ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ୫୭ ଶିକ୍ଷକଙ୍କୁ ପ୍ରଧାନଶିକ୍ଷକ ଭାବେ ନିଯୁକ୍ତି ପତ୍ର ପ୍ରଦାନ

ହାଟଡିହି, (ଓ୍ବାଇଏନଏସ) : ହାଟଡିହି ବ୍ଲକର ଶିକ୍ଷକମାନଙ୍କ ପାଇଁ ଆଜି ଏକ ଖୁସିର ଦିନ ପାଲଟିଛି। ହାଟଡିହି ବ୍ଲକ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ବ୍ଲକର ୫୭ ଜଣ ଶିକ୍ଷକଙ୍କୁ ଲେଭଲ-୩ ପଦୋନ୍ନତି ନିଯୁକ୍ତି ପତ୍ର ପ୍ରଦାନ କରାଯାଇଛି। ଦୀର୍ଘଦିନ ଧରି ଶିକ୍ଷକ ମାନେ ପଦୋନ୍ନତି ପାଇଁ ଯୋଗ୍ୟ ହୋଇ ସାରିଥିଲେ ମଧ୍ୟ କେନ୍ଦୁଝର ଜିଲ୍ଲାରେ ତାହା ଲାଗୁ କରାଯାଉ ନଥିଲା। ଶିକ୍ଷାଦାନ କ୍ଷେତ୍ରରେ ସେବା ଯୋଗାଇ ଆସୁଥିବା ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ମଧ୍ୟରେ ଅସନ୍ତୋଷ ଲାଗି ରହିଥିଲା। ଅନେକ ଦିନର ଅପେକ୍ଷାର ଅନ୍ତ ପରେ ଆଜି ଏହି ପଦୋନ୍ନତି ମିଳିଥିବାରୁ ସେମାନଙ୍କ ମଧ୍ୟରେ ଆନନ୍ଦ ପ୍ରକାଶ ପାଇଛି। ଏହି ଅବସରରେ ବ୍ଲକ ଶିକ୍ଷା ଅଧିକାରୀ ରାଜୀବ ଦଳେଇଙ୍କ ସମେତ ବ୍ଲକ ସହକାରୀ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ ଏବଂ ଭାରପ୍ରାପ୍ତ ବ୍ଲକ ସହକାରୀ ଶିକ୍ଷା ଅଧିକାରୀ ପୂର୍ଣ୍ଣଚନ୍ଦ୍ର ଜେନା, ମୁଖ୍ୟ କିରାଣୀ ଶିଶିର କୁମାର ଜେନା, ପ୍ରସନ୍ନ କୁମାର ବେହେରା, ଡିଇଓ ସୁଶାନ୍ତ ସାହୁ ପ୍ରମୁଖ ଯୋଗଦେଇ ପଦୋନ୍ନତିପ୍ରାପ୍ତ ଶିକ୍ଷକମାନଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ। ଏହା ସହିତ ଶିକ୍ଷକମାନଙ୍କୁ ନିଷ୍ଠା, ଦାୟିତ୍ୱବୋଧ ଓ ଉତ୍ସର୍ଗୀକୃତ ମନୋଭାବର ସହ ଶିକ୍ଷାଦାନ କରିବାକୁ ଅଧିକାରୀମାନେ ପରାମର୍ଶ ଦେଇଥିଲେ। ପଦୋନ୍ନତି ପାଇଥିବା ଶିକ୍ଷକମାନେ ଏହି ସୁଯୋଗ ପାଇଁ ଶିକ୍ଷା ବିଭାଗ ପ୍ରତି ଓ ସଂଘର କର୍ମକର୍ତ୍ତା ମାନଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ। ଲେଭଲ-୩ ପଦୋନ୍ନତି ଦ୍ୱାରା ଶିକ୍ଷକମାନଙ୍କ ଦାୟିତ୍ୱ ଓ କାର୍ଯ୍ୟକ୍ଷେତ୍ରରେ ନୂଆ ଉତ୍ସାହ ସୃଷ୍ଟି ହେବା ସହ ବ୍ଲକର ଶିକ୍ଷା ବ୍ୟବସ୍ଥାକୁ ଏହା ଆହୁରି ସୁଦୃଢ଼ କରିବ ବୋଲି ମତ ପ୍ରକାଶ ପାଇଛି। ଶ୍ରୀକାନ୍ତ ପଟ୍ଟନାୟକ, ପ୍ରଫୁଲ୍ଲ କୁମାର ସାହୁ, ବିଷ୍ଣୁ ପ୍ରସାଦ ସାହୁ, ଅନିରୁଦ୍ଧ ବିଶ୍ୱାଳ, କ୍ଷେତ୍ରବାସୀ ମିଶ୍ର, କେଶବ ଚନ୍ଦ୍ର ପାତ୍ର, ଙ୍କ ସମେତ ଶିକ୍ଷକ ସଂଘର କର୍ମକର୍ତ୍ତା ମାନେ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ