କାମ କରୁନି ଆୟୁଷ୍ମାନ କାର୍ଡ: ଲକ୍ଷାଧିକ ଟଙ୍କା ଧାର କରଜ କରି ଆନ୍ଧ୍ର ନଂର୍ସିହୋମରେ ରୋଗୀ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ମାଗଣା ସ୍ବାସ୍ଥ୍ୟସେବା ଯୋଗାଇବା ପାଇଁ ଡବଲ ଇଞ୍ଜିନ ସରକାର ଗଜପତି ଜିଲ୍ଲାରେ ବହୁ ଲୋକଙ୍କୁ ଆୟୁଷ୍ଠାନ କାର୍ଡ ପ୍ରଦାନ କରିଛନ୍ତି. ହେଲେ ଏହି କାର୍ଡ କୌଣସି କାମରେ ଆସୁନାହିଁ ବୋଲି ଅଭିଯୋଗ କରି ଜଟିଳ ରୋଗରେ ପୀଡିତ ଥିବା ଜଣେ ରୋଗୀଙ୍କ ପରିବାର ତରଫରୁ କୁହାଯାଇଛିଯେ, ଆୟୁଷ୍ମାନ କାର୍ଡ କାମରେ ଲାଗୁ ନ ଥିବା ଯୋଗୁଁ ଧାର କରଜ କରି ଆନ୍ଧ୍ରର ଘରୋଇ ନଂର୍ସିହୋମରେ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରି ମଧ୍ୟ ରୋଗୀ ସୁସ୍ଥ ହୋଇ ନାହାନ୍ତି. ଘଟଣାରୁ ପ୍ରକାଶ, ଗଜପତି ଜିଲ୍ଲାର ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୋଲା ଗ୍ରାମର ହୃଷି ରାଉତଙ୍କ ସ୍ତ୍ରୀ କିଡ଼ନୀ ରୋଗରେ ପୀଡିତ ଅଛନ୍ତି. ତାଙ୍କର ଡ଼ାୟଲିସିସ କରିବା ପାଇଁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ମୁଖ୍ୟ ଚିକିତ୍ସା କେନ୍ଦ୍ରକୁ ଅଣା ଯାଇଥିଲା. ହେଲେ ପାରଳା ଡାକ୍ତରଖାନାରେ ଡ଼ାୟଲିସିସ କେନ୍ଦ୍ର ଥାଇ ମଧ୍ୟ ବିଭିନ୍ନ ଅବ୍ୟବସ୍ଥା ଯୋଗୁଁ ରୋଗୀଙ୍କୁ ଆନ୍ଧ୍ରର ଶ୍ରୀକାକୁଲମ ଠାରେ ଥିବା ଘରୋଇ ନଂର୍ସିହୋମକୁ ପଠାଇ ଦିଆ ଯାଇଥିଲା. ପାରଳା ସରକାରୀ ଡାକ୍ତରଖାନାରେ ଏହି ରୋଗୀର ପରିବାରଙ୍କୁ କୁହାଯାଇଥିଲା ଯେ, ତୁମର ଆୟୁଷ୍ମାନ କାର୍ଡ ରହିଛି. ତେଣୁ ଆନ୍ଧ୍ରରେ ମାଗଣାରେ ଚିକିତ୍ସା ସୁବିଧା ପାଇପାରିବ. ଏହାକୁ ବିଶ୍ୱାସ କରି ଗରିବ ପରିବାରର ଲୋକେ ରୋଗୀଙ୍କୁ ଧରି ଶ୍ରୀକାକୁଲମ ନଂର୍ସିହୋମକୁ ଯାଇଥିଲେ. ହେଲେ ସେଠାରେ ଆୟୁଷ୍ମାନ କାର୍ଡ କୌଣସି ଭାବେ କାମ କରୁନଥିବା ଆନ୍ଧ୍ର ନଂର୍ସିହୋମ ତରଫରୁ ସ୍ପଷ୍ଟ ଭାବେ ଜଣାଇ ଦିଆ ଯାଇଥିଲା. ଅନ୍ୟ କୌଣସି ରାସ୍ତା ନପାଇ ପରିଶେଷରେ ଲକ୍ଷାଧିକ ଟଙ୍କାର ଧାର କରଜ କରି ରୋଗୀଙ୍କୁ ସେଠାରେ ଚିକିତ୍ସା କରିଥିଲେ. ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇଥିଲେ ମଧ୍ୟ ରୋଗୀ ସୁସ୍ଥ ହୋଇନଥିବା ପରିବାର ତରଫରୁ ସୂଚନା ଦିଆଯାଇଛି. ଏଠାରେ ଉଲ୍ଲେଖଯୋଗ୍ୟ ଯେ, ପାରଳାଖେମୁଣ୍ଡି ସରକାରୀ ଡାକ୍ତରଖାନାରେ ଆନ୍ଧ୍ର ନଂର୍ସିହୋମ ଗୁଡିକର କେତେଜଣ ଏଜେଣ୍ଟ ଓ ଦଲାଲ ରହିଛନ୍ତି. ଯେଉଁମାନେ ମାତ୍ର କିଛି ଟଙ୍କା କମିଶନ ପାଇଁ ଏଭଳି ଓଡ଼ିଶାର ରୋଗୀଙ୍କୁ ଆନ୍ଧ୍ରର ନଂର୍ସିହୋମକୁ ପଠାଉଛନ୍ତି. ଏମାନଙ୍କ ବିରୁଦ୍ଧରେ ପ୍ରଶାସନ ତୁରନ୍ତ ପଦକ୍ଷେପ ଗ୍ରହଣ କରନ୍ତୁ ବୋଲି ପାରଳା ସହରର ବୁଦ୍ଧିଜୀବୀମାନେ ଦାବି କରିଛନ୍ତି.


