ଆଶାକର୍ମୀ ସଂଘ ପକ୍ଷରୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ
ଛତ୍ରପୁର (ଓ୍ବାଇଏନଏସ) : ଭାରତୀୟ ମଜଦୂର ସଂଘ ସଂଲଗ୍ନ ଓଡିଶା ରାଜ୍ୟ ଆଶାକର୍ମୀ ସଂଘ ଗଞ୍ଜାମ ଜିଲ୍ଲା ପକ୍ଷରୁ ବିଭିନ୍ନ ଦାବି ନେଇ ଗୁରୁବାର ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଏହା ସହ ଏକ ୯ ଦଫା ସମ୍ବଳିତ ଦାବିପତ୍ର ଓଡିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗଞ୍ଜାମ ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଜାତୀୟ ସ୍ୱାସ୍ଥ୍ୟ ମିଶନକୁ ସ୍ଥାୟୀ କରି ଆଶା କର୍ମୀ ମାନଙ୍କୁ ସରକାରୀ କର୍ମଚାରୀର ମାନ୍ୟତା ପ୍ରଦାନ କରାଯିବା, ସରକାରୀ ମାନ୍ୟତା ମିଳିବା ପର୍ଯ୍ୟନ୍ତ ଆଶା କର୍ମଚାରୀ ମାନଙ୍କୁ ମାସିକ ବେତନ ୧୮ ହଜାର ଟଙ୍କା ପ୍ରଦାନ କରାଯିବା, ସମସ୍ତ ଆଶା କର୍ମୀ ମାନଙ୍କୁ ସାମାଜିକ ସୁରକ୍ଷା ଯୋଜନାରେ ଇଏସଆଇ ଓ ଇପିଏଫୋ ଅନ୍ତର୍ଗତ ପଞ୍ଜୀକୃତ କରାଯିବା, ପ୍ରତି ମାସ ୧୦ ତାରିଖ ମଧ୍ୟରେ ମାନଦେୟ ପ୍ରଦାନ କରାଯିବା ଓ ପ୍ରତି ପିଏଚସି ଓ ସିଏଚସିରେ ଆଶା ଗୃହ ନିର୍ମାଣ କରାଯିବା, ଯୋଗ୍ୟତା ଭିତ୍ତିରେ ଆଶା କର୍ମୀ ମାନଙ୍କୁ ତାଲିମ ଦେଇ ଏଏନଏମ ପଦବୀକୁ ପଦୋନ୍ନତି କରାଯିବା, ଆଶା କର୍ମୀ ମାନଙ୍କୁ ପ୍ରତି ବର୍ଷ ଦୁଇ ହଳ ୟୁନିଫର୍ମ ସହିତ ରିପୋର୍ଟ ଲେଖନ ପାଇଁ ଆବଶ୍ୟକ ରେଜିଷ୍ଟର ପ୍ରଦାନ କରାଯିବା, କାର୍ଯ୍ୟ ସମୟରେ ଦୁର୍ଘଟଣା ଜନିତ ମୃତ୍ୟୁ ଘଟିଲେ ପରିବାରକୁ ୧୦ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରାଯିବା, ଅବସର ସମୟରେ ଆଶା କର୍ମୀ ମାନଙ୍କୁ ଏକ କାଳୀଣ ୧୦ ଲକ୍ଷ ଟଙ୍କା ସହାୟତା ଓ ପ୍ରତିମାସ ଭତ୍ତା ବାବଦକୁ ୫ ହଜାର ଟଙ୍କା ପ୍ରଦାନ କରାଯିବା ଓ କାର୍ଯ୍ୟ ସୁବିଧା ପାଇଁ ସମସ୍ତ ଆଶା କର୍ମୀ ମାନଙ୍କୁ ଉଚ୍ଚ ଗୁଣବତ୍ତା ସମ୍ପନ୍ନ ଫାଇବ ଜି ମୋବାଇଲ ବା ଟାବଲେଟ ପ୍ରଦାନ କରାଯିବା ପାଇଁ ସେମାନେ ଦାବି କରିଛନ୍ତି । ବହୁ ଆଶାକର୍ମୀ ମାନେ ସ୍ଥାନୀୟ ନୂଆ ବସଷ୍ଟାଣ୍ଡରୁ ଏକ ଶୋଭାଯାତ୍ରାରେ ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ପହଂଚି ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ଏହି ବିକ୍ଷୋଭ ପ୍ରଦର୍ଶନ ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆସିଥିବା ବହୁ ଆଶା କର୍ମୀ ମାନେ ସାମିଲ ଥିଲେ ।