ସରପଞ୍ଚଙ୍କୁ ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗିରଫ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଦିଗପହଣ୍ଡି ବ୍ଲକ ବୋମକେଇ ପଞ୍ଚାୟତ ସରପଞ୍ଚ ତପନ କୁମାର ପ୍ରଧାନଙ୍କୁ ହତ୍ୟା ଉଦ୍ୟମ ଘଟଣାରେ ଅଭିଯୁକ୍ତଙ୍କୁ କେ.ନୂଆଗାଁ ଥାନା ପୋଲିସ ଗିରଫ କରି ଗୁରୁବାର କୋର୍ଟ ଚାଲାଣ କରିଛନ୍ତି। ଅଭିଯୁକ୍ତ ଜଣକ ହେଲେ ବମୋକେଇ ଗାଁ ର ଜୟ ପ୍ରଧାନ ଓରଫ ଜୟରାମ(୪୩)। ଥାନା ମାମଲା ନଂ.୧୨୮/୨୬ ବିଏନଏସ ର ଦଫା -୧୨୬(୨)/୧୧୫(୨)/୧୦୯(୧)/୩୫୧(୨) ଅନୁଯାୟୀ ଜାମିନ ଆବେଦନ ଖାରଜ ହେବାରୁ ଅଭିଯୁକ୍ତଙ୍କୁ ଦିଗପହଣ୍ଡି ସବ ଜେଲ ହାଜତକୁ ପଠାଇ ଦିଆଯାଇଛି। ଗତ ଜୁନ ୯ ତାରିଖ ଅପରାହ୍ନ ପ୍ରାୟ ସାଢ଼େ ୪ ଟାରେ ସରପଞ୍ଚ ତାଙ୍କ କାର (ନଂ. ଓଡ଼ି୩୩ ଏଏଚ -୮୪୮୭)ଯୋଗେ ଘରକୁ ଫେରୁଥିବା ବେଳେ ଗାଁ ଶିବମନ୍ଦିର ନିକଟରେ ଅଭିଯୁକ୍ତ ବାଇକ ରେ ଆସି କାର୍ କୁ ଅଟକାଇଥିଲେ।ସରପଞ୍ଚ କାର୍ ରୁ ଓହ୍ଲାଇବାରୁ ତାଙ୍କୁ ଏବଂ ତାଙ୍କ ମା ଭଉଣୀ ଙ୍କୁ ଆପତ୍ତିଜନକ ଭାଷାରେ ଗାଳି କରିଥିଲେ।ପ୍ରତିବାଦ କରିବାରୁ ସେ ତାଙ୍କ ପରିବାର ର ସମସ୍ତ ସଦସ୍ୟଙ୍କୁ ଜୀବନରେ ମାରିଦେବାକୁ ଧମକ ଦେଇ ସେ ଧରିଥିବା ଖଣ୍ଡା ରେ ସରପଞ୍ଚ ଙ୍କ ମୁଣ୍ଡକୁ ଲକ୍ଷ୍ୟକରି ଚୋଟ ପକାଇଥିଲେ।ସରପଞ୍ଚ ଭୟରେ ଘୁଞ୍ଚି ପଡ଼ିବାରୁ ଅଳ୍ପକେ ବର୍ତ୍ତି ଯାଇଥିଲେ।ସରପଞ୍ଚ ଙ୍କ ପାଟି ଶୁଣି ଗାଁ ର କିଛି ବ୍ୟକ୍ତି ଘଟଣାସ୍ଥଳକୁ ଦୌଡ଼ି ଆସିବାରୁ ଅଭିଯୁକ୍ତ ତାଙ୍କୁ ଦିନେ ନା ଦିନେ ଜୀବନରେ ମାରିଦେବାକୁ ଧମକ ଦେଇ ସେଠାରୁ ବାଇକ ଯୋଗେ ପଳାଇଥିଲେ।ଘଟଣା ସମ୍ପର୍କରେ ସରପଞ୍ଚ କେ.ନୂଆଗାଁ ଥାନାରେ ଏତଲା ଦେଇଥିଲେ।ଏତଲାକୁ ଭିତ୍ତିକରି ଆଇଆଇସି ବିଶ୍ୱଜିତ ନାୟକ ଅଭିଯୁକ୍ତଙ୍କ ବିରୋଧରେ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଥିଲେ।ଘଟଣା ଦିନଠାରୁ ଗିରଫ ଭୟରେ ଅଭିଯୁକ୍ତ ଗାଁ ରୁ ଫେରାର ଥିଲେ। ଗତ ଅଗଷ୍ଟ ୨୫ ତାରିଖରେ ବ୍ରହ୍ମପୁର ରେଲୱେ ପୋଲିସ(ଜିଆରପି)ଥାନା ମାମଲା ନଂ.୧୦୩/୨୬ ବିଏନଏସ ର ଦଫା – ୧୨୧(୧)/୩୦୫(ସି)/୩୧୭(୨)/୧୧୨(୨)/୩(୫) ଏବଂ ରେଲୱେ ଆକ୍ଟ୍ ର ୧୪୭ ଦଫା ଅନୁଯାୟୀ ତାଙ୍କୁ ଗିରଫ କରାଯାଇଥିବା ନେଇ ରେଲୱେ ଥାନା ପୋଲିସ କେ.ନୂଆଗାଁ ପୋଲିସ କୁ ସୂଚନା ଦେଇଥିଲେ।ଅଭିଯୁକ୍ତ ଗାଁ କୁ ଫେରିଥିବା ଖବର ପାଇ ତଦନ୍ତକାରୀ ଅଧିକାରୀ ତଥା ନୂଆପଡ଼ା ଫାଣ୍ଡି ଅଧିକାରୀ ଏସ.ଆଇ ଅତିଥି ଚରଣ ନାୟକ ଅଭିଯୁକ୍ତ ଜୟରାମ ଙ୍କୁ ବୁଧବାର ରାତି ପ୍ରାୟ ୧୦ ଟାରେ ଗିରଫ କରିଥିଲେ ବୋଲି କହିଛନ୍ତି। ଅଭିଯୁକ୍ତ ଜୟ ପ୍ରଧାନ ଗତ ୨୦୧୮ ରେ ବମୋକେଇ ପଞ୍ଚାୟତର ତତ୍କାଳୀନ ସରପଞ୍ଚ ଭଗବାନ ବାଡତ୍ୟା ଙ୍କୁ ଯୋଜନାବଦ୍ଧ ଭାବେ ଅପହରଣ କରିବା ସହ ଲକ୍ଷାଧିକ ଟଙ୍କା ଦାବି କରି ଏକ ଜଙ୍ଗଲ ମଧ୍ୟରେ ମୁଣ୍ଡଜାମିନ ରଖିଥିଲେ। ଏହି ଘଟଣାରେ ଫେରାର ଥିବା ଅଭିଯୁକ୍ତ ଜୟ ଙ୍କୁ ପୂର୍ବରୁ ଦିଗପହଣ୍ଡି ପୋଲିସ ଏନକାଉଣ୍ଟର କରି ଗିରଫ କରିବା ପରେ କୋର୍ଟ ଚାଲାଣ କରିଥିଲେ। ଅଭିଯୁକ୍ତ ଙ୍କ ନାଁ ରେ କେ.ନୂଆଗାଁ ଥାନା,ବ୍ରହ୍ମପୁର ସଦର ଥାନା,ବ୍ରହ୍ମପୁର ଟାଉନ ଥାନା ରେ ଏକାଧିକ ମାମଲା ରହିଥିବା ପୋଲିସର ତଦନ୍ତରୁ ଜଣାପଡ଼ିଛି।


