ଶ୍ୟାମାକାଳୀଙ୍କ ମହା ଆରତୀରେ କମ୍ପିଲା ଅସ୍ତରଙ୍ଗ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ ଅଂଚଳରେ ମା” ଶ୍ୟାମାକାଳୀଙ୍କ ନାମରେ ଜାଗି ଉଠିଥିଲା ପୁରା ଅଞ୍ଚଳ। ଘଣ୍ଟ, ଘଣ୍ଟା, ଶଙ୍ଖ, ହୁଳହୁଳି ଆଉ ଜୟ ମା ଶ୍ୟାମାକାଳୀ ଧ୍ୱନୀରେ ଆକାଶ ବାଟ ପ୍ରକମ୍ପିତ ହେଉଥିଲା। ଭକ୍ତଙ୍କ ଆଖିରେ ଲୁହ, ମନରେ ଭକ୍ତି, ଓଠରେ କେବଳ ଗୋଟିଏ ନାଁ – ମା। ମାଙ୍କ ଦର୍ଶନ ପାଇଁ ଦୂର ଦୂରାନ୍ତରୁ ଭକ୍ତମାନେ ଆସି ମଣ୍ଡପ ଆଗରେ ଭିଡ ଜମାଇଥିଲେ। ଅସ୍ତରଙ୍ଗ ବ୍ଲକ୍ ନଗର ଗ୍ରାମ ପଞ୍ଚାୟତ ପଶ୍ଚିମେଶ୍ୱର ଠାରେ ମା ଶ୍ୟାମାକାଳୀଙ୍କ ପୂଜା ଚଳିତ ବର୍ଷ ୨୪ ବର୍ଷରେ ପଦାର୍ପଣ କରିଛି। ୨୪ ବର୍ଷ ତଳେ ଅଳ୍ପ ସଦସ୍ୟ ସହ ଭକ୍ତଙ୍କ ଛୋଟ ସଂକଳ୍ପରୁ ଆରମ୍ଭ ହୋଇଥିବା ଏହି ପୂଜା ଆଜି ଅଞ୍ଚଳର ସବୁଠାରୁ ବଡ ଭକ୍ତି ପର୍ବ ହୋଇଛି। ଚଳିତ ବର୍ଷ କର୍ତ୍ତା ଭାବେ ପପୁ ପରିଡା ଓ ସଭାପତି ଭାବେ ଦୀପକ ପଣ୍ଡା ରହିଛନ୍ତି। ତାଙ୍କ ନେତୃତ୍ୱରେ କମିଟିର ସମସ୍ତ ସଦସ୍ୟ ଓ ଯୁବକମାନେ ଦିନ ରାତି ଏକ କରି ମାଙ୍କ ସେବାରେ ଲାଗି ପଡିଥିଲେ। ମଣ୍ଡପ ନିର୍ମାଣ ଠାରୁ ଆରମ୍ଭ କରି ପ୍ରସାଦ ସେବନ ପର୍ଯ୍ୟନ୍ତ ସବୁ କାର୍ଯ୍ୟ ନିଖୁଣ ଭାବେ ହୋଇଥିଲା। ପଶ୍ଚିମେଶ୍ୱର ନିକଟରେ ମା”ଙ୍କ ମଣ୍ଡପକୁ ଫୁଲ, ଆଲୋକମାଳା ଆଉ ରଙ୍ଗୀନ ତୋରଣରେ ସୁନ୍ଦର ଭାବେ ସଜା ଯାଇଥିଲା। ସନ୍ଧ୍ୟାରୁ ହିଁ ଭକ୍ତଙ୍କ ଭିଡ ଲାଗି ରହିଥିଲା। ପୁରୋହିତଙ୍କ ମନ୍ତ୍ର ପାଠ, ଷୋଡଶ ଉପଚାର ପୂଜା, ନୀତିକାନ୍ତି ଆଉ ମହା ଆରତି ବେଳେ ପୁରା ପରିବେଶ ଭକ୍ତିମୟ ହୋଇ ଉଠିଥିଲା। ମାଙ୍କ ଆଖିରେ ଯେମିତି ମମତା, ମୁହଁରେ ଯେମିତି କରୁଣା। ଭକ୍ତମାନେ ଆଖି ବୁଜି ମାଙ୍କୁ ଡାକୁଥିଲେ। କିଏ ମାଗୁଥିଲା ପିଲାଙ୍କ ଭବିଷ୍ୟତ, କିଏ ମାଗୁଥିଲା ରୋଗରୁ ମୁକ୍ତି, କିଏ ମାଗୁଥିଲା ପରିବାରର ମଙ୍ଗଳ ଓ ଗାଁର ସୁଖ ଶାନ୍ତି। ବିଳମ୍ବିତ ରାତ୍ରି ପର୍ଯ୍ୟନ୍ତ ମାଙ୍କ ପୂଜାର୍ଚ୍ଚନା ଚାଲିଥିଲା, ହେଲେ ଭକ୍ତଙ୍କ ଭିଡ କମି ନ ଥିଲା। ସେହିଭଳି ଅସ୍ତରଙ୍ଗ ବ୍ଲକ୍ ଅସ୍ତରଙ୍ଗ ଗ୍ରାମ ଭଗବତୀ ନିକଟରେ ମା” ଶ୍ୟାମାକାଳୀଙ୍କ ପୂଜା ମହା ଆଡମ୍ବରରେ ଅନୁଷ୍ଠିତ ହୋଇଛି। ଏଠାରେ ଚଳିତ ବର୍ଷ କର୍ତ୍ତା ଭାବେ ସୁବ୍ରତ କୁମାର ପରିଡା ଓ ସଭାପତି ଭାବେ ହିମାଂଶୁ ନାୟକ (ଜିତୁ )ରହିଛନ୍ତି। ଗାଁର ପ୍ରତି ଘରୁ ଲୋକେ ଆସି ମାଙ୍କ ପୂଜାରେ ସାମିଲ ହୋଇଥିଲେ। ଭଗବତୀ ନିକଟରେ ମା କେବଳ ମୂର୍ତ୍ତି ନୁହଁନ୍ତି, ସେ ଗାଁର ମା, ସାହା, ଭରସା ବୋଲି ଭକ୍ତମାନେ କହନ୍ତି। ଦୁଃଖ ହେଉ କି ସୁଖ, ସମସ୍ତେ ପ୍ରଥମେ ମାଙ୍କ ପାଖକୁ ଆସନ୍ତି। ଭଗବତୀରେ ସାରା ରାତି ନୀତିକାନ୍ତି ଚାଲିଥିଲା। ମାଙ୍କ ଅଭିଷେକ, ପୁଷ୍ପାଞ୍ଜଳି, ମହା ଆରତି, ଭଜନ ଆଉ ପ୍ରସାଦ ସେବନରେ ଭକ୍ତମାନେ ମନ ପ୍ରାଣ ଦେଇ ବୁଡି ଯାଇଥିଲେ। ବୃଦ୍ଧ ମା ମାନେ ମାଙ୍କ ଆଗରେ ବସି ଭଜନ ଗାଉଥିଲେ, ଯୁବକ ମାନେ ଶୃଙ୍ଖଳା ରକ୍ଷା କରୁଥିଲେ, ପିଲାମାନେ ମାଙ୍କୁ ଚାହିଁ ହାତ ଯୋଡିଥିଲେ। ଦୁଇ ସ୍ଥାନରେ ପୂଜା ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇଛି। ଭକ୍ତମାନେ କହିଛନ୍ତି, ମା ଶ୍ୟାମାକାଳୀ ଡାକିଲେ କେବେ ଫେରାନ୍ତି ନାହିଁ। ଯିଏ ମନରୁ ଥରେ ମା ବୋଲି ଡାକି ଦିଏ, ମା ତାର ସବୁ ଦୁଃଖ ନିଜ କୋଳକୁ ନେଇ ଯାଆନ୍ତି। ଏହି ବିଶ୍ୱାସ ହିଁ ଅସ୍ତରଙ୍ଗକୁ ଏକାଠି କରିଛି। ମାଙ୍କ କୃପା ସମସ୍ତଙ୍କ ଉପରେ ରହୁ, ଏହାହିଁ ସମସ୍ତଙ୍କ କାମନା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ