ବ୍ଳକସ୍ତରୀୟ ଜାତି ଜନଜାତି ସମ୍ବାଦ ବୈଠକ

ନାଉଗାଁ(ଓ୍ବାଇଏନଏସ) :ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକର ଜ୍ୟୋତି ଫେଡରେସନ ସମ୍ମିଳନୀ କକ୍ଷରେ ନାଉଗାଁ ବ୍ଳକସ୍ତରୀୟ ଜାତି,ଜନଜାତି ସମ୍ବାଦ ବୈଠକ ବୁଧବାର ଅନୁଷ୍ଠିତ ହୋଇଯାଇଛି। ଓଡିଶା ସରକାରଙ୍କ ଅନୁସୂଚିତ ଜନଜାତି ଓ ଅନୁସୂଚିତ ଜାତି ଉନ୍ନୟନ,ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ନିର୍ଦ୍ଦେଶକ୍ରମେ ନାଉଗାଁ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଆୟୋଜିତ ବ୍ଳକସ୍ତରୀୟ ବୈଠକକୁ ବିଡିଓ ନିରଞ୍ଜନ ପରିଡା ପ୍ରଦୀପ ପ୍ରଜ୍ୱଳନ କରି ଉଦ୍‌ଘାଟନ କରିଥିଲେ। ବ୍ଳକ ଜନ ମଙ୍ଗଳ ସଂପ୍ରସାରଣ ଅଧିକାରୀ ସୌରଜିତ ମହାପାତ୍ରଙ୍କ ସଭାପତିତ୍ୱରେ ଆୟୋଜିତ ସଭାରେ ବିଡିଓ ପରିଡା,ଶିକ୍ଷାବିତ୍ ସୁକାନ୍ତ କୁମାର ଲେଙ୍କା, ପ୍ରାକ୍ତନ ପ୍ରଧାନ ଶିକ୍ଷକ ନିରଞ୍ଜନ ମହାନ୍ତି, ସିଆରସିସି ଅକ୍ଷୟ କୁମାର ରାଉତ ଆଦି ଯୋଗ ଦେଇ ରାଜ୍ୟ ସରକାରଙ୍କ ଦ୍ୱିତୀୟ ବାର୍ଷିକ ପୂର୍ତି ଅବସରରେ ବିକାଶ ଧାରା ଓଡିଶା ସାରା କାର୍ଯ୍ୟକ୍ରମର ମୁଖ୍ୟ ଆଭିମୁଖ୍ୟ ଉପରେ ଆଲୋକପାତ କରିଥିଲେ। ଅନୁସୂଚିତ ଜାତି,ଜନଜାତିମାନଙ୍କ ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବିଭିନ୍ନ ପ୍ରକାର ବୃତି ଯୋଜନା, ଶହୀଦ୍ ମାଧେ ସିଂ ହାତ ଖର୍ଚ୍ଚ ଯୋଜନା, ଗୋପବନ୍ଧୁ ଶିକ୍ଷା ସହାୟତା ଯୋଜନା, ଜଙ୍ଗଲ ଜମି ଅଧିକାର ଆଇନ,ପ୍ରଧାନମନ୍ତ୍ରୀ ଆଦର୍ଶ ଗ୍ରାମ ଯୋଜନା ବିଷୟ ଉପରେ ବିଶଦ ଭାବରେ ଆଲୋଚନା କରାଯାଇଥିଲା। ଶେଷରେ ବ୍ଳକର ଅନୁସୂଚିତ ଜାତିର ବିଭିନ୍ନ କଳାକ୍ଷେତ୍ରରେ ପାରିଦର୍ଶିତା ଅର୍ଜନ କରିଥିବା ୧୭ଜଣ କଳାକାରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ସେହିପରି ବ୍ଳକର ଚଳିତ ମାଟ୍ରିକ ପରୀକ୍ଷାରେ ବିଭିନ୍ନ ବିଦ୍ୟାଳୟରୁ ଏ-୧ରେ ଉତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀଙ୍କ ସମେତ ଅନୁସୂଚିତ ଜାତି,ଜନଜାତି ବର୍ଗର ସର୍ବାଧିକ ନମ୍ବର ରଖିବା ଛାତ୍ରଛାତ୍ରୀ ଏବଂ ଯୁକ୍ତ ୨ର ବିଜ୍ଞାନ, କଳା ଓ ବାଣିଜ୍ୟ ବିଭାଗରୁ ବ୍ଲକର ସର୍ବାଧିକ ନମ୍ବର ରଖିଥିବା ଛାତ୍ରଛାତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ