ବନ୍ୟା ବିପନ୍ନଙ୍କୁ ଆସିକାରେ ଦୀପାବଳୀ କିଟ୍ ବଣ୍ଟନ
ଆସିକା (ୱାଇଏନ୍ଏସ୍): ପ୍ରଳୟଙ୍କରୀ ବନ୍ୟାର କରାଳ ରୂପ ଆସିକା ଅଞ୍ଚଳର ଶହ ଶହ ଜନତାଙ୍କ ମୁହଁରୁ ଛଡାଇ ନେଇଛି ହସ ଆଉ ଆନନ୍ଦ । ବନ୍ୟା ପ୍ରଭାବିତଙ୍କ ମନରେ ଖୁସିର ଆଲୋକ ଫେରାଇ ଆଣିବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଇଥିବା ଅଭିନବ ପ୍ରୟାସକୁ ସଚେତନ ନାଗରିକ ଏବଂ ବୁଦ୍ଧିଜୀବୀ ମହଲରେ ସ୍ୱାଗତ ଏବଂ ଉଚ୍ଚ ପ୍ରଶଂସା କରାଯାଉଥିବା ଦେଖିବାକୁ ମିଳୁଛି । ବନ୍ୟା ବିପନ୍ନଙ୍କ ଦୁଃଖରେ ସହଭାଗୀ ହୋଇ ସେମାନଙ୍କ ମୁହଁରେ ହସ ଫୁଟାଇବା ପାଇଁ ଆଲୋକର ପର୍ବ ଦୀପାବଳୀ ଅବସରରେ ପ୍ରଶାସନ ପକ୍ଷରୁ ଦୀପାବଳୀ କିଟ୍ ବଣ୍ଟନ କରାଯିବା ସହ ସାମୂହିକ ଭାବେ ଦୀପାବଳୀ ଉତ୍ସବ ପାଳନ କରାଯାଇଥିବା ଦେଖିବାକୁ ମିଳିଛି । ପ୍ରଳୟଙ୍କରୀ ବନ୍ୟା ଦ୍ୱାରା ପ୍ରଭାବିତ ପରିବାରମାନେ ଯେପରି ନିଜକୁ ଏକାକୀ ମନେ ନ କରିବେ ସେଥିପାଇଁ ସେମାନଙ୍କ ସାଥୀରେ ପ୍ରଶାସନ ରହିଥିବା ପରିଲକ୍ଷିତ ହୋଇଛି । ପ୍ରଳୟଙ୍କରୀ ବନ୍ୟାର କରାଳ ରୂପରେ ଆସିକା ଅଞ୍ଚଳ ଛାର୍ଖାର୍ ହୋଇଯାଇଛି । ଗତ ଅକ୍ଟୋବର ମାସ ୨୯ ତାରିଖରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାର ପ୍ରକୋପ କମିଯାଇଛି କିନ୍ତୁ ଛାଡିଯାଇଛି ଶହ ଶହ ଜନତାଙ୍କ ହୃଦୟରେ ଦୁଃଖର ଚିହ୍ନ । ଆସିକା ବ୍ଳକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ପଞ୍ଚାୟତର ନବରତ୍ନପୁର ଗ୍ରାମର ଯେଉଁ ଘରର କାନ୍ଥ ଦିନେ ପରିବାରର ହସଖୁସି ଓ ସୁଖଦୁଃଖର ସାଥୀ ଥିଲା ଆଜି ସେହି ଭଗ୍ନ କାନ୍ଥରେ ବନ୍ୟାର କରୁଣ କାହାଣୀ ଦେଖିବାକୁ ମିଳୁଛି । ସାମୂଦ୍ରିକ ଅର୍ଣ୍ଣବ ପ୍ରଭାବରେ ଆସିକା ବ୍ଳକ ଓ ପୌର ପରିଷଦଭୁକ୍ତ ଅଧିକାଂଶ ଅଞ୍ଚଳ ବିଶେଷଭାବେ ପ୍ରଭାବିତ ହୋଇଥିଲା । ଆଲୋକର ପର୍ବ ଦୀପାବଳୀ ପାଳନ ଅବସରରେ ଆସିକା ବ୍ଳକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ପଞ୍ଚାୟତର ନବରତ୍ନପୁର ଗ୍ରାମରେ ବନ୍ୟା ବିପନ୍ନଙ୍କ ଦୁଃଖରେ ସାମିଲ୍ ହୋଇ ସେମାନଙ୍କ ମୁହଁରେ ବସ ଫୁଟାଇବା ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ନେଇଥିବା ଅଭିନବ ପ୍ରୟାସ ନିଶ୍ଚିତ ଭାବେ ଅତ୍ୟନ୍ତ ସ୍ୱାଗତଯୋଗ୍ୟ ବୋଲି ଚର୍ଚ୍ଚା ହେଉଛି । ବନ୍ୟାବିପନ୍ନଙ୍କ ମନୋବଳକୁ ଦୃଢ କରିବା ପାଇଁ ବିଶେଷଭାବେ ପ୍ରଭାବିତ ହୋଇଥିବା ଆସିକା ବ୍ଳକ ଅନ୍ତର୍ଗତ ମଙ୍ଗଳପୁର ଗ୍ରାମ ପଞ୍ଚାୟତର ନବରତ୍ନପୁର ଗ୍ରାମରେ ବିଧାୟକ ସରୋଜ କୁମାର ପାଢୀ, ଗଞ୍ଜାମ ଜିଲ୍ଲାପାଳ ଭି.କିର୍ତ୍ତୀଭାସନ, ଜିଲ୍ଲା ପରିଷଦ ସଦସ୍ୟା ଅନିମା ପରିଡା, ଆସିକାର ବରିଷ୍ଠ ବିଜେପି ନେତା ନିରଞ୍ଜନ ମହାନ୍ତି, ଭଞ୍ଜନଗର ଉପଜିଲ୍ଲାପାଳ ଉମାଶଙ୍କର ବେହେରା, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ସମୀର କୁମାର ଜେନା, ଆସିକା ତହସିଲଦାର ସଙ୍ଗୀତା ସେଣ, ବିଡିଓ ରାଜେନ୍ଦ୍ର ପ୍ରସାଦ ନାୟକ, ସିଡିପିଓ ଶାନ୍ତିକରସୁଧା ପଟ୍ଟନାୟକଙ୍କ ସମେତ ପ୍ରଶାସନର ବହୁ ବରିଷ୍ଠ ପଦାଧିକାରୀ ପହଞ୍ଚି ଦୀପ, ସଳିତ, ମିଠା, ଲୁଙ୍ଗି, ଶାଢୀ ସମେତ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀ ଗଚ୍ଛିତ ଥିବା କିଟ୍ ବଣ୍ଟନ କରିଥିବା ଜଣାପଡିଛି । ସାମୂଦ୍ରିକ ଝଡ ଅର୍ଣ୍ଣବ ପ୍ରଭାବରେ ହୋଇଥିବା ପ୍ରଳୟଙ୍କରୀ ବନ୍ୟାରେ ପ୍ରଭାବିତ ହୋଇଥିବା ଆସିକା ବ୍ଳକ ଅନ୍ତର୍ଗତ ନବରତ୍ନପୁର ଗ୍ରାମର ବିପନ୍ନଙ୍କୁ ଦୀପାବଳୀ କିଟ୍ ବଣ୍ଟନ କରିବା ପାଇଁ ପ୍ରଶାସନର ପ୍ରୟାସ ଅତ୍ୟନ୍ତ ଉଚ୍ଚ ପ୍ରଶଂସିତ ହୋଇପାରିଥିବା ଜଣାପଡିଛି ।


