କଳାକାର ଅକ୍ଷୟ ସାମଲଙ୍କୁ ଓଡିଶା ରତ୍ନ ପ୍ରଦାନ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡା ମାଟିର ପୁଅ ଅକ୍ଷୟ କୁମାର ସାମଲଙ୍କୁ ଏକ ରାଜ୍ୟ ସ୍ତରୀୟ ଉତ୍ସବରେ ଓଡିଶା ରତ୍ନ ଆୱାର୍ଡ ପ୍ରଦାନ କରାଯାଇଛି। ଭୁବନେଶ୍ୱରସ୍ଥିତ ଜୟଦେବ ଭବନରେ ମୁର୍ଛନାର ବାର୍ଷିକ ଉତ୍ସବ ଅବସରରେ ତବଲାବାଦକ ଶ୍ରୀ ସାମଲଙ୍କୁ ପୁଷ୍ପଗୁଛ, ଉତ୍ତରୀୟ ଓ ମାନପତ୍ର ପ୍ରଦାନ ପୂର୍ବକ ଏହି ପୁରସ୍କାର ପ୍ରଦାନ କରାଯାଇଛି। କେନ୍ଦ୍ରାପଡା ଜିଲ୍ଲାର ମାର୍ଶାଘାଇ ବ୍ଲକ ଅଧିନ ଆଇତିପୁର ପଞ୍ଚାୟତର ବିଲବଳରାମପୁର ଗ୍ରାମରେ ଜନ୍ମ ଗ୍ରହଣ କରିଥିବା ଶ୍ରୀ ସାମଲ ପ୍ରଥମେ ଗୁରୁ ଗଙ୍ଗାଧର ସାହୁ, ନିରଞ୍ଜନ ଦାସ ଓ ପରେ ପୂର୍ଣ୍ଣାନନ୍ଦ ମହାରଣାଙ୍କ ଠାରୁ ଶିକ୍ଷା ଲାଭ କରିଥିଲେ। ଏହାପରେ ସମୀରରଞ୍ଜନ ଦାସ ଓ ଗୋପିନାଥ ବେହେରାଙ୍କ ଠାରୁ ଶିକ୍ଷାଲାଭ କରିବା ପରେ ବିଶାରଦ ପାସ କରିଥିଲେ। ପରେ ଜଣେ ଖ୍ୟାତିସମ୍ପନ୍ନ ତବଲାବାଦକ ଭାବେ ଆଦୃତି ଲାଭ କରି ବିଭିନ୍ନ ଅନୁଷ୍ଠାନରୁ ପୁରସ୍କୃତ ହୋଇଥିଲେ। ସରକାରଙ୍କ ଯୁବମହୋତ୍ସବରେ ଜଣେ ଆକମ୍ପାନିଷ୍ଟ ଭାବେ ମଧ୍ୟ ସେ ସ୍ୱୀକୃତି ଲାଭ କରିଛନ୍ତି। ଏଥିସହିତ ଜିଲ୍ଲା ବାଲ୍ଭବନର ଜଣେ ଶିକ୍ଷକ ଭାବରେ କଲିକତା ଓ ଦିଲ୍ଲୀରେ ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେଇ ସୁନାମ ଅର୍ଜ୍ଜନ କରିଛନ୍ତି।


