ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ଆଙ୍କୋରଡ଼ା ଗାଁ ଛକରେ ପାନ ଦୋକାନ କରିଥିବା ରୁଦ୍ର ପ୍ରଧାନ ଏବଂ ତାଙ୍କ ବାପା ସଞ୍ଜୟ ପ୍ରଧାନ ଙ୍କୁ ଗତ ଶୁକ୍ରବାର ମଧ୍ୟାହ୍ନ ପ୍ରାୟ ସାଢେ ୧୨ ଟାରେ ଚୁଡୁଙ୍ଗପୁର ଗ୍ରାମର ବି. କୃଷ୍ଣ ପାତ୍ର ଓରଫ ଗୋପୀ(୨୮) ଏବଂ ବି. ଉମା ପାତ୍ର ଏବଂ ଅନ୍ୟ ଜଣେ ଯୁବକ ଛୁରୀ ରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରିଥିଲେ।ଏନେଇ ରୁଦ୍ର ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଥାନା ଅଧିକାରୀ କିଶୋର କୁମାର ସାମଲ ମାମଲା ନଂ.୨୬୯/୨୬ ଭାରତୀୟ ନ୍ୟାୟ ସଂହିତା ର ଦଫା – ୩୨୯(୪)/୨୯୬/୧୧୫/୧୧୮(୧)/୧୧୭(୨)/୧୦୯/୩୦୩(୨)/୩୫୧(୨)/୩(୫) ଅନୁଯାୟୀ ଅଭିଯୁକ୍ତ ମାନଙ୍କ ନାଁ ରେ ମକଦ୍ଦମା ରୁଜୁ କରିଥିଲେ। ସୋମବାର ଅଭିଯୁକ୍ତ ବି. କୃଷ୍ଣ ଏବଂ ବି. ଉମା ଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତ ଦ୍ବୟ ଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି।ଘଟଣା ଦିନ ରୁଦ୍ର ତାଙ୍କ ପାନ ଦୋକାନ ରେ ବସିଥିବା ବେଳେ ବାଇକ ଯୋଗେ ଅଭିଯୁକ୍ତ ଦ୍ବୟ ଏବଂ ଅନ୍ୟ ଜଣେ ଅଚିହ୍ନା ଯୁବକ ଆସି ତାଙ୍କୁ ଥଣ୍ଡା ପାନୀୟ ବୋତଲ ମାଗିଥିଲେ। ରୁଦ୍ର ୯୦ ଟଙ୍କା ମାଗିବାରୁ ଗୋପୀ ତାଙ୍କୁ ୭୦ ଟଙ୍କା ଦେଇଥିଲେ।ବଳକା ଟଙ୍କା ମାଗିବାରୁ ସେ ତାଙ୍କୁ ଗାଳି କରିଥିଲେ।ଅନ୍ୟ ଜଣେ ଯୁବକ ତାଙ୍କୁ ପିସ୍ତଲ ଦେଖାଇ ମାରିଦେବାକୁ ଧମକ ଦେଇଥିଲେ। ରୁଦ୍ର ପ୍ରତିବାଦ କରିବାରୁ ଗୋପୀ ତାଙ୍କୁ ଏକ ଛୁରୀ ରେ ମାରିବାରୁ ତାଙ୍କ ହାତ ଆଙ୍ଗୁଠି କଟି ରକ୍ତ ବାହାରିଥିଲା। ରୁଦ୍ର ପାଟିକରି ତାଙ୍କ ବାପା ଙ୍କୁ ଡାକିଥିଲେ। ବାପା ସଞ୍ଜୟ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ଗୋପୀ ତାଙ୍କୁ ମଧ୍ୟ ଅଶ୍ଳିଳ ଭାଷା ରେ ଗାଳି କରି ଛୁରୀ ରେ ହତ୍ୟା ଉଦ୍ୟମ କରି ତାଙ୍କ ଡ଼ାହାଣ ହାତ କଚି କୁ ଭୁଷି ଦେବା ସହ ତାଙ୍କ ବେକରୁ ସୁନା ଚେନ ଏବଂ ୨ ଟି ମୋବାଇଲ ଫୋନ୍ ଛଡାଇ ନେଇ ବାଇକ ଯୋଗେ ୩ ଅଭିଯୁକ୍ତ ଚମ୍ପଟ ମାରିଥିଲେ ବୋଲି ପୋଲିସ ର ତଦନ୍ତରୁ ଜଣାପଡ଼ିଛି।