ବ୍ଲକସ୍ତରୀୟ ରଚନା ଓ ବିତର୍କ ପ୍ରତିଯୋଗିତା

ହାଟଡିହି (ଓ୍ବାଇଏନଏସ): ହାଟଡିହି ସରକାରୀ ଉଚ୍ଚ ବିଦ୍ୟାଳୟଠାରେ   ଶିଶୁ ଶ୍ରମ ମୁକ୍ତ ଗ୍ରାମ ପଞ୍ଚାୟତ ଅଭିଯାନ ସମ୍ପର୍କିତ ବ୍ଲକସ୍ତରୀୟ ରଚନା ଓ ବିତର୍କ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି। ହାଟଡିହିର ସହକାରୀ ଶ୍ରମ ଅଧିକାରୀ   ଶାଶ୍ୱତ ପ୍ରୀତମଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ  ନିବନ୍ଧ ଓ ବିତର୍କ ପ୍ରତିଯୋଗିତା  ଆୟୋଜିତ ହୋଇଥିଲା। ଉକ୍ତ ପ୍ରତିଯୋଗିତାରେ ବିଭିନ୍ନ ବର୍ଗରେ ୮୦ରୁ ଊର୍ଦ୍ଧ୍ୱ ଛାତ୍ରଛାତ୍ରୀ ଉତ୍ସାହର ସହ ଅଂଶଗ୍ରହଣ କରିଥିଲେ। ଏହି କାର୍ଯ୍ୟକ୍ରମ ଶ୍ରମ ଓ ଇଏସ୍‌ଆଇ ବିଭାଗ ପକ୍ଷରୁ ଶିକ୍ଷା ବିଭାଗର ସହଯୋଗରେ ଆୟୋଜିତ ହୋଇଥିଲା। ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଶିଶୁ ଶ୍ରମ ମୁକ୍ତ ଗ୍ରାମ ପଞ୍ଚାୟତ ଅଭିଯାନ ସମ୍ପର୍କିତ ସାମାଜିକ ସଚେତନତା ସୃଷ୍ଟି କରିବା ସହ ସେମାନଙ୍କର ଚିନ୍ତନ ଶକ୍ତି ଓ ଅଭିବ୍ୟକ୍ତିର ଦକ୍ଷତା ବୃଦ୍ଧି କରିବା ଏହି କାର୍ଯ୍ୟକ୍ରମର ମୁଖ୍ୟ ଉଦ୍ଦେଶ୍ୟ ଥିଲା। ହାଟଡିହି ହାଇସ୍କୁଲର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଘଡ଼େଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଉଦଘାଟନ ଉତ୍ସବରେ ହାଟଡିହିର ଅତିରିକ୍ତ ବ୍ଲକ ଶିକ୍ଷା ଅଧିକାରୀ ପ୍ରମୋଦ କୁମାର ନାୟକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ। ଉଭୟ ପ୍ରତିଯୋଗିତାର ମୂଲ୍ୟାୟନ ନିମନ୍ତେ ଏକ ଅଭିଜ୍ଞ ବିଚାରକ ମଣ୍ଡଳୀ ଗଠନ କରାଯାଇଥିଲା। ଏଥିରେ ବି.ଟି. ମହିଳା ମହାବିଦ୍ୟାଳୟର ଅଧ୍ୟାପିକା ଅଳତୀ ଦାଶ, ହାଟଡିହି ମହାବିଦ୍ୟାଳୟର ଅଧ୍ୟାପିକା ପ୍ରିୟଙ୍କା ମହାନ୍ତି, ବିଶିଷ୍ଟ ଶିକ୍ଷାବିତ ମୋହନ କୁମାର ମହାନ୍ତି, ମହେନ୍ଦ୍ର କୁମାର ଜେନା, କୋଦଣ୍ଡଧର ମହାନ୍ତି, ନରେନ୍ଦ୍ର ପ୍ରସାଦ ବେହେରା ପ୍ରମୁଖ ବିଚାରକ ଭାବେ ଯୋଗ ଦେଇଥିଲେ। ବିତର୍କ ପ୍ରତିଯୋଗିତାରେ ସୋନାଲି ସଙ୍ଗୀତା ଭୂୟାଁ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ସୌମ୍ୟଶ୍ରୀ ରାଉତ ଦ୍ୱିତୀୟ ସ୍ଥାନ ଓ ଓମପ୍ରକାଶ ସାହୁ ତୃତୀୟ ସ୍ଥାନ  ହାସଲ କରିଥିଲେ।  ସେହିପରି ନିବନ୍ଧ ପ୍ରତିଯୋଗିତାରେ ପ୍ରତୀକ୍ଷା ସାହୁ ପ୍ରଥମ ସ୍ଥାନ ହାସଲ କରିଥିବା ବେଳେ ସ୍ୱାତୀ ପ୍ରଜ୍ଞା ରାଉତ ୨ୟ ସ୍ଥାନ  ଓ କୁମ୍‌କୁମ୍ ବେହେରା ୩ୟ ସ୍ଥାନ ହାସଲ କରିଥିଲେ।  କାର୍ଯ୍ୟକ୍ରମର ଶେଷ ପର୍ଯ୍ୟାୟରେ ହାଟଡିହି ସରକାରୀ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ନେଇ ଏକ ସଚେତନତା ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରା ମାଧ୍ୟମରେ ଶିଶୁ ଶ୍ରମିକ ପ୍ରଥାର ନିଷେଧ, ଶିଶୁମାନଙ୍କ ଅଧିକାରର ସୁରକ୍ଷା ଏବଂ ସେମାନଙ୍କୁ ଶିକ୍ଷାର ମୁଖ୍ୟସ୍ରୋତରେ ସାମିଲ କରିବା ସମ୍ପର୍କରେ ସାଧାରଣ ଜନତାଙ୍କୁ ସଚେତନ କରାଯାଇଥିଲା। ଶ୍ରମ ଓ ଇଏସ୍‌ଆଇ ବିଭାଗ ଏବଂ ଶିକ୍ଷା ବିଭାଗର ସମନ୍ୱୟ ଓ ସହଯୋଗରେ ଏହି କାର୍ଯ୍ୟକ୍ରମ ସଫଳତାର ସହ ସମ୍ପନ୍ନ ହୋଇଥିଲା। ଏହା ମାଧ୍ୟମରେ ଶିଶୁ ଶ୍ରମିକ ପ୍ରଥାର ଉଚ୍ଛେଦ ଏବଂ ଏକ ଶିଶୁ ଶ୍ରମମୁକ୍ତ ସମାଜ ଗଠନ ଦିଗରେ ସମସ୍ତଙ୍କର ସାମୂହିକ ପ୍ରତିବଦ୍ଧତା  ପ୍ରତିଫଳିତ ହୋଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ