ଆସିକା ଏନ୍ଏସି ସାହିବସ୍ତିର ରାସ୍ତା ପାଲଟିଛି ଗୋଶାଳା: ଜନସାଧାରଣଙ୍କ ଯାତାୟତରେ ଅସୁବିଧା
ଆସିକା (ୱାଇଏନ୍ଏସ୍) ଗତ କିଛି ମାସ ହେଲା ଆସିକା ଏନ୍ଏସି ପରିସରଭୁକ୍ତ ଅଧିକାଂଶ ୱାର୍ଡର ସାହିବସ୍ତିରେ ବୁଲା ଗାଇଗୋରୁ ଓ ମାରଣା ଷଣ୍ଢଙ୍କ ଉପଦ୍ରବ ଅତିମାତ୍ରାରେ ବୃଦ୍ଧି ପାଇ ଚାଲିଥିଲା ବେଳେ ଏହାକୁ ନିୟନ୍ତ୍ରଣ କରିବା ଦିଗରେ ଏନ୍ଏସି କର୍ତ୍ତୃପକ୍ଷଙ୍କ ନିରବତାକୁ ନେଇ ସାଧାରଣରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଥିବା ଲକ୍ଷ୍ୟ କରାଯାଇଛି । ବୁଲା ଗାଇଗୋରୁ ଓ ମାରଣା ଷଣ୍ଡମାନେ ଦଳଦଳ ହୋଇ ମୁଖ୍ୟ ରାସ୍ତାରେ ଘଣ୍ଟା ଘଣ୍ଟା ଧରି ରହୁଥିବା ଯୋଗୁଁ ସାଧାରଣ ଜନତାଙ୍କ ଯାତାୟତରେ ନାହିଁ ନଥିବା ସମସ୍ୟା ସୃଷ୍ଟି ହେଉଛି । ଏପରିକି ମାରଣା ଷଣ୍ଢମାନେ ପରସ୍ପର ମଧ୍ୟରେ ସଂଘର୍ଷ କରୁଥିବା ଯୋଗୁଁ ବହୁ ଦୁଇ ଚକିଆ ଯାନ ଭାଙ୍ଗିରୁଜି ଚୁରମାର ହେଉଥିବା ବେଳେ ଷଣ୍ଢ ଆକ୍ରମଣରେ ବହୁ ବ୍ୟକ୍ତି ମଧ୍ୟ ଆହତ ହେଉଥିବା ଦେଖିବାକୁ ମିଳୁଛି । ମାରଣା ଷଣ୍ଢଙ୍କ ଉପଦ୍ରବ ଯୋଗୁଁ ଉକ୍ତ ଅଞ୍ଚଳର ପିଲାଠାରୁ ଆରମ୍ଭ କରି ବୟସ୍କଙ୍କ ପର୍ଯ୍ୟନ୍ତ ରାସ୍ତାରେ ଚାଲି ଚାଲି ଯିବାକୁ ନିରାପଦ ମଣୁ ନଥିବା ବେଳେ ଦୁର୍ଭାଗ୍ୟବଶତଃ ମାରଣା ଷଣ୍ଢର ଆକ୍ରମଣରେ କାହାର ଜୀବନ ହାନି ଘଟିଲେ ଉତ୍ତରଦାୟୀ କିଏ ରହିବ ବୋଲି ସାଧାରଣରେ ଏକ ପ୍ରଶ୍ନବାଚୀ ସୃଷ୍ଟି କରୁଥିବା ଲକ୍ଷ୍ୟ କରାଯାଇଛି । ବୁଲା ଗାଇଗୋରୁ ଓ ଷଣ୍ଢମାନେ କେତେବେଳେ ପଥଚାରୀଙ୍କ ବାଟ ଓଗାଳୁଛନ୍ତି ତ ଅନ୍ୟ କେତେବେଳେ ରାସ୍ତା ମଝିରେ ଦଳଦଳ ହୋଇ ଠିଆହୋଇ ଟ୍ରାଫିକ୍ ଜାମ କରୁଛନ୍ତି । ଆସିକା ସହରର କେତେକ ସାହି ବସ୍ତିର ଏହା ହେଉଛି ନିତିଦିନିଆ ଦୃଶ୍ୟ । ବୁଲା ଗାଇଗୋରୁ ଓ ଷଣ୍ଢଙ୍କ ସଂଖ୍ୟା ସାହିବସ୍ତି ଗୁଡିକରେ ଦିନକୁ ଦିନ ବୃଦ୍ଧି ପାଇ ଚାଲିଥିବା ବେଳେ ଏନ୍ଏସି କର୍ତ୍ତୃପକ୍ଷ ବୁଲା ଗାଇଗୋରୁ ଓ ଷଣ୍ଢଙ୍କୁ ଧରିବାରେ ଏକ ପ୍ରକାର ଦୁର୍ବଳତା ପ୍ରକାଶ କରୁଥିବା ଚର୍ଚ୍ଚା ହେଉଛି । ସାଧାରଣ ଜନତା ଓ ପଥଚାରୀଙ୍କ ସ୍ୱାର୍ଥକୁ ସଂପୂର୍ଣ୍ଣ ରୂପେ ଜଳାଞ୍ଜଳି ଦେଇ ବେଆଇନ ଭାବେ ଗାଇଗୋରୁଙ୍କୁ ରାସ୍ତା ଉପରକୁ ଛାଡୁଥିବା ଗାଇଗୋରୁ ମାଲିକଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବୀ ହେଉଛି । ବୁଲା ଗାଇଗୋରୁଙ୍କୁ ଧରି ରଖିବା ଲାଗି ଅତୀତରେ ଆସିକା ଏନ୍ଏସି ପକ୍ଷରୁ କାଞ୍ଜିଆହୁଦା ନିର୍ମାଣ କରାଯାଇଥିଲା ବେଳେ ଗାଇଗୋରୁ ମାଲିକଙ୍କଠାରୁ ଜରିମାନା ମଧ୍ୟ ଆଦାୟ କରାଯାଉଥିଲା । ତେବେ ଗତକିଛି ବର୍ଷ ହେଲା ତାହା କାର୍ଯ୍ୟକାରୀ ହେଉନଥିବା ଯୋଗୁଁ ବୁଲା ଗାଇଗୋରୁ ଓ ଷଣ୍ଢଙ୍କ ଉପଦ୍ରବ ଦିନକୁ ଦିନ ସାହିବସ୍ତି ଗୁଡିକରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି ବୋଲି ଅଭିଯୋଗ ହେଉଛି । ବୁଲା ଗାଇଗୋରୁଙ୍କ ନିରାପଦ ଆଶ୍ରୟ ସ୍ଥଳ ପାଲଟିଛି ସାହି ବସ୍ତିର ରାସ୍ତା। ଆସିକା ଏନଏସି ଅଧିନସ୍ଥ ଅଞ୍ଚଳର ବହୁ ରାସ୍ତାକୁ ବୁଲା ଗାଇଗୋରୁ ଓ ଷଣ୍ଢ ଅକ୍ତିଆର କରି ରଖୁଥିବା ଦେଖିବାକୁ ମିଳୁଛି। ଦିନ ତମାମ ବୁଲା ଗାଇଗୋରୁ ମାନେ ଖାଦ୍ୟ ଅନ୍ୱେଶଣରେ ଏ ସାହି ରୁ ସେ ସାହି ବୁଲୁଥିବା ବେଳେ ରାତ୍ରରେ ରାସ୍ତାରେ ହିଁ ଶୋଇ ରହୁଛନ୍ତି। ଯାହାରି ଫଳରେ ଆସିକା ଏନଏସି ଅଞ୍ଚଳର ବିଭିନ୍ନ ସାହିର ବହୁ ପ୍ରମୁଖ ରାସ୍ତା ଗୋଶାଳା ପାଲଟି ଯାଇଛି ବୋଲି ସଚେତନ ନାଗରିକ ମହଲରେ ମତ ପ୍ରକାଶ ପାଉଛି। ସହରର ପ୍ରମୁଖ ରାସ୍ତା ଗୁଡିକ ବୁଲା ଗାଇ ଗୋରୁଙ୍କ ଆଶ୍ରୟସ୍ଥଳୀ ପାଲଟିଥିବା ଯୋଗୁଁ ଟ୍ରାଫକ ସମସ୍ୟା ମଧ୍ୟ ସୃଷ୍ଟି ହେଉଛି। ଏପରିକି ଚାରି ଚକିଆ ଯାନ ଗଲା ବେଳେ ହର୍ଣ୍ଣ ବଜାଇଲେ ମଧ୍ୟ ଗାଇଗୋରୁ ରାସ୍ତାରୁ ଉଠୁ ନଥିବାରୁ ଗାଡିରୁ ଓହ୍ଳାଇ ସେମାନଙ୍କୁ ହଟାଇବାକୁ ପଡୁଛି। ରାତ୍ରରେ ସ୍ଥିତି ଆହୁରି ଶୋଚନୀୟ ହୋଇପଡୁଛି। ଗୋଟିଏ ସ୍ଥାନରେ ଏତେ ସଂଖ୍ୟକ ଗାଇ ରହୁଛନ୍ତି ଯେ ରାସ୍ତା ଗୁଡିକ ଗୁହାଳ ଭଳି ମନେହେଉଛି। ଆସିକା ଏନଏସି ତଥା ଏହାର ଆଖପାଖ ଅଞ୍ଚଳର ବହୁ ବ୍ୟକ୍ତି କ୍ଷୀର ବ୍ୟବସାୟ ପାଇଁ ଗାଇ ରଖୁଛନ୍ତି। ତେବେ ଅଧିକାଂଶ ବ୍ୟକ୍ତି ଗୁହାଳ ନ କରି ଘର ସମ୍ମୁଖରେ ଗାଇକୁ ବାନ୍ଧୁ ଛନ୍ତି ତ ଅନ୍ୟ କେତେକ ବ୍ୟକ୍ତି ଖୋଲାରେ ଗାଇକୁ ଛାଡି ଦେଉଛନ୍ତି। ଯେଉଁଥି ପାଇଁ ଅଞ୍ଚଳବାସୀ ନାହିଁ ନ ଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି। ଗତ କିଛି ମାସ ତଳେ ସହରବାସୀଙ୍କ ବୃହତ୍ତର ସ୍ୱାର୍ଥରକ୍ଷା ଦୃଷ୍ଟିରୁ ଏନ୍ଏସି ପକ୍ଷରୁ ଧରପଗଡ କରାଯାଇ ବହୁ ବୁଲା ଗାଈଗୋରୁଙ୍କୁ ଉଦ୍ଧାର କରାଯିବା ସାଙ୍ଗକୁ ଗାଈଗୋରୁକୁ ରାସ୍ତାକୁ ନ ଛାଡିବାକୁ ଗୋପାଳମାନଙ୍କୁ ବହୁବାର ସଚେତନ କରାଯାଇଥିଲେ ବେଳେ ବର୍ତ୍ତମାନ ତାହା ବିଭାଗୀୟ ଅଧିକାରୀଙ୍କ ଆନ୍ତରିକତାର ଅଭାବ ଓ ଉଦାସୀନ ମନୋବୃତ୍ତି ଯୋଗୁଁ ବାଟବଣା ହୋଇଯାଇଛି ବୋଲି ମତ ପ୍ରକାଶ ପାଉଛି । ଏନ୍ଏସି କର୍ତ୍ତୃପକ୍ଷ ତୁରନ୍ତ ଧ୍ୟାନ ଦେଇ ଆସିକା ଏନ୍ଏସି ଅଞ୍ଚଳରେ ଦେଖା ଦେଇଥିବା ବୁଲା ଗାଇଗୋରୁ ଓ ଷଣ୍ଢଙ୍କ ଉପଦ୍ରବକୁ ରୋକିବା ଦିଗରେ ପଦକ୍ଷେପ ନେବାକୁ ବିଭିନ୍ନ ମହଲରେ ଦୃଢଦାବୀ ହେଉଥିବା ଲକ୍ଷ୍ୟ କରାଯାଇଛି ।