ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର
ବନ୍ତ,(ଚାନ୍ଦିନୀ ମହାନ୍ତି): ଶୁକ୍ରବାର ବନ୍ତ ବ୍ଲକ କେନ୍ଦୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବ୍ଲକ ସ୍ତରୀୟ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି l ଏଥିରେ ପଞ୍ଜିକରଣ କରିଥିବା ୧୭୨ ଭିନ୍ନକ୍ଷମଙ୍କୁ ଚି଼ହ୍ନଟ କରାଯାଇଥିଲା l ସେଥିମଧ୍ୟରେ ୬୯ ଶାରୀରିକ ଭିନ୍ନକ୍ଷମ, ୨୦ ଦୃଷ୍ଟିବାଧିତ, ୩୮ ଶ୍ରବଣ ବାଧିତ, ୨୮ ମସ୍ତିଷ୍କ ପକ୍ଷାଘାତ ଏବଂ ୦ ରୁ ୧୨ ବର୍ଷ ବୟସର ସବୁ ବିଭାଗର ୧୭ ଜଣ ଭିନ୍ନକ୍ଷମ ଥିଲେ l ପରବର୍ତ୍ତୀ ସମୟରେ ଚିହ୍ନଟ ହୋଇଥିବା ସମସ୍ତ ଭିନ୍ନକ୍ଷମ ମାନଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯିବ ବୋଲି ବିଭାଗୀୟ ଅଧିକାରୀ କହିଛନ୍ତି l ଏହି ଅବସରରେ ବିଡ଼ିଓ ସୀତାକାନ୍ତ ରାଉତଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଚେତନତା ସଭାରେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ, ଭଣ୍ଡାରିପୋଖରୀ ବିଧାୟକ ସଞ୍ଜୀବ କୁମାର ମଲ୍ଲିକ, ଭଣ୍ଡାରିପୋଖରୀ ବିଧାନସଭା ବିଜେପି ନେତା ସୁଧାଂଶୁ ଶେଖର ନାୟକ, ଜିଲା ପରିଷଦ ଅଧ୍ୟକ୍ଷ ପ୍ରଫୁଲ୍ଲ ଜେନା, ବ୍ଲକ ଅଧ୍ୟକ୍ଷ ମନୋରଞ୍ଜନ ଘଡେଇ, ବ୍ଲକ ଉପାଧ୍ୟକ୍ଷା ପ୍ରଗତିବାଳା ସ୍ୱାଇଁ, କେନ୍ଦୁଆପଦା ସରକାରୀ ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଶଶୀ ଶେଖର କର ଶର୍ମା, ବନ୍ତ ସମିତି ସଭ୍ୟ ପରମେଶ୍ୱର ବାରିକ, ଭଦ୍ରକ ଉପଖଣ୍ଡ ସାମାଜିକ ସୁରକ୍ଷା ଅଧିକାରୀ ସ୍ମିତା ମାଝୀ ଯୋଗ ଦେଇ ଭିନ୍ନକ୍ଷମ ମାନଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ନେଇ ରାଜ୍ୟ ସରକାରଙ୍କର ଏଭଳି ପ୍ରୟାସକୁ ଉଚ୍ଚ ପ୍ରଶଂସା କରିଥିଲେ l ଶିକ୍ଷକ ସୁଧୀର କୁମାର ବାରିକ ମଞ୍ଚ ସଂଯୋଜନା ଓ ଜିପିଡିଓ ସୂଚୀସ୍ମିତା ବାରିକ ଧନ୍ୟବାଦ ଅର୍ପଣ କରିଥିଲେ l ଶିବିରରେ ବିଭିନ୍ନ ବିଭାଗର ଡାକ୍ତର ମାନେ ଯୋଗ ଦେଇ ପରୀକ୍ଷା ନିରୀକ୍ଷା କରିବା ସହ ରୋଗୀ ଚିହ୍ନଟ କରିଥିଲେ l ଶିବିର ପରିଚାଳନାରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ପ୍ରକାଶ ସାହୁ, କେନ୍ଦୁଆପଦା ସରପଞ୍ଚ ଇଂ. ପ୍ରମୋଦ କୁମାର ଜେନା, ପିଇଓ ପ୍ରଦୀପ କୁମାର ବିଶ୍ୱାଳଙ୍କ ସମେତ ବ୍ଲକର ସମସ୍ତ କର୍ମଚାରୀ ମାନେ ସହଯୋଗ କରିଥିଲେ l


