ପୁଣି ସାମ୍ନାକୁ ଆସିଲା ଟ୍ରେନ ଦୁର୍ଘଟଣା, କଟକରେ ଓଲଟିଲା ମାଲବାହୀ ଟ୍ରେନ
କଟକ,(ଓ୍ବାଇଏନଏସ): ପୁଣି ସାମ୍ନାକୁ ଆସିଲା ଟ୍ରେନ ଦୁର୍ଘଟଣା । ଓଲଟିଲା ମାଲବାହୀ ଟ୍ରେନ । କଟକ ରେଳ ଷ୍ଟେସନରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ । ମାଲବାହୀ ଗାଡ଼ିର ଖାଲି ଥିବା ତିନୋଟି ବଗି ଲାଇନଚ୍ୟୁତ ହୋଇଛି । ଗୋଟିଏ ବଗି ସମ୍ପୂର୍ଣ୍ଣ ଟ୍ରାକରୁ ବାହାରି ଓଲଟି ପଡିଛି । ଏପରିକି ବଗିଟି ଗୋଟିଏ ଟ୍ରାକରୁ ବାହାରି ଅନ୍ୟ ଗୋଟିଏ ଟ୍ରାକ ଉପରେ ପଡି ରହିଛି । ଓଏମପି ଓଭର୍ ବ୍ରିଜରୁ ଷ୍ଟେସନ ଆସୁଥିବା ବେଳେ ଟ୍ରେନଟି ଲାଇନଚ୍ୟୁତ ହୋଇଥିବା ରେଳ ବିଭାଗ ପକ୍ଷରୁ ସୂଚନା ମିଳିଛି । କଟକ ରେଳ ଷ୍ଟେସନର ଆଠ ନମ୍ବର ଟ୍ରାକରେ ଓଲଟିଲା ମାଲବାହୀ ଟ୍ରେନ । ଓଲଟିଥିବା ବଗିରେ କୌଣସି ସାମଗ୍ରୀ ନଥିବା ବେଳେ ଓଏମପି ଓଭର୍ ବ୍ରିଜରୁ ଷ୍ଟେସନ ଆଡ଼କୁ ଆସୁଥିଲା ଏହି ଟ୍ରେନ । ଏହି ଘଟଣାରେ କାହାର ଜୀବନ ଯାଇନଥିବା ବେଳେ କିଛି ରେଳଟ୍ରାକ ଏବଂ ଉକ୍ତ ମାଲବାହୀ ଟ୍ରେନର 3ଟି ବଗି କ୍ଷତିଗ୍ରସ୍ତ ହୋଇଛି । ହେଲେ ଏହି ଦୁର୍ଘଟଣା ପରେ ରେଳ ଚଳାଚଳରେ କୌଣସି ବାଧା ଉପୁଜି ନାହିଁ । ରେଳ ଚଳାଚଳ ସ୍ଥିତି ସ୍ଵାଭାବିକ ରହିଛି । ଏହି ଘଟଣା ପାଇଁ ଅନ୍ୟ ଟ୍ରେନ ଗୁଡ଼ିକ ଯାତାୟତ ସମୟରେ କୌଣସି ପରିବର୍ତ୍ତନ କରାଯାଇନାହିଁ ବୋଲି ସୂଚନା ଦେଇଛି ରେଳ ବିଭାଗ । ଏନେଇ ଖୋର୍ଦ୍ଧା ଅତିରିକ୍ତ ଡିଭିଜନାଲ ରେଲୱେ ମ୍ୟାନେଜର ଶୁଭ୍ରଜିତ ମଣ୍ଡଳ କହିଛନ୍ତି, ‘ଟ୍ରାକ ଡିଫେକ୍ଟ୍ କିମ୍ବା ବଗିରେ ମାଲ୍ ଓଭର୍ ଲୋଡ଼ିଂ କିମ୍ବା ଓଭର ସ୍ପିଡ୍ କିମ୍ବା ଟେକ୍ନିକାଲ ଫଲ୍ଟ ଏହି ତିନୋଟି କାରଣ ଟ୍ରାକରୁ ଲାଇନ୍ଚ୍ୟୁତର କାରଣ ହୋଇପାରେ । ତେବେ ଏହି ଘଟଣାରେ ତଦନ୍ତ ପରେ ହିଁ ସ୍ପଷ୍ଟ ଜଣା ପଡିବ । ବଗି ଗୁଡିକ ତୁରନ୍ତ ଟ୍ରାକରୁ ହଟାଇବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଶହେରୁ ଊର୍ଦ୍ଧ୍ବ କର୍ମଚାରୀ ଏହି କାର୍ଯ୍ୟରେ ନିୟୋଜିତ ରହିଛନ୍ତି । ଦିନ ୩ଟା ସୁଦ୍ଧା ଲାଇନ୍ କ୍ଲିଅର୍ ହୋଇଯିବ । କେଉଁ ପରିସ୍ଥିତିରେ ଏପରି ଅଘଟଣ ଘଟିଲା ତାହାର ତଦନ୍ତ ଜାରି ରହିଛି । ଯଦି କୌଣସି କାର୍ଯ୍ୟ ଅବହେଳା ସାମ୍ନାକୁ ଆସେ ତେବେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।’