ଜମିଜମା ବିବାଦକୁ କେନ୍ଦ୍ର କରି ଆକ୍ରମଣ, ଦୁଇ ଅଭିଯୁକ୍ତ ଗିରଫ
କୋଣାର୍କ, (ଓ୍ବାଇଏନଏସ): ଜମିଜମା ବିବାଦକୁ କେନ୍ଦ୍ର କରି ସଂଘବଦ୍ଧ ଆକ୍ରମଣ ଘଟଣାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କୋଣାର୍କ ପୋଲିସ। ଏହି ଘଟଣା କୋଣାର୍କ ଥାନା ଅଧୀନ ବନାଖଣ୍ଡି ଗ୍ରାମପଞ୍ଚାୟତର ସାମିଲ ବଗଳାଇ ଗ୍ରାମରେ ଘଟିଥିଲା। ସୂଚନା ଅନୁଯାୟୀ, ଗତ ୨୫ ତାରିଖ ମଙ୍ଗଳବାର ଦିନ ପ୍ରାୟ ୧୨ଟା ସମୟରେ ଜମିଜମା ବିବାଦକୁ ନେଇ ଗଣ୍ଡଗୋଳ ଓ ଆକ୍ରମଣ ହୋଇଥିଲା। ଏଥିରେ ଦୁଇଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ଦିନମଜୁରିଆ ସାମାନ୍ୟ ଆହତ ହୋଇଥିଲେ। ଘଟଣାକୁ ନେଇ ସଞ୍ଜୁଲତା ନାମକ ଜଣେ ମହିଳା କୋଣାର୍କ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ଆଧାରରେ କୋଣାର୍କ ପୋଲିସ ତଦନ୍ତ ଆରମ୍ଭ କରି ଘଟଣାରେ ସମ୍ପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ବଗଳାଇ ଗ୍ରାମର ସ୍ୱର୍ଗତ ଜାମ୍ବେଶ୍ୱର ପାତ୍ରଙ୍କ ପୁଅ ଅକ୍ଷୟ ପାତ୍ର ଏବଂ ଜଟଣୀ ଥାନା ଅଧୀନ ଛଣଘରା, କୁସୁମାଟି ଗ୍ରାମର ସ୍ୱର୍ଗତ ଉମାକାନ୍ତ ରାଉତରାୟଙ୍କ ପୁଅ ଶ୍ରୀକାନ୍ତ ରାଉତରାୟ । ଏନେଇ କୋଣାର୍କ ଥାନାରେ କେସ୍ ନଂ-୨୪୩, ତାରିଖ ୨୫.୦୮.୨୦୨୬ରେ ଭାରତୀୟ ନ୍ୟାୟ ସଂହିତା (BNS)ର ଧାରା ୨୯୬/୩୨୯(୩)/୧୧୫(୨)/୧୧୮(୧)/୧୦୯( ୧)/୩୨୪(୪)/୩୫୧(୩)/୩(୫) ଅନୁଯାୟୀ ମାମଲା ରୁଜୁ ହୋଇଛି। ଗିରଫ ପରେ ଉଭୟ ଅଭିଯୁକ୍ତଙ୍କୁ ଆଜି ଅଦାଲତରେ ହାଜର କରାଯାଇ କୋର୍ଟ ଚାଲାଣ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି।


