ବନ୍ୟାଞ୍ଚଳ ବୁଲି ଶିଶୁଙ୍କ ସ୍ଥିତି ପରଖିଲେ ଓଡିଶା ରାଜ୍ୟ ଶିଶୁ ଅଧିକାର ଆୟୋଗ ଅଧ୍ୟକ୍ଷା

ଛତ୍ରପୁର, (ଓ୍ବାଇଏନଏସ) ବାତ୍ୟା ‘ଅର୍ଣ୍ଣବ’ ପରବର୍ତ୍ତୀ ବନ୍ୟାରେ ଗଞ୍ଜାମ ଜିଲ୍ଲାର ପ୍ରଭାବିତ ଅଞ୍ଚଳରେ ଶିଶୁ ଓ କିଶୋରୀମାନଙ୍କ ସ୍ଥିତି ଅନୁଧ୍ୟାନ କରିଛନ୍ତି ଓଡ଼ିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ଅଧ୍ୟକ୍ଷା ବବିତା ପାତ୍ର। ଦୁଇଦିନିଆ ଗଞ୍ଜାମ ଗସ୍ତରେ ଆସି ସେ ସାନଖେମୁଣ୍ଡି, ଶେରଗଡ଼, ଧରାକୋଟ, ଆସିକା ଓ ଛତ୍ରପୁର ବ୍ଲକର ବିଭିନ୍ନ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବା ସହ ବିପନ୍ନ ଶିଶୁମାନଙ୍କ ସମସ୍ୟା ଓ ଆବଶ୍ୟକତା ସମ୍ପର୍କରେ ପଚାରି ବୁଝିଥିଲେ। ବନ୍ୟା ପରବର୍ତ୍ତୀ ସ୍ଥିତିର ମୁକାବିଲା ନିମନ୍ତେ ଜିଲ୍ଲା ପ୍ରଶାସନ ପକ୍ଷରୁ ଗ୍ରହଣ କରାଯାଇଥିବା ପଦକ୍ଷେପକୁ ନେଇ ସେ ସନ୍ତୋଷ ପ୍ରକାଶ କରିଥିଲେ। ଏହି ଅବସରରେ ଜିଲ୍ଲାପାଳ ଓ ବିଭିନ୍ନ ବିଭାଗର ପ୍ରଶାସନିକ ଅଧିକାରୀଙ୍କ ସହ ସମୀକ୍ଷା ବୈଠକ କରିବା ପରେ ଗଣମାଧ୍ୟମକୁ ସୂଚନା ଦେଇ ଅଧ୍ୟକ୍ଷା କହିଥିଲେ ଯେ, ବନ୍ୟା ଯୋଗୁଁ ଜିଲ୍ଲାର ଅନେକ ଅଙ୍ଗନବାଡ଼ି କେନ୍ଦ୍ର ଓ ବିଦ୍ୟାଳୟ ପ୍ରଭାବିତ ହୋଇଛି। ତେଣୁ ସମ୍ପୃକ୍ତ ଅନୁଷ୍ଠାନଗୁଡ଼ିକର ଭିତ୍ତିଭୂମି ଓ କୋଠାର ସୁରକ୍ଷା ଯାଞ୍ଚ କରିବା ସହ ଫିଟନେସ୍‌ ସାର୍ଟିଫିକେଟ୍‌ ମିଳିବା ପରେ ହିଁ ପିଲାମାନଙ୍କୁ ସେଠାକୁ ଯିବାକୁ ଅନୁମତି ଦେବାକୁ ପରାମର୍ଶ ଦିଆଯାଇଛି। ବନ୍ୟା ପାଣିରେ ବହୁ ଛାତ୍ରଛାତ୍ରୀଙ୍କ ପାଠ୍ୟପୁସ୍ତକ ଓ ବିଦ୍ୟାଳୟ ପୋଷାକ ନଷ୍ଟ ହୋଇଥିବାରୁ ସେଗୁଡ଼ିକର ତୁରନ୍ତ ବିକଳ୍ପ ବ୍ୟବସ୍ଥା କରିବାକୁ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ କୁହାଯାଇଛି। ବନ୍ୟା ପରବର୍ତ୍ତୀ ସମୟରେ ଶିଶୁମାନଙ୍କ ସ୍ୱାସ୍ଥ୍ୟ ପ୍ରତି ସ୍ୱତନ୍ତ୍ର ଧ୍ୟାନ ଦେବାକୁ ମଧ୍ୟ ଅଧ୍ୟକ୍ଷା ଗୁରୁତ୍ୱାରୋପ କରିଥିଲେ। ଚର୍ମରୋଗ ଓ ବିଭିନ୍ନ ସଂକ୍ରମଣର ଚିକିତ୍ସା ପାଇଁ ପ୍ରଭାବିତ ଅଞ୍ଚଳରେ ଡାକ୍ତରୀ ଦଳ ନିୟୋଜିତ କରି ଚିକିତ୍ସା ଶିବିର ଆୟୋଜନ କରିବାକୁ ଆଲୋଚନା ହୋଇଛି। ପ୍ରତ୍ୟେକ ଘରକୁ ହାଲୋଜେନ୍‌ ବଟିକା ଯୋଗାଣ ସହ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ବ୍ୟବସ୍ଥା ସୁଦୃଢ଼ କରିବା ନିମନ୍ତେ ସିଡିଏମ୍‌ଓଙ୍କ ସହ ଆଲୋଚନା କରାଯାଇଛି। ସେହିପରି ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀମାନେ ଘରକୁ ଘର ବୁଲି ଶିଶୁମାନଙ୍କୁ ଶୁଖିଲା ରାସନ ଯୋଗାଇବା ସହ ସ୍ୱାସ୍ଥ୍ୟ ଓ ପରିମଳ ସମ୍ପର୍କରେ ସଚେତନ କରିବେ। ଗ୍ରାମାଞ୍ଚଳର କିଶୋରୀ ବାଳିକାମାନଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ପର୍ଯ୍ୟାପ୍ତ ପରିମାଣର ସାନିଟାରୀ ନାପକିନ୍‌ ଯୋଗାଇବା ପାଇଁ ମଧ୍ୟ ବ୍ୟବସ୍ଥା ହୋଇଛି। ସରକାର ଓ ଜିଲ୍ଲା ପ୍ରଶାସନର ମିଳିତ ସହଯୋଗରେ ପ୍ରତ୍ୟେକ ବିପନ୍ନ ଶିଶୁଙ୍କ ସ୍ୱାସ୍ଥ୍ୟ, ଶିକ୍ଷା ଓ ସୁରକ୍ଷା ସୁନିଶ୍ଚିତ କରିବା ସହ ସେମାନଙ୍କୁ ଯେପରି କୌଣସି ଅସୁବିଧାର ସାମ୍ନା କରିବାକୁ ନପଡ଼େ, ସେଥିପାଇଁ ସମସ୍ତ ପ୍ରୟାସ ଜାରି ରହିବ ବୋଲି ଶ୍ରୀମତୀ ପାତ୍ର ପ୍ରକାଶ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ