ହସ୍ତତନ୍ତ ସାମଗ୍ରୀ କିଣି କାରିଗରଙ୍କ ଜୀବିକାକୁ ସୁଦୃଢ଼ କରିବାକୁ ଅପିଲ୍
କଳାହାଣ୍ଡି,(ଚିତ୍ତରଞ୍ଜନ ବିଷି): ଜାତୀୟ ହସ୍ତତନ୍ତ ଦିବସ ଅବସରରେ ରାଜ୍ୟସଭା ସାଂସଦ ସୁଜିତ କୁମାର ଓଡ଼ିଶାର ହସ୍ତତନ୍ତ ଶିଳ୍ପୀ ଓ କାରିଗରମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସେମାନଙ୍କର ନିଷ୍ଠା, ପରିଶ୍ରମ ଏବଂ ଅବଦାନକୁ ଉଚ୍ଚ ପ୍ରଶଂସା କରିଛନ୍ତି। ସୋସିଆଲ ମିଡିଆରେ ଶିଳ୍ପୀ ଓ କାରିଗରମାନଙ୍କ ସହ ତାଙ୍କର କିଛି ସ୍ମରଣୀୟ ମୁହୂର୍ତ୍ତର ଫଟୋ ସେୟାର କରି ସେ କହିଛନ୍ତି ଯେ, ହସ୍ତତନ୍ତ ଶିଳ୍ପ କେବଳ ଏକ ବ୍ୟବସାୟ ନୁହେଁ, ବରଂ ଓଡ଼ିଶାର ସମୃଦ୍ଧ ସଂସ୍କୃତି, ପରମ୍ପରା ଓ ଐତିହ୍ୟର ଜୀବନ୍ତ ପରିଚୟ।
ସୁଜିତ କୁମାର କହିଛନ୍ତି ଯେ, ଓଡ଼ିଶାର ସମ୍ବଲପୁରୀ ବାନ୍ଧା, ବୋମକାଇ, କୋଟପାଡ଼, ବ୍ରହ୍ମପୁରୀ ପଟ୍ଟ, କଳାହାଣ୍ଡିର ହବସପୁରୀ, ନୂଆପଟଣା ଖଣ୍ଡୁଆ ଏବଂ ପସାପଲ୍ଲୀ ଭଳି ପ୍ରସିଦ୍ଧ ହସ୍ତତନ୍ତ ବସ୍ତ୍ର କେବଳ ଦେଶରେ ନୁହେଁ, ବିଶ୍ୱସ୍ତରରେ ମଧ୍ୟ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏହି ବସ୍ତ୍ରଗୁଡ଼ିକ ଆମର ପାରମ୍ପରିକ କଳା, ସୃଜନଶୀଳତା ଏବଂ କାରିଗରଙ୍କ ଅସାଧାରଣ ଦକ୍ଷତାର ପ୍ରତୀକ ବୋଲି ସେ କହିଛନ୍ତି। ସେ କହିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ‘ଭୋକାଲ୍ ଫର୍ ଲୋକାଲ୍’ ଆହ୍ୱାନ ସ୍ଥାନୀୟ ଉତ୍ପାଦ ଓ କାରିଗରଙ୍କୁ ନୂତନ ପରିଚୟ ଦେଇଛି। ଦେଶବାସୀ ଯଦି ସ୍ୱଦେଶୀ ହସ୍ତତନ୍ତ ସାମଗ୍ରୀକୁ ଅଗ୍ରାଧିକାର ଦିଅନ୍ତି, ତେବେ ଲକ୍ଷ ଲକ୍ଷ କାରିଗର ପରିବାର ଆର୍ଥିକ ଭାବେ ସଶକ୍ତ ହେବା ସହିତ ଆମର ପ୍ରାଚୀନ କଳା ଓ ପରମ୍ପରା ମଧ୍ୟ ଆଗାମୀ ପିଢ଼ି ପାଇଁ ସଂରକ୍ଷିତ ରହିପାରିବ। ସୁଜିତ କୁମାର ଆହୁରି କହିଛନ୍ତି ଯେ, ପ୍ରତ୍ୟେକ ହସ୍ତତନ୍ତ ସାମଗ୍ରୀ କ୍ରୟ ପଛରେ ଗୋଟିଏ କାରିଗର ପରିବାରର ଜୀବିକା ଓ ଆଶା ଜଡ଼ିତ ରହିଛି। ଆମେ ଯେତେବେଳେ ସ୍ଥାନୀୟ ହସ୍ତତନ୍ତ ଉତ୍ପାଦ କିଣୁଛୁ, ସେତେବେଳେ କେବଳ ଗୋଟିଏ ବସ୍ତ୍ର କିଣୁନାହୁଁ, ବରଂ ଜଣେ କାରିଗରଙ୍କ ପରିଶ୍ରମକୁ ସମ୍ମାନ ଦେବା ସହ ତାଙ୍କ ପରିବାରର ଆର୍ଥିକ ସୁରକ୍ଷାରେ ମଧ୍ୟ ସହଯୋଗ କରୁଛୁ। ଏହା ଗ୍ରାମାଞ୍ଚଳର ଅର୍ଥନୀତିକୁ ମଜବୁତ କରିବା ସହ ରୋଜଗାର ସୃଷ୍ଟିରେ ମଧ୍ୟ ସହାୟକ ହୋଇଥାଏ। ଜାତୀୟ ହସ୍ତତନ୍ତ ଦିବସ ଅବସରରେ ସେ ସମସ୍ତଙ୍କୁ ଓଡ଼ିଶାର ହସ୍ତତନ୍ତ ଉତ୍ପାଦ ବ୍ୟବହାର କରିବା, ସ୍ଥାନୀୟ କାରିଗରଙ୍କୁ ପ୍ରୋତ୍ସାହନ ଦେବା ଏବଂ ରାଜ୍ୟର ସମୃଦ୍ଧ ପାରମ୍ପରିକ ଐତିହ୍ୟକୁ ସୁରକ୍ଷିତ ରଖିବା ପାଇଁ ଆଗେଇ ଆସିବାକୁ ଆହ୍ୱାନ ଜଣାଇଛନ୍ତି। ସେ କହିଛନ୍ତି ଯେ, ହସ୍ତତନ୍ତ କେବଳ ଆମର ଗର୍ବ ନୁହେଁ, ବରଂ ଓଡ଼ିଶାର ସାଂସ୍କୃତିକ ପରିଚୟର ଏକ ଅମୂଲ୍ୟ ସମ୍ପଦ, ଯାହାର ସୁରକ୍ଷା ଓ ପ୍ରସାର ପାଇଁ ସମସ୍ତଙ୍କର ସହଯୋଗ ଆବଶ୍ୟକ।


