କୁନି ବୟସରେ ବଡ଼ ସଫଳତା, ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡରେ ସ୍ୱସ୍ତିକା

ହାଟଡିହି, (ଓ୍ବାଇଏନଏସ): ବୟସ ମାତ୍ର ଚାରି ବର୍ଷ। ହେଲେ ଏହି କୁନି ବୟସରେ ନିଜର ଅସାଧାରଣ ସ୍ମରଣଶକ୍ତି, ଏକାଗ୍ରତା ଓ ବହୁମୁଖୀ ପ୍ରତିଭାର ପରିଚୟ ଦେଇ ଜାତୀୟ ସ୍ତରରେ ସଫଳତା ହାସଲ କରିଛନ୍ତି ହାଟଡିହି ବ୍ଲକ ବଞ୍ଚୋ ଗ୍ରାମର କୁନି ଝିଅ ସ୍ୱସ୍ତିକା ରାଉତ। ୨୦ ପ୍ରକାର ଯୋଗାସନ ସମେତ ୩୨ରୁ ଊର୍ଦ୍ଧ୍ୱ ବିଭାଗରେ ନିଜର ଅସାଧାରଣ ଦକ୍ଷତା ପ୍ରଦର୍ଶନ କରି ସେ ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ଅଧିକାର କରିଛନ୍ତି। ତାଙ୍କର ଏହି ସଫଳତା କେବଳ ପରିବାର ପାଇଁ ନୁହେଁ, ସମଗ୍ର ହାଟଡିହି ଅଞ୍ଚଳ ପାଇଁ ଗର୍ବ ଓ ଗୌରବର ବିଷୟ ପାଲଟିଛି। ସ୍ୱସ୍ତିକାଙ୍କ ପିତା ସୁପ୍ରଭାତ ରାଉତ ଏକ ଘରୋଇ ବ୍ୟାଙ୍କରେ ପରିଚାଳକ ଭାବେ କାର୍ଯ୍ୟରତ ଥିବାବେଳେ ମାତା ସ୍ନିଗ୍ଧା ରାଣୀ ମହାପାତ୍ର ଜଣେ ଉଚ୍ଚଶିକ୍ଷିତା ଗୃହିଣୀ। ଶିଶୁଟିର ଛୋଟବେଳୁ ଅସାଧାରଣ ସ୍ମରଣଶକ୍ତି ଓ ବିଭିନ୍ନ ବିଷୟ ପ୍ରତି ଆଗ୍ରହ ଥିବା ମାଆ ଲକ୍ଷ୍ୟ କରିଥିଲେ। ଏହାପରେ ସେ ଝିଅକୁ ଖେଳକୁଦ ଓ ମନୋରଞ୍ଜନ ମାଧ୍ୟମରେ ବିଭିନ୍ନ ବିଷୟରେ ଶିକ୍ଷା ଦେବା ସହ ତା’ର ପ୍ରତିଭାର ବିକାଶ ପାଇଁ ନିରନ୍ତର ଉଦ୍ୟମ କରିଥିଲେ। ମାଆଙ୍କ ଉଚିତ ମାର୍ଗଦର୍ଶନ ଓ ପରିବାରର ସହଯୋଗ ଯୋଗୁଁ ସ୍ୱସ୍ତିକା ଅତି କମ୍ ବୟସରୁ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ହାସଲ କରିପାରିଛନ୍ତି। ସେ ୨୦ ପ୍ରକାର ଯୋଗାସନ କରିବା ସହିତ କମ୍ପ୍ୟୁଟରର ବିଭିନ୍ନ ଉପକରଣ ଓ ସାମଗ୍ରୀର ନାମ, ବିଭିନ୍ନ ପନିପରିବା, ଫଳମୂଳ, କୀଟପତଙ୍ଗ, ପଶୁପକ୍ଷୀଙ୍କ ନାମ ନିର୍ଭୁଲ ଭାବେ ଚିହ୍ନଟ କରି କହିପାରୁଛନ୍ତି। ଏଥିସହିତ ସପ୍ତାହର ସାତ ଦିନ, ବାର ମାସ, ଋତୁ, ବିଭିନ୍ନ ପ୍ରକାର ଫୁଲ ଓ ଫଳର ନାମ ମଧ୍ୟ ଇଂରାଜୀରେ ସ୍ପଷ୍ଟ ଭାବେ ଉଚ୍ଚାରଣ କରିପାରୁଛନ୍ତି। ଏପରିକି ବିଭିନ୍ନ ପଶୁପକ୍ଷୀଙ୍କ ସ୍ୱରକୁ ଅନୁକରଣ କରିବାରେ ମଧ୍ୟ ତାଙ୍କର ବିଶେଷ ଦକ୍ଷତା ରହିଛି। ଝିଅର ଏହି ବହୁମୁଖୀ ପ୍ରତିଭାକୁ ଜାତୀୟ ସ୍ତରରେ ପରିଚିତ କରାଇବା ଲକ୍ଷ୍ୟରେ ପିତା ସୁପ୍ରଭାତ ରାଉତ ଇଣ୍ଟରନେଟ୍ ମାଧ୍ୟମରେ ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡ ସମ୍ପର୍କରେ ଜାଣିବାକୁ ପାଇଥିଲେ। ଏହାପରେ ସେ ଝିଅର ନାମ ପଞ୍ଜୀକରଣ କରିବା ସହ ତା’ର ବିଭିନ୍ନ ପ୍ରତିଭାର ଭିଡିଓ ରେକର୍ଡ କରି ନିର୍ଦ୍ଧାରିତ ପ୍ରକ୍ରିୟାରେ ପଠାଇଥିଲେ। ରେକର୍ଡ ପାଇଁ ପଠାଯାଇଥିବା ଭିଡିଓଗୁଡ଼ିକୁ ବିଚାରକମାନେ ଯାଞ୍ଚ କରିବା ପରେ ସ୍ୱସ୍ତିକାଙ୍କ ପ୍ରତିଭାକୁ ସ୍ୱୀକୃତି ମିଳିଥିଲା। ଗତକାଲି ଇଣ୍ଡିଆନ୍ ବୁକ୍ ଅଫ୍ ରେକର୍ଡ ପକ୍ଷରୁ ସ୍ୱସ୍ତିକାଙ୍କ ଏହି ସଫଳତାର ସ୍ୱୀକୃତି ସ୍ୱରୂପ ତାଙ୍କ ନିକଟକୁ ପଦକ, ମାନପତ୍ର ଏବଂ ରେକର୍ଡ ପୁସ୍ତକ ପଠାଯାଇଛି। ଏହି ସମ୍ମାନ ପାଇବା ପରେ ପରିବାରରେ ଆନନ୍ଦର ମାହୋଲ ସୃଷ୍ଟି ହୋଇଛି। ଆତ୍ମୀୟସ୍ୱଜନ, ବନ୍ଧୁବାନ୍ଧବ ଓ ଶୁଭେଚ୍ଛୁମାନେ ସ୍ୱସ୍ତିକାଙ୍କ ଏହି ସଫଳତାରେ ଖୁସି ପ୍ରକାଶ କରିବା ସହ ତାଙ୍କୁ ଓ ତାଙ୍କ ପରିବାରକୁ ଅଭିନନ୍ଦନ ଜଣାଉଛନ୍ତି। ମାତ୍ର ଚାରି ବର୍ଷ ବୟସରେ ଏଭଳି ଉଲ୍ଲେଖନୀୟ ସଫଳତା ହାସଲ କରି ସ୍ୱସ୍ତିକା ଅନ୍ୟ ଶିଶୁମାନଙ୍କ ପାଇଁ ମଧ୍ୟ ପ୍ରେରଣାର ଉତ୍ସ ପାଲଟିଛନ୍ତି। ଶିଶୁଙ୍କ ମଧ୍ୟରେ ଲୁକ୍କାୟିତ ପ୍ରତିଭାକୁ ଚିହ୍ନିବା ସହ ଉପଯୁକ୍ତ ପରିବେଶ, ଉତ୍ସାହ ଓ ମାର୍ଗଦର୍ଶନ ମିଳିଲେ ସେମାନେ ଅଳ୍ପ ବୟସରୁ ମଧ୍ୟ ନିଜର ପ୍ରତିଭାର ପରିଚୟ ଦେଇପାରନ୍ତି, ତାହା ସ୍ୱସ୍ତିକାଙ୍କ ସଫଳତାରୁ ପ୍ରମାଣିତ ହୋଇଛି। ସମଗ୍ର ହାଟଡିହି ବ୍ଲକ ଅଞ୍ଚଳରେ ଏହି ସଫଳତାକୁ ନେଇ ଖୁସିର ଲହରୀ ଖେଳିଯାଇଛି। ବିଭିନ୍ନ ବ୍ୟକ୍ତିବିଶେଷ ଓ ସଂଗଠନ ପକ୍ଷରୁ କୁନି ପ୍ରତିଭା ସ୍ୱସ୍ତିକା ଏବଂ ତାଙ୍କ ପିତାମାତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟିଛି। ଆଗାମୀ ଦିନରେ ସ୍ୱସ୍ତିକା ଆହୁରି ଉଚ୍ଚ ସଫଳତା ହାସଲ କରି ନିଜ ପରିବାର, ଗ୍ରାମ ଓ ଅଞ୍ଚଳର ଗୌରବ ବୃଦ୍ଧି କରନ୍ତୁ ବୋଲି ସମସ୍ତେ କାମନା କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ