ବିଜେପି ରେ ଗୋଷ୍ଠୀ ସଂଘର୍ଷ ଘଟଣା: ମୁଖ୍ୟ ଅଭିଯୁକ୍ତକୁ ଗିରଫ ଦାବୀରେ ଥାନା ଘେରାଉ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତ ଅଧିନ ବିଭିନ୍ନ ଗ୍ରାମରେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଚାଲିଥିବା ଠିକା କାମ କୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିବା ବାଦ ବିବାଦ ଗତ ୫ ତାରିଖ ସକାଳେ ହିଂସାକାଣ୍ଡ ରେ ପରିଣତ ହୋଇଥିଲା। ବିଜେପି ର ଦୁଇ ଗୋଷ୍ଠୀ ମଧ୍ୟରେ ରକ୍ତାକ୍ତ ସଂଘର୍ଷରେ ଉଭୟ ଗୋଷ୍ଠୀର ଏକାଧିକ ବ୍ୟକ୍ତି ଆହାତ ହୋଇଥିଲେ। ଏହି ଘଟଣାର ମାଷ୍ଟର ମାଇଣ୍ଡ ମନୋଜ କୁମାର ସାହୁ ଙ୍କୁ ତୁରନ୍ତ ଗିରଫ କରିବା ଦାବୀ ରେ ସୋମବାର ଅପରାହ୍ନ ରେ ସରପଞ୍ଚ ପ୍ରିୟଙ୍କା ନାୟକ ଏବଂ ସମିତି ସଭ୍ୟ ସମୀର ଦଳ ବେହେରା ଙ୍କ ନେତୃତ୍ୱରେ ବହୁ ସଂଖ୍ୟକ ମହିଳା ପୁରୁଷ କେ.ନୂଆଗାଁ ଥାନା ରେ ପହଞ୍ଚି ମୁଖ୍ୟ ଫାଟକରେ ତାଲା ପକାଇବା ସହ ଥାନା ଘେରାଉ କରିଥିଲେ। ପରେ ପୋଲିସ ଟିମ୍ ବୁଝାସୁଝା କରିବା ପରେ ଉତ୍ତେଜିତ ଲୋକେ ଫାଟକ ରୁ ତାଲା ଖୋଲି ବ୍ରହ୍ମପୁର ଏସ ପି ଡ଼ା. ଶ୍ରବଣ ବିବେକ ଏମ ଏଠାରେ ପହଞ୍ଚି ଆଲୋଚନା କରିବା ଦାବୀରେ ଲୋକେ ବିଳମ୍ବିତ ସନ୍ଧ୍ୟା ଯାଏଁ ଫାଟକ ସମ୍ମୁଖରେ ଧାରଣା ରେ ବସି ରହିଥିଲେ। ଉଭୟପକ୍ଷ ଙ୍କ ଏତଲା କ୍ରମେ କେ.ନୂଆଗାଁ ଆଇଆଇସି କିଶୋର କୁମାର ସାମଲ ଥାନା ମାମଲା ନଂ.୩୮୩/୨୫ ଏବଂ ୩୮୪/୨୫ ଅନୁଯାୟୀ ପୃଥକ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇବା ସହ ଏହି ଘଟଣାରେ ସମ୍ପୃକ୍ତ ସରପଞ୍ଚ ପ୍ରିୟଙ୍କା ନାୟକ ଙ୍କ ସ୍ବାମୀ ଶ୍ୟାମ ନାୟକ ଏବଂ ତାଙ୍କ ବିପକ୍ଷ ଗୋଷ୍ଠୀର କାଳୁ ଗୌଡ଼ ଙ୍କୁ ଗତ ୧୩ ତାରିଖରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲେ।ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ମନୋଜ ସୋମବାର ସକାଳେ ସହଦେବ ଟିକରପଡ଼ା ଗ୍ରାମକୁ ଆସିଥିଲେ ମଧ୍ୟ ତାଙ୍କୁ ରାଜନୈତିକ ଚାପର ବଶବର୍ତ୍ତୀ ହୋଇ ତାଙ୍କୁ ପୋଲିସ ଗିରଫ କରୁନଥବା ସରପଞ୍ଚ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି। ଆଇଆଇସି କିଶୋର କୁମାର ସାମଲ ଙ୍କ ଅନୁପସ୍ଥିତିରେ ଦାୟିତ୍ୱରେ ଥିବା ଜୟନାଥ ପ୍ରଧାନ ଉତ୍ତେଜିତ ଗ୍ରାମବାସୀ ଙ୍କ ସହ କଥାବାର୍ତ୍ତା ହୋଇ ଖୁବ୍ ଶୀଘ୍ର ସମ୍ପୃକ୍ତ ସମସ୍ତ ଅଭିଯୁକ୍ତ ମାନଙ୍କୁ ଗିରଫ କରାଯିବା ର ପ୍ରତିଶ୍ରୁତି ଦେବା ପରେ ସେମାନେ ଫେରିଥିବା ଜଣାପଡ଼ିଛି। ଏନେଇ ଆଇଆଇସି ଙ୍କୁ ଯୋଗାଯୋଗ କରିବାରେ ମନୋଜ ସାହୁ ହାଇକୋର୍ଟ ଙ୍କ ଅନ୍ତରୀଣ ଜାମିନରେ ଥିବାରୁ ତାଙ୍କୁ ଗିରଫ କରାଯାଇପାରିବ ନାହିଁ ବୋଲି କହିଛନ୍ତି।


