ଫାଇନାଲ୍ରେ ରାଣୀପାଟଣା ଦୃଷ୍ଟିବାଧିତ ବିଦ୍ୟାଳୟ ମହିଳା କ୍ରିକେଟ୍ ଦଳ
ବାଲେଶ୍ୱର, (ସରୋଜ ପଣ୍ଡା): ଅଷ୍ଟମ ରାଜ୍ୟସ୍ତରୀୟ ମହିଳା ଦୃଷ୍ଟିବାଧିତ କ୍ରିକେଟ୍ ପ୍ରତିଯୋଗିତାର ଲିଗ୍ ପର୍ଯ୍ୟାୟ ମ୍ୟାଚ୍ ଶେଷ ହେବା ପରେ ରାଣୀପଟଣା, ବାଲେଶ୍ୱରସ୍ଥିତ ଦୃଷ୍ଟିହୀନ ନିମନ୍ତେ ବିଦ୍ୟାଳୟର ଦଳ ଫାଇନାଲ୍ରେ ରାମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଦଳକୁ ଭେଟିବ। ବିଶ୍ୱ ଭିନ୍ନକ୍ଷମ ଦିବସ–୨୦୨୬ ପାଳନ ଅବସରରେ ରାଜ୍ୟ ସରକାରଙ୍କ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ଆନୁକୂଲ୍ୟରେ ସୁଆ ବିଶ୍ୱବିଦ୍ୟାଳୟର କ୍ରୀଡ଼ା ପଡ଼ିଆରେ ଏହି ପ୍ରତିଯୋଗିତା ଚାଲିଛି। ଗତ ୨୪.୧୧.୨୦୨୬ ଠାରୁ ଆରମ୍ଭ ହୋଇଥିବା ଏହି ତିନିଦିନିଆ ପ୍ରତିଯୋଗିତାରେ ରାଜ୍ୟର ୮ଟି ଦଳ ଅଂଶଗ୍ରହଣ କରିଥିଲେ। ପ୍ରଥମ ଦିନରେ ଲୁଇ ବ୍ରେଲ୍ ବିଦ୍ୟାଳୟ ଦଳ ୬ ଉଇକେଟ୍ ରେ ୫୨ ରନ୍ ସଂଗ୍ରହ କରିଥିବା ବେଳେ ବାଲେଶ୍ୱର ଦଳ ୬ ଉଇକେଟ୍ ରେ ୭୬ ରନ୍ ସଂଗ୍ରହ କରି ବିଜୟ ହାସଲ କରିଥିଲା। ଦ୍ୱିତୀୟ ଦିବସରେ ବଲାଙ୍ଗୀର ଦଳ ୬ ଉଇକେଟ୍ ରେ ୩୬ ରନ୍ ସଂଗ୍ରହ କରିଥିବା ବେଳେ ବାଲେଶ୍ୱର ଦଳ ୫୬ ରନ୍ ସଂଗ୍ରହ କରି ବିଜୟୀ ହୋଇଥିଲା। ତୃତୀୟ ମ୍ୟାଚ୍ରେ ଭୀମଭୋଇ ବିଦ୍ୟାଳୟ ଦଳ ୬ ଉଇକେଟ୍ ରେ ୨୨ ରନ୍ ସଂଗ୍ରହ କରିଥିବା ବେଳେ ବାଲେଶ୍ୱର ଦଳ ୨୩ ରନ୍ ସଂଗ୍ରହ କରି ବିଜୟ ହାସଲ କରିଥିଲା। ଚତୁର୍ଥ ମ୍ୟାଚ୍ରେ ମୟୂରଭଞ୍ଜ ଦଳ ୬୯ ରନ୍ ସଂଗ୍ରହ କରିଥିବା ବେଳେ ବାଲେଶ୍ୱର ଦଳ ୬ ଓଭରରେ ୭୭ ରନ୍ ସଂଗ୍ରହ କରି ବିଜୟ ହାସଲ କରିଥିଲା। ଏହି ବିଜୟ ସହ ବାଲେଶ୍ୱର ଦଳ ଫାଇନାଲ୍ରେ ପ୍ରବେଶ କରି ରାମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଦଳକୁ ଭେଟିବ। ଛାତ୍ରୀମାନଙ୍କର ଏକାଗ୍ରତା, ନିଷ୍ଠା, ଉତ୍ସାହ ଓ ଦୃଢ଼ ମନୋବଳ ଯୋଗୁଁ ଦଳ ଫାଇନାଲ୍ରେ ପ୍ରବେଶ କରିବାରେ ସଫଳ ହୋଇଛି। ଏହି ସଫଳତାରେ ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, କର୍ମଚାରୀ ଓ ନିର୍ଦ୍ଦେଶକ ଦିବାକର ସ ଆନନ୍ଦିତ ହେବା ସହ ଫାଇନାଲ୍ରେ ଦଳର ବିଜୟ ପାଇଁ ଆଶା ରଖିଛନ୍ତି।


