ତ ସଂଗଠନକୁ ସୁଦୃଢ଼ କରି ଏହାକୁ ଏକ ଆଦର୍ଶ ସଂଗଠନ ଭାବେ ପ୍ରତିପାଦିତ କରିବାକୁ ବିଭିନ୍ନ ପରାମର୍ଶ ଓ ମତାମତ ଦେଇଥିଲେ। ରାଧାକୃଷ୍ଣ ଆଚାର୍ଯ୍ୟ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। ସଭାପତି ଶ୍ରୀ ମିଶ୍ରଙ୍କ ନାତୁଣୀର ଶୁଭ ଅନ୍ନପ୍ରାଶନ୍ନ ଅବସରରେ ସମ୍ମିଳନୀରେ ଉପସ୍ଥିତ ବ୍ୟକ୍ତିମାନଙ୍କୁ ଭୋଜନରେ ଅପ୍ୟାୟିତ କରାଯାଇଥିଲା।


