ଗଞ୍ଜାମର ବନ୍ୟାଞ୍ଚଳ ପରିଦର୍ଶନ କଲା ବିଜେଡି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍
ଛତ୍ରପୁର, (ଓ୍ବାଇଏନଏସ): ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳର ନେତା ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନେତୃତ୍ୱରେ ଏକ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଶନିବାର ଗଞ୍ଜାମ ଜିଲ୍ଲାର ବିଭିନ୍ନ ବନ୍ୟାପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଛି। ଟିମ୍ ଚିକିଟି, ପାତ୍ରପୁର, ହିଞ୍ଜିଳି, ଶେରଗଡ଼, ଆସିକା, କବି ସୂର୍ଯ୍ୟ ନଗର ଓ ପୁରୁଷୋତ୍ତମପୁର ସମେତ ବିଭିନ୍ନ ଅଞ୍ଚଳ ବୁଲି ବନ୍ୟା ସ୍ଥିତି ଅନୁଧ୍ୟାନ କରିଥିଲା। ଏହି ଅବସରରେ ଟିମ୍ ବନ୍ୟାପୀଡ଼ିତ ଲୋକଙ୍କୁ ଭେଟି ସେମାନଙ୍କ ସମସ୍ୟା, ଦୁର୍ଦ୍ଦଶା ଓ ବନ୍ୟାଜନିତ କ୍ଷୟକ୍ଷତି ସମ୍ପର୍କରେ ଅବଗତ ହୋଇଥିଲା। ବିପନ୍ନଙ୍କ ନିକଟରେ ରିଲିଫ୍ ଓ ଆବଶ୍ୟକ ସହାୟତା ପହଞ୍ଚିଛି କି ନାହିଁ, ସେନେଇ ମଧ୍ୟ ଟିମ୍ ତଥ୍ୟ ସଂଗ୍ରହ କରିଥିଲା। ପରେଏହି ଟିମ୍ ସନ୍ଧ୍ୟା ରେ ଛତ୍ରପୁର ଠାରେ ଗଞ୍ଜାମ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନଙ୍କୁ ଭେଟି ବନ୍ୟା ପରିସ୍ଥିତି, ଉଦ୍ଧାର ଓ ରିଲିଫ୍ କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲା। ବନ୍ୟାପୀଡ଼ିତଙ୍କ ନିକଟରେ ଆବଶ୍ୟକ ସହାୟତା ତୁରନ୍ତ ପହଞ୍ଚାଇବା ସହ ରିଲିଫ୍ ବଣ୍ଟନକୁ ଅଧିକ ତ୍ୱରାନ୍ୱିତ କରିବା ନେଇ ଟିମ୍ ପକ୍ଷରୁ ଆଲୋଚନା କରାଯାଇଥିଲା।
ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ରେ ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନା, ଶ୍ରୀକାନ୍ତ ସାହୁ ଓ ଟୁକୁନି ସାହୁ, ପୂର୍ବତନ ସାଂସଦ ଚନ୍ଦ୍ରଶେଖର ସାହୁ, ପୂର୍ବତନ ବିଧାୟକ ଡ. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପୂର୍ବତନ ବିଧାୟକ ତଥା ଗଞ୍ଜାମ ଜିଲ୍ଲା ବିଜେଡି ସଭାପତି ବିକ୍ରମ ପଣ୍ଡା, ବିଜେଡି ରାଜ୍ୟ ସାଧାରଣ ସମ୍ପାଦକତଥା ମୁଖପାତ୍ର ଭୃଗୁ ବକ୍ସିପାତ୍ର, ପୂର୍ବତନ ବିଧାୟକ ସୁବାଷ ଚନ୍ଦ୍ର ବେହେରା, ପୂର୍ଣ୍ଣଚନ୍ଦ୍ର ସ୍ୱାଇଁ, ବିଜେଡି ରାଜ୍ୟ ମୁଖପାତ୍ର ତୁମ୍ବନାଥ ପଣ୍ଡା, ପୂର୍ବତନ ବିଡିଏ ଅଧ୍ୟକ୍ଷ ସୁବାଷ ମହାରଣା,ଯୁବ ବିଜେଡି ରାଜ୍ୟ ସଭାପତି ଚିନ୍ମୟ ସାହୁ, ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁ, ଲତିକା ପ୍ରଧାନ ଓ ସୂର୍ଯ୍ୟମଣି ବୈଦ୍ୟ, ଆସିକା ବିଜେଡି ସାଂସଦ ପ୍ରାର୍ଥୀ ରଞ୍ଜିତା ସାହୁ, ବ୍ରହ୍ମପୁର ମେୟର ସଂଘମିତ୍ରା ଦଳାଇ, ଡେପୁଟି ମେୟର ବିବେକ ରେଡ୍ଡୀ, କର୍ପୋରେଟର ସୋନାଲି ଗନ୍ତାୟତ, ଚିକିଟି ବିଧାୟକ ପ୍ରାର୍ଥୀ ଶ୍ରୀରୁପ ଦେବ, ଦିଗପହଣ୍ଡି ବିଧାୟକ ପ୍ରାର୍ଥୀ ବିପ୍ଳବ ପାତ୍ର, ଯୁବ ବିଜେଡି ରାଜ୍ୟ କାର୍ଯ୍ୟକାରୀ ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଯୁବ ବିଜେଡି ରାଜ୍ୟ ସମ୍ପାଦକ ବିମଳ କୁମାର ପଣ୍ଡା, ଛତ୍ରପୁର ବ୍ଲକ ବିଜେଡି ସଭାପତି ଏସ. ଚକ୍ରପାଣି ରେଡ୍ଡୀ, ପୂର୍ବତନ କାଉନସିଲର ରାଜେଶ ସାହୁ ଓ କିଶୋର ଚନ୍ଦ୍ର ସେନାପତି, ଖଲିକୋଟ ଏନଏସି ଚେୟାରମ୍ୟାନ ନିରଞ୍ଜନ ବେହେରା, ଯୁବ ନେତା ରଞ୍ଜନ ପଲାଇ, ଯୋଗେନ୍ଦ୍ର ସ୍ୱାଇଁ, ନଚିକେତ ସ୍ୱାଇଁ, ଛତ୍ରପୁର ଓକିଲ ସଂଘ ସଭାପତି ଏଲ. ଗୋପାଳ ରାଓ, ଆଇନଜୀବୀ ଭୈରବୀ କୁମାର ପଟ୍ଟନାୟକ, କାହ୍ନୁ ଚରଣ ବେହେରା, ରାଜେଶ ମହାରଣା ଓ ଟିକିନା ଗୌଡ଼ଙ୍କ ସମେତ ବହୁ ନେତା ଓ କର୍ମୀ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗତକାଲି ନବୀନ ପଟ୍ଟନାୟକ ଟେଲିଫୋନ୍ ଯୋଗେ ଗଞ୍ଜାମ ଜିଲ୍ଲାପାଳଙ୍କ ସହ ଆଲୋଚନା କରି ହିଞ୍ଜିଳି, ଶେରଗଡ଼ ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳର ବନ୍ୟା ପରିସ୍ଥିତି ସମ୍ପର୍କରେ ପଚାରି ବୁଝିଥିଲେ।


