ବାଦମବାଡ଼ିରେ ଏଟିଏମ୍ ଲୁଟ୍ ଉଦ୍ୟମ ପଣ୍ଡ, ଅଭିଯୁକ୍ତ ଗିରଫ

କଟକ, (ଓ୍ବାଇଏନଏସ): କଟକ ସହରରେ ଏଟିଏମ୍ ଲୁଟ୍ ଉଦ୍ୟମକୁ ପଣ୍ଡ କରିବାରେ ସଫଳ ହୋଇଛି ବଦମବାଡ଼ି ଥାନା ପୁଲିସ। ବ୍ୟାଙ୍କ ଅଫ୍ ଇଣ୍ଡିଆର ଏକ ଏଟିଏମ୍ କାଉଣ୍ଟର ଭାଙ୍ଗି ଟଙ୍କା ଲୁଟ୍ କରିବାକୁ ଉଦ୍ୟମ କରୁଥିବା ସମୟରେ ପୁଲିସ ଜଣେ ଅଭିଯୁକ୍ତଙ୍କୁ ଘଟଣାସ୍ଥଳରୁ କାବୁ କରିଛି। ଗିରଫ ଅଭିଯୁକ୍ତ ବିହାରର ବୋଲି ଜଣାପଡ଼ିଥିବା ବେଳେ ତାଙ୍କ ନିକଟରୁ ନଗଦ ୧୮ ହଜାର ଟଙ୍କା, ମୋବାଇଲ୍ ଫୋନ୍, ଏଟିଏମ୍ କାର୍ଡ, ଯନ୍ତ୍ରପାତି ଓ ଏକ ମୋଟରସାଇକେଲ୍ ଜବତ ହୋଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଗତ ୫ ତାରିଖ ରାତି ପ୍ରାୟ ୧୧ଟା ୨୦ ମିନିଟ୍ ସମୟରେ ବଦମବାଡ଼ିସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏଟିଏମ୍ କାଉଣ୍ଟରରେ ଜଣେ ଅଜଣା ବ୍ୟକ୍ତି ଭଙ୍ଗାରୁଜା କରି ଟଙ୍କା ଲୁଟ୍ କରିବାକୁ ଉଦ୍ୟମ କରୁଥିବା ନେଇ ପୁଲିସକୁ ସୂଚନା ମିଳିଥିଲା। ଖବର ପାଇବା ମାତ୍ରେ ବଦମବାଡ଼ି ଥାନାର ଏକ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା। ସେତେବେଳେ ଅଭିଯୁକ୍ତ ଏଟିଏମ୍ ମେସିନ୍ ଭାଙ୍ଗିବାକୁ ଉଦ୍ୟମ କରୁଥିବା ବେଳେ ପୁଲିସ ତାଙ୍କୁ ଧରିବାରେ ସଫଳ ହୋଇଥିଲା। ଏହି ଉଦ୍ୟମରେ ଏଟିଏମ୍ ମେସିନ୍‌ର ତଳଭାଗ କ୍ଷତିଗ୍ରସ୍ତ ହୋଇଛି। ଏଟିଏମ୍ ପରିଚାଳନା ଦାୟିତ୍ୱରେ ଥିବା CMS Info Systems Pvt. Ltd.ର ପ୍ରୋଜେକ୍ଟ ମ୍ୟାନେଜରଙ୍କ ଅଭିଯୋଗ ଆଧାରରେ ବଦମବାଡ଼ି ଥାନାରେ କେସ୍ ନମ୍ବର ୫୪୯, ତାରିଖ ୦୫.୧୧.୨୦୨୬ରେ ବିଏନ୍‌ଏସ୍‌ର ଧାରା ୩୦୫(ଏ)/୩୨୪(୪)/୬୨ ଅନୁଯାୟୀ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ ହୋଇଛି। ଗିରଫ ଅଭିଯୁକ୍ତ ଜଣକ ବିହାରର ପିରୋ ଥାନା ଅନ୍ତର୍ଗତ ରାଜାପୁର ଅଞ୍ଚଳର ଅଶ୍ୱନୀ କୁମାର ବୋଲି ପୁଲିସ ପକ୍ଷରୁ ଜଣାପଡ଼ିଛି। ତାଙ୍କ ନିକଟରୁ ଏଟିଏମ୍‌ରୁ ଟଙ୍କା ଉଠାଣକୁ ବାଧାଦେବା ପାଇଁ ବ୍ୟବହୃତ ହେଉଥିବା ସନ୍ଦିଗ୍ଧ ଆଡେସିଭ୍ କ୍ୟାଶ୍ ଟ୍ରାପିଂ ଷ୍ଟ୍ରିପ୍, ପ୍ଲାଷ୍ଟିକ୍ ହ୍ୟାଣ୍ଡେଲ୍ ଥିବା ପ୍ଲାୟର୍ସ, ଡବଲ୍ ସାଇଡ୍ ଟେପ୍, ‘ସନି’ ଲେଖାଥିବା ଧୂସର ରଙ୍ଗର ହେଲମେଟ୍, ଟିଭିଏସ୍ ଭିକ୍ଟର ମୋଟରସାଇକେଲ୍, ୧୮ ହଜାର ଟଙ୍କା ନଗଦ ଏବଂ ଏକ ଏସ୍‌ବିଆଇ ଏଟିଏମ୍ କାର୍ଡ ଜବତ କରାଯାଇଛି। ଏଥିସହ ଏକ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନ୍ ମଧ୍ୟ ପୁଲିସ ଜବତ କରିଛି।ଗିରଫ ପରେ ଅଭିଯୁକ୍ତଙ୍କୁ ଅଦାଲତକୁ ପଠାଯାଇଛି। ଏହି ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ଅଭିଯୁକ୍ତଙ୍କ ନିକଟରୁ ଜବତ ହୋଇଥିବା ସାମଗ୍ରୀର ବ୍ୟବହାର ଏବଂ ଅନ୍ୟ ସମ୍ଭାବ୍ୟ ଅପରାଧିକ ଲିଙ୍କ୍‌କୁ ନେଇ ପୁଲିସ ତଦନ୍ତ ଜାରି ରଖିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ