ଶ୍ୟାମାକାଳୀ ଯୁବକ ସଂଘ ପକ୍ଷରୁ ବନ୍ୟା ବିପନ୍ନଙ୍କୁ ସହାୟତା
ଛତ୍ରପୁର, (ଓ୍ବାଇଏନଏସ): ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟା ପରିସ୍ଥିତି ଯୋଗୁଁ ଛତ୍ରପୁର ବ୍ଲକ ଅନ୍ତର୍ଗତ ବଡ଼ମାଧପୁର ପଞ୍ଚାୟତର ବିଭିନ୍ନ ଅଞ୍ଚଳ ଜଳବନ୍ଦୀ ହୋଇପଡ଼ିଛି। ଏଭଳି ସମୟରେ ବନ୍ୟା ବିପନ୍ନଙ୍କ ସହାୟତାରେ ଆଗେଇ ଆସିଛି ବଡ଼ମାଧପୁରର ଶ୍ୟାମାକାଳୀ ଯୁବକ ସଂଘ। ସଂଘ ପକ୍ଷରୁ ଗତ ତିନି ଦିନ ଧରି ଜଳବନ୍ଦୀ ଅଞ୍ଚଳରେ ପହଞ୍ଚି ବିପନ୍ନ ଲୋକଙ୍କୁ ଶୁଖିଲା ଖାଦ୍ୟ, ପାନୀୟ ଜଳ, ରନ୍ଧା ଖାଦ୍ୟ ଓ ଆବଶ୍ୟକ ଔଷଧ ଯୋଗାଇ ଦିଆଯାଇଛି। ବିଶେଷକରି ରୋଡ଼ସାହି ଓ ନୂଆପାଲି ଅଞ୍ଚଳର ବନ୍ୟା ବିପନ୍ନଙ୍କ ପାଇଁ ସଂଘ ପକ୍ଷରୁ ରନ୍ଧା ଖାଦ୍ୟର ବ୍ୟବସ୍ଥା କରାଯାଇଥିଲା। ବନ୍ୟା ଯୋଗୁଁ ଘରୁ ବାହାରି ପାରୁନଥିବା ଅନେକ ପରିବାରଙ୍କ ନିକଟରେ ଆବଶ୍ୟକ ସାମଗ୍ରୀ ପହଞ୍ଚାଇ ସଂଘର ସଦସ୍ୟମାନେ ମାନବିକତାର ପରିଚୟ ଦେଇଛନ୍ତି। ଏହି ସେବା କାର୍ଯ୍ୟରେ ଶ୍ୟାମାକାଳୀ ଯୁବକ ସଂଘର ସଭାପତି ଏସ୍. ଯୁଧିଷ୍ଟିର ରେଡ୍ଡୀ, ସମ୍ପାଦକ ଶିବରଞ୍ଜନ ସାହୁ, ମହେନ୍ଦ୍ର ଗୌଡ଼, ଏସ୍. ସୁଶାନ୍ତ ରେଡ୍ଡୀଙ୍କ ସମେତ ସଂଘର ଅନ୍ୟ ସଦସ୍ୟମାନେ ସକ୍ରିୟ ଭାବେ ସାମିଲ ହୋଇଥିଲେ। ବିପଦ ସମୟରେ ଯୁବକ ସଂଘର ଏଭଳି ସେବା କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି।


