ଓ୍ବାକଫ ସୁଧାର ଜନଜାଗରଣ ଅଭିଯାନ କର୍ମଶାଳା
ବାଲେଶ୍ବର(ସରୋଜ ପଣ୍ଡା) ଆଜି ସନ୍ଧ୍ୟା ୫ଟା ସମୟରେ ସ୍ଥାନୀୟ ଫାଣ୍ଟାସି ହୋଟେଲ ସମ୍ମୀଳନୀ କକ୍ଷରେ ଓ୍ବାକଫ ସୁଧାର ଜନଜାଗରଣ ଅଭିଯାନ କର୍ମଶାଳା ଜିଲ୍ଲା ସଭାପତି ଇଶ୍ଵର ଚନ୍ଦ୍ର ବେହେରାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଯାଇଛି। ବୈଠକରେ ସାଧାରଣ ସମ୍ପାଦକ ପର୍ଶୁରାମ ପରିଡ଼ା ମଞ୍ଚ ଆହ୍ବାନ କରିଥିଲେ। ପ୍ରଦୀପ ପ୍ରଜ୍ବଳନ ଓ ସାମୁହିକ ବନ୍ଦେ ମାତରଂ ଗାନ ପରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା। କର୍ମଶାଳାରେ ଜିଲ୍ଲା ସଭାପତି ଶ୍ରୀଯୁକ୍ତ ଇଶ୍ଵର ଚନ୍ଦ୍ର ବେହେରା, ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାସ, ସଦର ବିଧାୟକ ମାନସ କୁମାର ଦତ୍ତ, ପୁର୍ବତନ ଜିଲ୍ଲା ସଭାପତି ଲମ୍ବୋଦର ନାୟକ, କର୍ମଶାଳାର ଅନ୍ୟତମ ସଦସ୍ୟ ପ୍ରତାପ ମହାନ୍ତି, ଜିଲ୍ଲା ମିଡ଼ିଆ ସଂଯୋଜକ ଶ୍ରୀନିବାସ ପ୍ରଧାନ, ରାଜ୍ୟ ସମ୍ପାଦିକା ସିପ୍ରା ବାଜପେୟୀ ବିଲ୍ ସଂପର୍କରେ ବିଶେଷ ଆଲୋଚନା ଓ ଏହାର ଉପକାରିତା ବିଷୟରେ ଆଲୋକପାତ କରିଥିଲେ। ଯଥା -ସଂସଦର ଉଭୟ ଗୃହରେ ଓ୍ବାକଫ ସଂଶୋଧନ ବିଧେୟକ ପାସ୍ ହୋଇ ବିଲରେ ପରିଣତ ହେବାପରେ କିଛି କୁଚକ୍ରୀ ଗୋଷ୍ଠୀ ତାଙ୍କ ରାଜନୈତିକ ସ୍ବାର୍ଥ ସାଧନ ପାଇଁ ମୁସଲମାନ ମାନଙ୍କ ମନରେ ଅଯଥା ଭୟ ସୃଷ୍ଟି କରୁଛନ୍ତି ଓ ଭ୍ରମାତ୍ମକ ତଥ୍ୟଦେଇ ହିଂସାତ୍ମକ ଆନ୍ଦୋଳନ ପାଇଁ ପ୍ରବର୍ତ୍ତାଉଛନ୍ତି। ପ୍ରକୃତରେ ଓ୍ବାକଫ ସଂଶୋଧନ ବିଲ୍ ସମଗ୍ର ଦେଶର ଜନମାନସଙ୍କ ଆସ୍ଥା ଭାଜନ ହେବା ସହିତ ଓ୍ବାକଫ ବୋର୍ଡ଼ର ପ୍ରକୃତ ଉଦ୍ଦେଶ୍ୟ ପ୍ରତିପାଦନ କରିବା ପାଇଁ ପଥ ପରିଷ୍କାର କରାଯାଇଛି। ଇସଲାମିକ ଆସ୍ଥା ଅନୁଯାୟୀ ଓ୍ବାକଫ ସମ୍ପତ୍ତି କେବଳ ଗରିବଙ୍କ ପାଇଁ ଉଦ୍ଦିଷ୍ଟ, ତାହା ଉଭୟ ମୁସଲମାନ ଓ ଅଣମୁସଲିମ ବର୍ଗର ଗରିବଙ୍କ ପାଇଁ। ପରିସଂଖ୍ୟାନ ଅନୁସାରେ ଓ୍ବାକଫ ସମ୍ପତ୍ତି କେବଳ କିଛି ମୁଷ୍ଟିମେୟ ପ୍ରଭାବଶାଳୀ ବ୍ୟକ୍ତିଙ୍କ ଦଖଲରେ ରହିଆସିଛି। ୨୦୧୩ରେ ତତ୍କାଳୀନ କଂଗ୍ରେସ ସରକାର ଓ୍ବାକଫ ବୋର୍ଡ଼କୁ ସମ୍ବିଧାନର ଉପରକୁ ନେଇ ଏତେ କ୍ଷମତା ପ୍ରଦାନ କରିଥିଲେ ଯେ ଓ୍ବାକଫ ନାଆଁରେ ସରକାରୀ ଓ ବେସରକାରୀ ସମ୍ପତ୍ତି ଦଖଲ କରିବାର ଅନେକ ଘଟଣା ଦେଶରେ ଆଲୋଡନ ସୃଷ୍ଟି କରିଥିବା ବେଳେ ସାଧାରଣରେ ଭୟର ବାତାବରଣ ଖେଳିଯାଇଥିଲା। ସବୁ କଥାକୁ ଦୃଷ୍ଟିରେ ରଖି ଓ୍ବାକଫ ସଂଶୋଧନ ବିଲ୍ ଆଇନରେ ପରିଣତ ହୋଇଛି। ବିରୋଧୀଙ୍କ ଦ୍ଵାରା ଯାହା ପ୍ରଚାର କରାଯାଉଛି ତାହା ସମ୍ପୂର୍ଣ୍ଣ ମିଥ୍ୟାଚାର। କୌଣସି ବୈଧ ଓ୍ବାକଫ ସମ୍ପତ୍ତି ( ମସଜିଦ୍, କବରଖାନା, ମାଦ୍ରାସା, ଇତ୍ୟାଦି ଇତ୍ୟାଦି) ବେଦଖଲ ହେବନାହିଁ। ସରକାରୀ ଆଇନ୍ ଅନୁସାରେ ସମ୍ପତ୍ତିର ପଞ୍ଜିକରଣ ହେବ। ନୂଆ ଆଇନରେ କେହି ଏଥିରୁ ବଞ୍ଚିତ ହେବେ ନାହିଁ କି କେହି ଶୋଷିତ ମଧ୍ୟ ହେବେ ନାହିଁ। ସବୁଠାରୁ ତାତ୍ପର୍ଯ୍ୟର ବିଷୟ ଓ୍ବାକଫ ବୋର୍ଡ଼ ନାଆଁରେ ଯେଉଁ ଜମି ଜବରଦଖଲ ହୋଇଥିବାର ଅଭିଯୋଗ ଆସିଛି ସେଥିରୁ ୩୦% ଉର୍ଦ୍ଧ୍ବ ମୁସଲିମ ବ୍ୟକ୍ତିଙ୍କର ବୋଲି ତଥ୍ୟରୁ ଜଣାପଡିଛି।
କର୍ମଶାଳାରେ ଅଂଶଗ୍ରହଣ କରିଥିବା ଭଗବାନ ଗୁପ୍ତା, ବୈଲଚନ ଦାସ, ସୁବାଷ ମାସନ୍ତ, କେଶବ ଆଚାର୍ଯ୍ୟ, ବିଜୟ ସାହୁ, ପ୍ରବୀର ଶଙ୍କର ଦାଶ, ସେକ୍ ଅତାଉଲ୍ଲା , ଚନ୍ଦ୍ରଶେଖର ନନ୍ଦ, ଚିତ୍ତରଞ୍ଜନ ପଣ୍ଡା, ଲକ୍ଷ୍ମୀକାନ୍ତ ବେହେରା, ସୁସ୍ମିତା ପଣ୍ଡା, ପ୍ରଶାନ୍ତି ପଣ୍ଡା, ଭାରତୀ ମଲ୍ଲିକ, କାର୍ତ୍ତିକ ବେହେରା, ଚନ୍ଦ୍ରକାନ୍ତ ମିଶ୍ର, ସଂଯୁକ୍ତା ମହାପାତ୍ର, ମଧୁଶ୍ରୀ ପଣ୍ଡା, ସୁଇଟି ବାରିକ୍ କର୍ମଶାଳା ପ୍ରଶ୍ନୋତ୍ତରରେ ଅଂଶଗ୍ରହଣ କରିଥିଲେ। ସର୍ବଶେଷରେ କର୍ମଶାଳାର ସଂଯୋଜକ ବିଭୁପଦ ଦାସ ଧନ୍ୟବାଦ ଅର୍ପଣ କରିଥିଲେ।


