୬୯ ବର୍ଷରେ ବେଲପାଳ ଗଜଲକ୍ଷ୍ମୀ ପୂଜା
ବଡ଼ସାହି,(ନିରଞ୍ଜନ ମହାନ୍ତ):ବଡ଼ସାହି ବ୍ଲକ୍ ଅନ୍ତର୍ଗତ ତଥା ନିକଟସ୍ଥ ସର୍ବ ପୁରାତନ ମଣ୍ଡପ ବେଲପାଳ ଗ୍ରାମରେ ଆସନ୍ତା ୨୫ ତାରିଖ ଦିନ ଗଜଲକ୍ଷ୍ମୀ ପୂଜା ଯଥାବିଧି ଅନୁଷ୍ଠିତ ହେବ।ଉକ୍ତ ପୂଜା ଅନୁଷ୍ଠାନ ଚଳିତ ବର୍ଷ ୬୯ ବର୍ଷରେ ପଦାର୍ପଣ କରୁଛି।ଗ୍ରାମର ବୟୋଜ୍ୟେଷ୍ଠ ତଥା ସ୍ୱର୍ଗତଃ କେତେଜଣ ଗ୍ରାମବାସୀଙ୍କ ଯୋଜନା ତଥା ଆୟୋଜନ କ୍ରମେ ଉକ୍ତ ପୂଜା ଆରମ୍ଭ ହୋଇଥିଲା।ଏବେ ତାହା ୬୯ ବର୍ଷରେ ପହଞ୍ଚି ପାରିଛି କେବଳ ଗ୍ରାମବାସୀଙ୍କ ପ୍ରତ୍ୟକ୍ଷ ସହଯୋଗରେ।ପୂଜକ ଶାନ୍ତନୁ ଆଚାର୍ଯ୍ୟଙ୍କ ଦ୍ୱାରା ୨୫ ତାରିଖ ରାତିରେ ସ୍ଥାନୀୟ ବୁଢାବଳଙ୍ଗ ନଦୀ ଘାଟରୁ ଘଟତ୍ତୋଳନ କରାଯାଇ ପୂଜା ଆରମ୍ଭ ହେବା ସହିତ ହୋମଯଜ୍ଞ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ପୂଜାକମିଟି ପକ୍ଷରୁ ପ୍ରକାଶ କରାଯାଇଛି। ଏହି ଉପଲକ୍ଷେ ୫ ଦିନ ଧରି ମେଳା ବସିବାକୁ ଥିବାବେଳେ ୨ ଦିନ ଅପେରା ପ୍ରଦର୍ଶନ କାର୍ଯ୍ୟକ୍ରମ ରହିଛି।ଏଥିପାଇଁ ମୃଣ୍ମୟୀ ମୂର୍ତ୍ତିର ନିର୍ମାଣ କାର୍ଯ୍ୟ ଶିଳ୍ପୀ ଦ୍ୱାରା ଯୁଦ୍ଧକାଳୀନ ଭିତ୍ତିରେ ଚାଲୁ ରହିଥିବା ଦେଖାଯାଉଛି।ଚଳିତ ବର୍ଷ ପୂଜାରେ କର୍ତ୍ତା ଭାବେ ସାମ୍ବାଦିକ ଅମିୟ କୁମାର ବଳା ସସ୍ତ୍ରିକ ଯୋଗ ଦେଇ କାର୍ଯ୍ୟ ସମାପନ କରିବାର ସିଦ୍ଧାନ୍ତ ହୋଇଛି। ଏହିପରି ପୁରାତନ ଅନୁଷ୍ଠାନ ବଡ଼ସାହି ବ୍ଲକର ସୁହାଗପୁର, ଦେଉଳିଆ,ସିଂହଟିଆ, କୋଚିଲାଖୁଣ୍ଟା,ଆମ୍ବଡାଳି, ବାରୁଡିହି ଆଦି ଗ୍ରାମରେ ଗଜଲକ୍ଷ୍ମୀ ପୂଜା ଅନୁଷ୍ଠିତ ହେବ।


