ସାଧାରଣ ଲୋକଙ୍କ ଭୋଟ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ ସେପ୍ଟେମ୍ବର ୧ରେ ବିଜେଡି ଦଳ ତରଫରୁ ଧାରଣା
ଧାମନଗର (ଓ୍ବାଇଏନଏସ): ଭୋଟର ତାଲିକାରୁ ଯୋଗ୍ୟ ନାଗରିକଙ୍କ ନାମ କାଟିବା ପାଇଁ ଜାଲିଆତି ଓ ଚଞ୍ଚକତା କରାଯାଉଥିବା ନେଇ ଧାମନଗର ନଗର ବିଜୁ ଜନତା ଦଳ ଗୁରୁତର ଅଭିଯୋଗ ଆଣିଛି। ECI No.7ର ଦୁରୁପଯୋଗ କରି BLOମାନଙ୍କଠାରୁ OTP ନେଇ ଭୋଟର ତାଲିକାରେ କାରସାଦି କରାଯାଉଥିବା ଅଭିଯୋଗ କରି ଏହାର ତଦନ୍ତ ଓ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ଦଳ। ଏନେଇ ଧାମନଗର ନଗର ବିଜେଡି ସଭାପତି ବିଜୟ କେତନ ସାହୁ ଧାମନଗର ଥାନା ଆଇଆଇସିଙ୍କ ନିକଟରେ ଧାରଣା ସମ୍ପର୍କରେ ଅଭିଯୋଗ ଜଣାଇଛନ୍ତି। ଅଭିଯୋଗ ଅନୁଯାୟୀ, ଜାଲିଆତି ଓ ଚଞ୍ଚକତା ମାଧ୍ୟମରେ ଭୋଟର ତାଲିକାରୁ ଯୋଗ୍ୟ ନାଗରିକଙ୍କ ନାମ ବାଦ୍ ଦେବା ପାଇଁ ଷଡ଼ଯନ୍ତ୍ର ଚାଲିଥିବା ଦଳ ଅଭିଯୋଗ କରିଛି।ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଧାମନଗର ନଗର ବିଜେଡି ପକ୍ଷରୁ ଆସନ୍ତା ସେପ୍ଟେମ୍ବର ୧ ତାରିଖରେ ଏନ୍ଏସି କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବ ବୋଲି ଏନ ଏ ସି ଏବଂ ଥାନାରେ ଦଳ ତରଫରୁ ଲିଖିତ ଜଣାଇଛନ୍ତି ସୂଚନା ମିଳିଛି। ସାଧାରଣ ଲୋକଙ୍କ ଭୋଟ ଅଧିକାର ଓ ସ୍ୱାର୍ଥର ସୁରକ୍ଷା ପାଇଁ ଏହି ଆନ୍ଦୋଳନ କରାଯିବ ବୋଲି ବିଜେଡି କହିଛି। ଘଟଣାର ନିରପେକ୍ଷ ତଦନ୍ତ କରି ଜଡ଼ିତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କଠୋର ପଦକ୍ଷେପ ନେବାକୁ ଦଳ ଦାବି କରିଛି। ତେବେ ଏହି ଅଭିଯୋଗ ସମ୍ପର୍କରେ ଏନ ଏ ସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଯୋଗାଯୋଗ କରିବାରୁ ୭ନମ୍ବର ଫର୍ମ ଜନସେବା କେନ୍ଦ୍ର ମାଧ୍ୟମରେ ଦେଇଛନ୍ତି। ସେଥିରେ (ବି.ଏଲ୍.ଓ) ମାନେ ଯାହା ନିଷ୍ପତ୍ତି ନେଇ ପାରିବେ ଆମର କିଛି କରିବାର ନାହିଁ ବୋଲି ଅଧିକାରୀ ସନ୍ତୋଷ କୁମାର ନାୟକ ତାଙ୍କ ପ୍ରତିକ୍ରିୟା କହିଛନ୍ତି।


