ଚୋରି ଘଟଣାରେ ଦୁଇ ଗିରଫ

ଦିଗପହଣ୍ଡି ,(ଅଳକ ନାଥ ମିଶ୍ର) ଦିଗପହଣ୍ଡି ପୋଲିସ ଥାନା ଅନ୍ତର୍ଗତ ସିଦ୍ଧେଶ୍ଵର – ସିଦ୍ଧିଖଣ୍ଡି ଗ୍ରାମ ରାସ୍ତାର କୁକୁଡ଼ା ଫାର୍ମରୁ ଏଲପିଜି ସିଲିଣ୍ଡର, ପାଣି ମୋଟର, ଧାନ ବସ୍ତା, ଏକ ସ୍କୁଟି ଏବଂ ତାରପୋଲିନ ଚୋରି କରିବା ଘଟଣାରେ ପୋଲିସ ଦୁଇ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ସିଦ୍ଧେଶ୍ଵର ଗ୍ରାମର କୁକୁଡ଼ା ଫାର୍ମ ମାଲିକ ଗୋଲକ ବିହାରୀ ପଟ୍ଟନାୟକଙ୍କ ଏତଲା ପ୍ରକାରେ ଗତ ଶନିବାର ବିଳମ୍ବିତ ରାତିରେ କୌଣସି ଦୁର୍ବୃତ୍ତ ତାଙ୍କ କୁକୁଡ଼ା ଫାର୍ମରେ ପଶି ଉପରୋକ୍ତ ସାମଗ୍ରୀ ଚୋରି କରିଥିବା ସେ ଅଭିଯୋଗ କରିଥିଲେ। ତଦନ୍ତ ସମୟରେ ଦୁଇ ଜଣ ଯୁବକ ଚୋରି ସାମଗ୍ରୀ ଚୋରାଇ ନେଉଥିବା ଏକ ସିସିଟିଭି କ୍ୟାମେରାରେ କଏଦ ହୋଇଥିଲା। ଯୁବକ ଦୁଇଜଣ ସିଦ୍ଧେଶ୍ଵର ଗ୍ରାମର ରାଜୀବ ସ୍ବାଇଁ ଏବଂ କାହ୍ନୁ ସାହୁ ବୋଲି ଜଣା ପଡିଥିଲା। ତଦନ୍ତକାରୀ ମହିଳା ପୋଲିସ ଅଧିକାରୀ ସୋଫିଆ ମିଶ୍ର ଦୁଇ ଯୁବକଙ୍କୁ ପଚରାଉଚରା କରିବା ସମୟରେ ଦୁହେଁ ଚୋରି କରିଥିବା ମାନି ନେଇଥିଲେ। ଏପରିକି ସେମାନଙ୍କ ଠାରୁ ଚୋରି ସାମଗ୍ରୀ ଉଦ୍ଧାର କରାଯାଇଥିଲା। ସୋମବାର ଦିନ ଦିଗପହଣ୍ଡି ଥାନା କେଶ୍ ନମ୍ବର ୪୨୬/୨୫ ପ୍ରକାରେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିଲା। ସେଠାରେ ସେମାନଙ୍କ ଜାମିନ ଆବେଦନ ନାମଞ୍ଜୁର ହୋଇ ଯିବାରୁ ଦୁହିଁଙ୍କୁ ଜେଲ୍ ହାଜତକୁ ପଠାଇ ଦିଆଯାଇଥିବା ଜଣାପଡିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ