କଟକର ଦୁଇ ପ୍ରମୁଖ ମେଡିକାଲ ଅନୁଷ୍ଠାନରେ ବଢ଼ିଲା ୨୦ ପିଜି ସିଟ୍
କଟକ, (ଓ୍ବାଇଏନଏସ): ଡାକ୍ତରୀ ଶିକ୍ଷା ଓ ଉନ୍ନତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ କଟକ ପାଇଁ ଆସିଛି ଖୁସି ଖବର। ସହରର ଦୁଇ ପ୍ରମୁଖ ଚିକିତ୍ସା ଓ ଡାକ୍ତରୀ ଶିକ୍ଷାନୁଷ୍ଠାନରେ ମୋଟ ୨୦ଟି ଅତିରିକ୍ତ ସ୍ନାତକୋତ୍ତର (ପିଜି) ସିଟ୍ ବୃଦ୍ଧି କରାଯାଇଛି। ଏଥିମଧ୍ୟରୁ ଏସ୍ସିବି ମେଡିକାଲ କଲେଜ ଓ ହସ୍ପିଟାଲକୁ ୧୭ଟି ଏବଂ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନ (ଏଏଚ୍ପିଜିଆଇସି)କୁ ୩ଟି ନୂଆ ପିଜି ସିଟ୍ ମିଳିଛି। ଏହାଦ୍ୱାରା ଉଭୟ ଅନୁଷ୍ଠାନରେ ଉଚ୍ଚତର ଡାକ୍ତରୀ ଶିକ୍ଷା ଗ୍ରହଣ ପାଇଁ ଅଧିକ ସୁଯୋଗ ସୃଷ୍ଟି ହୋଇଛି।
ସୂଚନା ଅନୁଯାୟୀ, ଏସ୍ସିବି ମେଡିକାଲ କଲେଜରେ ପୂର୍ବରୁ ୨୩୨ଟି ପିଜି ସିଟ୍ ରହିଥିବା ବେଳେ ନୂଆ ୧୭ଟି ସିଟ୍ ଯୋଡ଼ାଯିବା ପରେ ଏହି ସଂଖ୍ୟା ୨୪୯କୁ ବୃଦ୍ଧି ପାଇଛି। ରାଜ୍ୟର ଅନ୍ୟତମ ପ୍ରମୁଖ ଡାକ୍ତରୀ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଏସ୍ସିବିରେ ଏହି ସିଟ୍ ବୃଦ୍ଧି ଡାକ୍ତରୀ ସ୍ନାତକୋତ୍ତର ଶିକ୍ଷାର୍ଥୀଙ୍କ ପାଇଁ ନୂଆ ସୁଯୋଗ ଆଣିବ। ସେହିପରି କଟକର ମଙ୍ଗଳାବାଗସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ରୋଗ ଅନୁଷ୍ଠାନରେ ମଧ୍ୟ ପିଜି ସିଟ୍ ସଂଖ୍ୟା ୧୨ରୁ ବୃଦ୍ଧି ପାଇ ୧୫ରେ ପହଞ୍ଚିଛି। ଏହି ଅନୁଷ୍ଠାନରେ କର୍କଟ ରୋଗ ଚିକିତ୍ସା ସମ୍ପର୍କିତ ଉଚ୍ଚତର ଶିକ୍ଷା ଓ ଗବେଷଣା ପାଇଁ ଅଧିକ ସୁଯୋଗ ମିଳିବା ସହ ବିଶେଷଜ୍ଞ ଡାକ୍ତର ପ୍ରସ୍ତୁତିକୁ ଗୁରୁତ୍ୱ ମିଳିବ। ଉଲ୍ଲେଖଯୋଗ୍ୟ, ରାଜ୍ୟର ସରକାରୀ ମେଡିକାଲ କଲେଜଗୁଡ଼ିକରେ ମୋଟ ୩୧୮ଟି ପିଜି ସିଟ୍ ବୃଦ୍ଧି କରାଯାଇଥିବା ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ସୂଚନା ଦେଇଛନ୍ତି। ଏହାଦ୍ୱାରା ରାଜ୍ୟରେ ପିଜି ସିଟ୍ ସଂଖ୍ୟା ୬୨୦ରୁ ବୃଦ୍ଧି ପାଇ ୯୩୮ରେ ପହଞ୍ଚିଛି। ଏହି ପଦକ୍ଷେପ ଅଧିକ ବିଶେଷଜ୍ଞ ଡାକ୍ତର ସୃଷ୍ଟି କରିବା ସହ ଆଗାମୀ ଦିନରେ ରୋଗୀଙ୍କୁ ଉନ୍ନତ ଓ ବିଶେଷଜ୍ଞ ଚିକିତ୍ସା ଯୋଗାଇବାରେ ସହାୟକ ହେବ ବୋଲି ଆଶା କରାଯାଉଛି।


